ଭୁବନେଶ୍ବର: କଟକ ମାମଲାର ନଗ୍ନ ଚିତ୍ର ପଦାକୁ ଆସିବା ପରେ ରାଜଧାନୀରେ ସକ୍ରିୟ ଥିବା ଏଭଳି କିଛି ରୢାକେଟ୍‌ ଏବେ ଅଣ୍ଡରଗ୍ରାଉଣ୍ଡ୍‌ ହୋଇଯାଇଛନ୍ତି। ପୁଲିସ ଚଢ଼ଉ ଭୟରେ ସେମାନେ ଆତ୍ମଗୋପନ କରିଥିବା ଆଭାସ ମିଳିଲାଣି। ପାଖାପାଖି ଦୁଇ ଡଜନ୍‌ ମାଫିଆ ଏବେ ସେମାନଙ୍କ ନେଟ୍‌ୱର୍କକୁ ବନ୍ଦ କରି ଛପିଯାଇଥିବା ଜଣାପଡ଼ିଛି। କିନ୍ତୁ ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି। ଆଜି ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି ଯେ କଟକ ଭଳି ରାଜଧାନୀରେ ବି ଏଭଳି ମାଫିଆ ତଥା ଦଲାଲମାନଙ୍କ ନେଟ୍‌ୱର୍କ ରହିଛି। ଏବେ ରାଜଧାନୀରେ ରୢାକେଟ୍‌ ଚଳାଇଥିବା ଦେହ ବ୍ୟବସାୟର ମାଫିଆମାନଙ୍କ ପଛରେ ଗୁଇନ୍ଦା ଲାଗିଛି। ଗୁଇନ୍ଦା ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏମିତି ଧନ୍ଦାର ମଙ୍ଗ ଧରିଥିବା ପ୍ରାୟ ଦୁଇ ଡଜନ୍‌ ମାଫିଆଙ୍କ ତାଲିକା କରାଯାଇଛି। ଏଥିରେ କିଛି ମହିଳା ମାଫିଆଙ୍କ ନାଁ ରହିଛି। ଅଣଓଡ଼ିଆ ବଙ୍ଗୀୟ ମହିଳାମାନେ ଏହି କାରବାରରେ ଯୁବତୀ ଚାଲାଣ କରୁଥିବା ବେଳେ ଓଡ଼ିଆ ଦଲାଲମାନେ ବେପାର ପାଇଁ ଗ୍ରାହକ ଯୋଗାଡ଼ର ସୂତ୍ରଧର ସାଜିଛନ୍ତି।

Advertisment

ଓଡ଼ିଶା ଆସିଥିବା ଜଣେ ବାଂଲାଦେଶୀ ଯୁବତୀଙ୍କ କହିବା କଥା ସେମାନଙ୍କୁ ପ୍ରଥମେ ବିଭିନ୍ନ ଘରୋଇ ସଂସ୍ଥାରେ ଚାକିରି କରାଇବାକୁ ପ୍ରଲୋଭିତ କରି ଓଡ଼ିଶା ଚାଲାଣ କରାଯାଉଛି। ଏମିତିକି ସେମାନଙ୍କୁ ଗୋଟିଏ ଗୋଟିଏ ନକଲି ନାଁ ଦେଇ ପଶ୍ଚିମବଙ୍ଗରୁ ଆଧାରକାର୍ଡ ବି ଯୋଗାଇ ଦିଆଯାଉଛି। ସେମାନଙ୍କୁ ବଙ୍ଗୀୟ ଦାଦା ଓ ଦିଦିମାନେ ଯୋଗାଯୋଗ କରି ଓଡ଼ିଶା ପଠାଉଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ଦେହ ବ୍ୟବସାୟର ଚକ୍ରବ୍ୟୂହରେ ଫସାଇଦିଆଯାଉଛି। ଯୁବତୀଙ୍କ କହିବା କଥା ଏବେ ତାଙ୍କ ଜାଣିବାରେ ଭୁବନେଶ୍ବରରେ ୨୨ରୁ ଅଧିକ ବାଂଲାଦେଶୀ ଯୁବତୀ ଦେହ ବ୍ୟବସାୟରେ ନିୟୋଜିତ ଅଛନ୍ତି। ସେମାନଙ୍କୁ ରୁକ୍‌ସାନା, ଶିଖା ଓ ଅଞ୍ଜଳି ଦିଦି ଓଡ଼ିଶା ପଠାଇବା ପରେ ଦେବାଶିଷ ଦାଦା ଚଳାଉଛନ୍ତି। ଯୁବତୀଜଣକ ଆଉ ଏକ ସଂଗିନ୍‌ ସୂଚନା ଦେଇ କହିଛନ୍ତି ଯେ ସେମାନଙ୍କୁ ଦୈନିକ ୫ରୁ ଅଧିକ ଗ୍ରାହକଙ୍କ ନିକଟକୁ ଯିବାକୁ ପଡ଼ୁଛି। ଏଥିପାଇଁ ସେମାନଙ୍କୁ ଗ୍ରାହକ ପିଛା ଏକ ହଜାରରୁ ୨ ହଜାର ଟଙ୍କା ମିଳୁଛି। କିନ୍ତୁ ଦଲାଲ ଗ୍ରାହକ ପିଛା ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛି। ତେଣୁ ସେମାନେ ଶୋଷଣ କଷ୍ଟ ସହି ଦୈନିକ ୫/୭ ହଜାର ଟଙ୍କା କମାଉଥିବା ବେଳେ ସେମାନଙ୍କ ଦେହ ବିନିମୟରେ ଦଲାଲ ୨୫ରୁ ୩୦ ହଜାର ଟଙ୍କା ନିଜ ପକେଟ୍‌ରେ ପୂରାଉଛି।