ନୂଆବର୍ଷ ପାଇଁ ଦେହ ଦଲାଲ ସକ୍ରିୟ

ଅପରେଟ୍ କରୁଛି ୩୦ ପାଖାପାଖି ରୢାକେଟ

ଭୁବନେଶ୍ବର: କିଛି ଦିନ ତଳୁ ଆରମ୍ଭ ହୋଇଥିବା ହକି ବିଶ୍ବକପ ଓ ନୂଆବର୍ଷ ପାଇଁ ଦେହ ଦଲାଲ ସକ୍ରିୟ ହୋଇ ଉଠିଛନ୍ତି। ଏବେ ରୂପଜୀବୀଙ୍କ ଚାହିଦା ୪ ଗୁଣା ବଢ଼ି ଯାଇଛି। ବିଶେଷକରି ଏବେ ରାଜ୍ୟ ବାହାରର ଅନେକ ଲୋକ ଖେଳ ଦେଖିବାକୁ ଭୁବନେଶ୍ବର ଆସିଛନ୍ତି। ସେହିପରି ନୂଆବର୍ଷ ଆସୁଥିବାରୁ ଅନେକ ପର୍ଯ୍ୟଟକ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି। ମନୋରଂଜନ କରିବାକୁ ଦେହ ଦଲାଲଙ୍କ ସହଯୋଗ ଲୋଡୁଛନ୍ତି। ଫଳରେ ଏବେ ସେକ୍ସ ବଜାରରେ ରୂପଜୀବୀଙ୍କ ଚାହିଦା ବଢ଼ିଛି। ଖଣ୍ଡଗିରି ଥାନା ଅଧୀନ ନୂଆଗାଁ ଫୁଲ ପ୍ୟାଲେସ ଆର୍ପାଟମେଣ୍ଟରୁ ଦୁଇ ଦିନ ତଳେ କୁଇକ ଆକ୍ସନ ଟିମ୍ ହାବୁଡରେ ପଡ଼ିଥିବା ସେକ୍ସ ରୢାକେଟର ଦଲାଲ କେଶବ ସାହୁ ପୁଲିସକୁ ଏଭଳି ତଥ୍ୟ ଦେଇଛି। କେଶବ ପୁଲିସ ଆଗରେ କହିଛି ଏହିଭଳି ରାଜଧାନୀରେ ପାଖାପାଖି ୩୦ଟି ସେକ୍ସ ରୢାକେଟ କାମ କରୁଛି। ଏହି ରୢାକେଟରେ ବିଦେଶୀ ଓ ବଙ୍ଗୀୟ ଯୁବତୀ ମଧ୍ୟ ଅଛନ୍ତି। ନୂଆବର୍ଷ ପାଖାପାଖି ୧ କୋଟି ଟଙ୍କାର ବେପାରର ଲକ୍ଷ୍ୟ ରଖିଛନ୍ତି ଦେହ ଦଲାଲ। ସମ‌େସ୍ତ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଘର ଭଡ଼ା ନେଇ ସେଠାର ରୂପଜୀବୀମାନଙ୍କୁ ରଖିଛନ୍ତି। ପୁଲିସ କେଶବଠାରୁ ଏହି ତଥ୍ୟ ପାଇବା ପରେ ସେକ୍ସ ରୢା‌କେଟ ଚାଲୁଥିବା ଘରଗୁଡ଼ିକର ତାଲିକା ପ୍ରସ୍ତୁତ କରିଛି। ଖୁବ୍‌ଶୀଘ୍ର ସେଗୁଡ଼ିକ ଉପରେ ଚଢ଼ଉ କରାଯିବ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଚଳିତ ବର୍ଷ କମିସନରେଟ ପୁଲିସ ସହିଦନଗର ଥାନା ଅଧୀନ କେସୁରା, ନୂଆପଲ୍ଲୀ ଥାନା ପୁଲିସ ଆଇଆରସି ଭିଲେଜ, ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ବର ଅଞ୍ଚଳ ଭଳି ଆବାସିକ ଅଞ୍ଚଳରେ ଭଡ଼ା ଘର ନେଇ ଦଲାଲମାନେ ସେକ୍ସ ରୢାକେଟ ଚଳାଇବା ବେଳେ ଗିରଫ ହୋଇଛନ୍ତି।

ଆସିଗଲେଣି ବିଦେଶିନୀ ଓ ବଙ୍ଗୀୟ ଯୁବତୀ
ରାଜଧାନୀରେ ଏବେ ରୂପଜୀବୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦଲାଲମାନେ ଗ୍ରାହକମାନଙ୍କୁ ଖୁସ୍ କରାଇବାକୁ ବିଦେଶୀ ଓ ବଙ୍ଗୀୟ ଯୁବତୀ ଡକାଇ ସାରିଲେଣି। ବିଦେଶୀମାନଙ୍କ ମଧ୍ୟରେ ଥାଇଲାଣ୍ଡ, ଋଷୀୟ ଯୁବତୀ ଅଧିକ ପସନ୍ଦ ବୋଲି ଦଲାଲ କେଶବ କହିଛି। ସେହିପରି ବଙ୍ଗୀୟ ଯୁବତୀମାନେ ମଧ୍ୟ ଏବେ ଭୁବନେଶ୍ବରମୁହାଁ। ରାଜଧାନୀରୁ ବିଦେଶୀ ଯୁବତୀ ଉଦ୍ଧାର ହେବା ନୂଆ କଥା ନୁହେଁ। ଚଳିତ ବର୍ଷ କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର ଏଚ୍-୨ଟୁ ଓ ସ୍ପା’ରୁ ୭ ଥାଇ ଯୁବତୀ, ଖାରବେଳନଗର ଅଧୀନ ଏକ ମାର୍କେଟ କମ୍ପେକ୍ସରୁ ୪ ଥାଇ ଯୁବତୀ ଓ ଦୁଇ ବର୍ଷ ତଳେ ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀବିହାର ସିକ୍ସଥ୍‌ ଆଭେନ୍ୟୁ ଆର୍ପାଟମେଣ୍ଟରୁ ଜଣେ ଉଜବେକିସ୍ତାନ ଯୁବତୀ ଉଦ୍ଧାର ହୋଇଥିଲେ।

କୋଟିଏ ପାଖାପାଖି ବେପାର ଲକ୍ଷ୍ୟ
ଯାହା ସୂଚନା ମିଳିଛି, ନୂଆବର୍ଷକୁ ଦୃଷ୍ଟିରେ ରଖି ଦଲାମାନେ ପାଖାପାଖି ଏକ କୋଟି ଟଙ୍କାର ବେପାର କରିବାର ଲକ୍ଷ୍ୟ ରଖିଛନ୍ତି। କାରଣ ବିଦେଶୀ ଯୁବତୀମାନେ ଗୋଟିଏ ରାତିକୁ ୫୦ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ନେଉଥିବା ବେଳେ ବଙ୍ଗୀୟ ଯୁବତୀମାନେ ୧୫ରୁ ୨୫ହଜାର ଟଙ୍କା ନେଉଛନ୍ତି। ସିଟ୍‌ ପିଛା ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ରହିଛି। ଦଲାଲମାନେ ଏବେ ବିଭିନ୍ନ ୱେବସାଇଟ୍‌ ମଧ୍ୟ ଖୋଲିଛନ୍ତି। ଏହାଛଡ଼ା ଇନଷ୍ଟାଗ୍ରାମ, ହ୍ବାଟସଆପ ଭଳି ଆପକୁ ମଧ୍ୟ ବ୍ୟବହାର କରୁଛନ୍ତି ଦଲାଲ। କୁଇକ ଆକ୍ସନ ଟିମ୍ ହାତରେ ଧରା ପଡ଼ିଥିବା କେଶବ କହିଛି, ଏହି ସମୟରେ ରାଜଧାନୀରେ ପାଖାପାଖି କୋଟିଏ ଟଙ୍କାର ବେପାର ହୋଇଥାଏ। ଯାହାର ସିଂହଭାଗ ଦଲାଲମାନେ ନିଅନ୍ତି।

ରାଜଧାନୀରେ ୩୦ରୁ ଅଧିକ ସେକ୍ସ ରୢାକେଟ
କୁଇକ ଆକ୍ସନ ଟିମ ଦୁଇ ଦିନ ତଳେ ଖଣ୍ତଗିରି ଥାନା ଅଧୀନରେ ଚଢ଼ଉ କରି ଏକ ବଡ଼ ସଫଳତା ପାଇଛି। ଗିରଫ ଦଲାଲ ଓ ରୂପଜୀବୀମାନଙ୍କୁ ପଚରାଉଚରା କରାଯିବା ପରେ ବହୁତ ତଥ୍ୟ ମିଳିଛି। ସେମାନେ ପୁଲିସକୁ ସୂଚନା ଦେଇଛନ୍ତି କି ରାଜଧାନୀର ବିଭିନ୍ନ ସ୍ଥାନରେ ପାଖାପାଖି ୩୦ଟି ରୢାକେଟ୍‌ ଚାଲୁଛି। ଏମାନେ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଭଡ଼ା ଘର ନେଇ ବେପାର ଚଳାଇଛନ୍ତି।

ସୁନୀଲ ଗିରଫ ପରେ ମଧ୍ୟ କମିନି କାରବାର
ଦେହ ଦଲାଲ ସୁନୀଲ ମେହେର। ଦେହ ଧନ୍ଦା କାରବାରର ବାଦ୍‌ଶାହା ଥିଲା। ତାକୁ ଗିରଫ କରିବା କମିସନରେଟ ପୁଲିସ ପାଇଁ ଚ୍ୟା‌ଲେଞ୍ଜ ଥିଲା। ତତ୍କାଳୀନ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଏଥିପାଇଁ କୁଇକ ଆକ୍ସନ ଟିମକୁ ନିର୍ଦେଶ ଦେଇଥିଲେ। ତତ୍କାଳୀନ କୁଇକ ଆକ୍ସନ ଟିମ୍ମୁ ଖ୍ୟ ଆକାଶ ରଣା ୨୦୧୬ ମସିହା ଏପ୍ରିଲ ମାସ ୨୧ ତାରିଖରେ ସୁନୀଲକୁ କୋଲକାତା ବିମାନବନ୍ଦରରୁ ଗିରଫ କରିଥିଲେ। ପରେ ତାକୁ ଭୁବନେଶ୍ବର ଅଣା ଯାଇଥିଲା। ଏପରିକି ପୁଲିସ ତାକୁ ରିମାଣ୍ଡରେ ଆଣି ତାର ନେଟୱର୍କ ସମ୍ପର୍କରେ ପଚରାଉଚରା ମଧ୍ୟ କରିଥିଲା। କିନ୍ତୁ ସେହି ତଥ୍ୟକୁ ଆଧାର କରି ଅନ୍ୟ କେଉଁଠି ବି ଚଢ଼ଉ କରିନଥିଲା। ତେଣୁ ସୁନୀଲ ଗିରଫ ହେବା ପରେ ମଧ୍ୟ ରାଜଧାନୀରେ ସେକ୍ସ ରୢାକେଟ କାରବାର ବନ୍ଦ ହୋଇ ପାରିନାହିଁ।

ବିୟୁଟିପା‌ର୍ଲର, ମସାଜ ସେଣ୍ଟର ଓ ସ୍ପା’ ପରେ ଭଡ଼ା ଘର
ବିଗତ ଦିନରେ କମିସନରେଟ ପୁଲିସ ପକ୍ଷରୁ ବାରମ୍ବାର ବିୟୁଟି ପାର୍ଲର, ମସାଜ ସେଣ୍ଟର ଓ ସ୍ପା’ ଉପରେ ଚଢ଼ଉ କରାଯାଇ ଚାଲୁଥିବା ସେକ୍ସ ରୢାକେଟ୍‌ର ପର୍ଦାଫାସ ହେଉଥିଲା। ରୂପଜୀବୀମାନଙ୍କୁ ଉଦ୍ଧାର କରାଯିବା ସହ ଦଲାଲ ଓ ଗ୍ରାହକମାନେ ଗିରଫ ହେଉଥିଲେ। ବାରାମ୍ବାର ଗିରଫ ହେବା ଦ୍ବାରା ସେମାନଙ୍କ ବେପାର ମାନ୍ଦା ହୋଇ ଯାଇଥିଲା। ଦେହ ଦଲାଲମାନେ ଏବେ ନୂଆ ତରିକା ଆରମ୍ଭ କରିଛନ୍ତି। ଘର ଭଡ଼ା ନେଇ ସେଠାରେ ରୂପଜୀବୀମାନଙ୍କୁ ରଖୁଛନ୍ତି। ଟେଲିଫୋନ୍, ହ୍ବାଟସଆପ୍ ମାଧ୍ୟମରେ ଯୋଗା‌ଯୋଗ କରାଯାଉଛି। ପସନ୍ଦ ହେଲେ ଗ୍ରାହକମାନେ ଭଡ଼ା ଘରକୁ ଆସିଥାନ୍ତି। ରାଜଧାନୀ ଉପକଣ୍ଠ ନୂଆଗାଁ, ଘାଟିକିଆ, ସମ୍ ହସ୍ପିଟାଲ ନିକଟ, କଳିଙ୍ଗବିହାର, ସୁନ୍ଦରପଦା, ଧଉଳି, ସତ୍ୟବିହାର, ଅଟଳା, ଚକେଇସିଆଣୀ, ରଘୁନାଥପୁର, ନନ୍ଦନକାନନ ଅଞ୍ଚଳ‌େର ଥିବା ନିକାଞ୍ଚନ ଘର ନଚେତ ଆର୍ପାଟମେଣ୍ଟକୁ ଭଡ଼ା ନେଇ ଦଲାଲମାନେ ଏଭଳି ରୢାକେଟ ଚଳାଉଛନ୍ତି।

ଖବର ମିଳିବା କ୍ଷଣି ହେବ ଚଢ଼ଉ
ରାଜଧାନୀରେ ଚାଲୁଥିବା ସେକ୍ସ ରୢାକେଟ କାରବାର ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଖବର ମିଳିବା କ୍ଷଣି ଚଢ଼ଉ କରାଯିବ। ଯେଉଁ ସ୍ଥାନରେ ଏଭଳି ଧନ୍ଦା ହେଉଛି ବୋଲି ସାଧାରଣ ଲୋକ ଜାଣୁଛନ୍ତି, ତୁରନ୍ତ ପୁଲିସକୁ ଖବର ଦିଅନ୍ତୁ। ସେମାନଙ୍କ ନାମ ଗୋପନ ରଖାଯିବ।

ସମ୍ବନ୍ଧିତ ଖବର