କରୋନା କଟକଣା ବେଳେ ଦଲାଲ ସକ୍ରିୟ, ଆମ୍ବୁଲାନସ୍‌ରେ ଯାତ୍ରୀ ପରିବହନ ଅଭିଯୋଗ

ଚନ୍ଦ୍ରଶେଖରପୁର: କରୋନା କଟକଣା ଚାଲିଥିବା ବେଳେ କିଛି ଦଲାଲ ସକ୍ରିୟ ହୋଇ ଉଠିଛନ୍ତି। ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ ଦଲାଲ ମାନେ ଏହାର ଫାଇଦା ନେଇ ଆମ୍ବୁଲାନସ୍‌ରେ ଯାତ୍ରୀ ଚାଲାଣ କରୁଛନ୍ତି। ଏହି କାରବାରରେ ଲାଗିପଡ଼ିଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର କିଛି ଟ୍ରାଭେଲ୍ ଏଜେନ୍ସି। ଏମିତି ସୂଚନା ଦେଇଛନ୍ତି ବାହାର ଜିଲ୍ଲା କିମ୍ବା ରାଜ୍ୟ ବାହାର ଆସି ଭୁବନେଶ୍ବରରେ କାମ କରୁଥିବା ବ୍ୟକ୍ତିମାନେ। ସେମାନେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଅଞ୍ଚଳରେ କାମ କରିବା ପାଇଁ ଆସି ଫସି ରହିଛନ୍ତି। ନିଜ ଘରକୁ ଯିବା ପାଇଁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ପୁଲିସ ଠାରୁ ଅନୁମତି ପତ୍ର ମାଗି ନିରାଶ ହେବା ପରେ ଏବେ ଦଲାଲଙ୍କ ଶିକାର ହୋଇଛନ୍ତି।

ସୂଚନା ଅନୁଯାୟୀ ପଟିଆ ଷ୍ଟେସନ ନିକଟରେ ଜଣେ ଦଲାଲ କିଛି ଶ୍ରମିକମାନଙ୍କ ସହ ଗତକାଲି ମୂଲଚାଲ କରିଥିଲେ। ପରେ ଏକ ଆମ୍ବୁଲାନସ୍‌ରେ ସେମାନଙ୍କୁ କୋରାପୁଟ ନେବା ପାଇଁ ଯୋଜନା ହୋଇଥିଲା। ୬ଜଣ ବ୍ୟକ୍ତି କୋରାପୁଟ ଯିବାପାଇଁ ୨୦ ହଜାର ଟଙ୍କା ଦେଇଥିବା ସୂଚନା ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପିସିଆର୍ କର୍ମଚାରୀ ଶ୍ରମିକମାନଙ୍କୁ ଦଲାଲଙ୍କ ସହ ଯୋଗ‌ାଯୋଗ କରାଇ ଦେଇଥିବା ଜଣାପଡ଼ିଛି। ଆଜି ମଧ୍ୟ ୪ଜଣ ଶ୍ରମିକ ଏକ ଆମ୍ବୁଲାନସ୍ ଯୋଗେ ଛତିଶଗଡ଼-ଓଡ଼ିଶା ସୀମା ପର୍ଯ୍ୟନ୍ତ ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦଲାଲ ଜଣକର କିଛି ଗାଡ଼ି ବିମାନ ବନ୍ଦର, ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଅଞ୍ଚଳରେ ଥିବା ବିଭିନ୍ନ ଅନୁଷ୍ଠାନରେ ଭଡ଼ାରେ ଲାଗିଥିବା ସୂଚନା ମିଳିଛି। ତାଙ୍କ ଗାଡ଼ିର ସ୍ବତନ୍ତ୍ର ପାସ୍ ରହିଛି ବୋଲି ଦର୍ଶାଇ ସେ ଲୋକମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ପରେ ଆମ୍ବୁଲାନସ୍‌ ଯୋଗେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରକୁ ପଠାଉଥିବା ସୂଚନା ଜଣାପଡ଼ିଛି। ମାତ୍ର ଦଲାଲ ଜଣକ ସମ୍ପର୍କରେ ସୂଚନା ମିଳି ନ ଥିବା ବେଳେ ଉଭୟ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ପୁଲିସ୍ ଆଜିଠାରୁ କିଟ୍ ଛକ, ପଟିଆ ଛକ, ଡମଣା ଛକ ଓ ନାଲ୍‌କୋ ଛକରେ ପ୍ରତି ଗାଡ଼ିକୁ ଯାଞ୍ଚ କରିବା ସହ ବସିଥିବା ଯାତ୍ରୀଙ୍କ ଉପରେ ନଜର ରଖିବା ଆରମ୍ଭ କରିଛି। ଖାସ୍ କରି ଆମ୍ବୁଲାନସ୍ ଗୁଡ଼ିକରେ ବସିଥିବା ଯାତ୍ରୀ କିମ୍ବା ରୋଗୀଙ୍କ ବିଷୟରେ ପଚରାଉଚରା କରି ଗାଡ଼ି ଛାଡ଼ୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନୀଳାଦ୍ରିବିହାରରେ ଫସି ରହିଥିବା କିଛି କୋଲକାତାର ଶ୍ରମିକ ମଧ୍ୟ ଆଜି ଜଣେ ଦଲାଲଙ୍କ ହାବୁଡ଼ରେ ପଡ଼ିଛନ୍ତି। ସେ ଅଗ୍ରିମ ୧ହଜାର ଟଙ୍କା ଦଲାଲକୁ ଦେଇଛନ୍ତି। ବିଳମ୍ବିତ ରାତିରେ ସେମାନଙ୍କୁ ଏକ ଗାଡ଼ିରେ ବାଲେଶ୍ବର-କୋଲକାତା ଚେକ୍ ଗେଟ୍ ପର୍ଯ୍ୟନ୍ତ ନେଇ ଛାଡ଼ିବେ ବୋଲି କଥା ହୋଇଥିବା ଅମୂଲ୍ୟ ମାଇତି ନାମକ ବ୍ୟକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର