ସରକାରୀ ହସ୍ପିଟାଲରେ ଦଲାଲରାଜ୍‌, କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚଢ଼ଉ କେବେ?

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନଙ୍କ ଦୌରାତ୍ମ୍ୟ ଲାଗିରହିଛି। ଏଥିରେ ଗରିବ ଜନସାଧାରଣ ପ୍ରଭାବିତ ହେଉଛନ୍ତି। ତେଣୁ ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନୋ ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ, ପୁଲିସ ବିଭାଗକୁ ଚିଠି ଲେଖାଯିବା‌ ପରେ ଏବେ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ଚଢ଼ଉ ଚାଲିଛି। ନିକଟରେ ଖଣ୍ଡଗିରି ଥାନା ପୁଲିସ ଭୁବନେଶ୍ବର ଏମ୍‌ସରେ ଚଢ଼ଉ ୯ ଜଣ ଦଲାଲଙ୍କୁ ଗିରଫ କରିଛି। କିନ୍ତୁ ରାଜଧାନୀର ଛାତି ଉପରେ ଥିବା କ୍ୟାପିଟାଲ୍‌ ହସ୍ପିଟାଲ୍‌ ଉପରେ ଏଯାଏ କମିସନରେଟ ପୁଲିସର ନଜର ପଡ଼ିନାହିଁ। ଏଠାରେ ମାଳମାଳ ଦଲାଲ ବେଶ୍ ଅନାୟାସରେ ଦୌରାତ୍ମ୍ୟ ଚଳାଉଥିଲେ ବି ପୁଲିସ ଜଣକୁ ଗିରଫ କରିନାହିଁ। ହସ୍ପିଟାଲ୍‌ ପରିସରରେ ଫାଣ୍ଡିଟିଏ ଥିଲେ ବି ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଦଲାଲମାନେ ଗରିବ ‌ରୋଗୀଙ୍କୁ ଶୋଷଣ କରୁଛନ୍ତି। ଏଠା‌ରେ ଦଲାଲମାନଙ୍କ ଚେର ଏତେ ଗଭୀରକୁ ଯାଇଛି ଯେ ପୁଲିସର କାତ ପାଉନି ବୋଲି ଚର୍ଚ୍ଚା ହେଉଛି।

କିଛି ଦିନ ତଳେ ନିର୍ଦ୍ଦେଶକ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଦଲାଲମୁକ୍ତ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ଯୋଜନା ହେବା ସହିତ ସମସ୍ତ କର୍ମଚାରୀମାନଙ୍କୁ ତାଗିଦ୍ କରିଥିଲେ। କିନ୍ତୁ ସବୁ କିଛି ସେମିତି ପୂର୍ବ ଭଳି ରହିଛି। ଜରୁରୀକାଳୀନ ୱାର୍ଡଠାରୁ ଆରମ୍ଭ କରି ସ୍ତ୍ରୀ ଓ ପ୍ରସୂତି ବିଭାଗ, ମେଡିସିନ୍ ବିଭାଗ ଭଳି ଏକାଧିକ ବିଭାଗ ନିକଟରେ ମାଳମାଳ ଦଲାଲ ସକ୍ରିୟ ରହୁଛନ୍ତି। ଏହି ହସ୍ପିଟାଲ ପଛପଟେ ଥିବା ଏକାଧିକ ଔଷଧ ଦୋକାନର କର୍ମଚାରୀଙ୍କ କର୍ତ୍ତବ୍ୟସ୍ଥଳ ହେଉଛି କ୍ୟାପିଟାଲ ହସ୍ପିଟାଲ। ହସ୍ପିଟାଲରେ ମାଗଣା ଔଷଧ ମିଳୁଥିଲେ ମଧ୍ୟ କେମିତି ସେମାନଙ୍କ ଔଷଧ ଦୋକାନରୁ ରୋଗୀଟିଏ ଔଷଧ କିଣିବ, ସେଠାରେ ଚାଲେ ଡିଲ୍। ସେହିପରି ଏହି ହସ୍ପିଟାଲ ପଛପଟେ ଥିବା ମାଳମାଳ ପାଥୋଲୋଜିର ଏଜେଣ୍ଟଙ୍କୁ ଦେଖିବାକୁ ମିଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ। କେମିତି ସେମାନଙ୍କ ପା‌ଥୋଲୋଜିରେ ରୋଗୀ ସମସ୍ତ ଟେଷ୍ଟିଂ କରାଇବ, ସେଥିପାଇଁ ମଧ୍ୟ ଡିଲ୍‌ ହୋଇଥାଏ। ଘରୋଇ ମେଡିକାଲ ଏଜେଣ୍ଟଙ୍କ କଥା କହିଲେ ସରିବ ନାହିଁ। ବାବୁମାନେ କାର୍ ନେଇଆସନ୍ତି। କାର୍‌ ଭିତରେ ବସି ନଜର କରୁଥାନ୍ତି ୧୦୮ ଆମ୍ବୁଲାନ୍ସ ଉପରେ। ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନଙ୍କ ଉପରେ ସେମାନଙ୍କ ଲକ୍ଷ୍ୟ। ପୂର୍ବରୁ ମେଡିସିନ୍ ରି‌ପ୍ରେଜେଣ୍ଟଟେଟିଭ୍‌ମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ବାରଣ ଥିଲା। ଏବେ କିନ୍ତୁ ପୁଣି ସକ୍ରିୟ ହୋଇଗଲେଣି ସେମାନେ।

କ୍ୟାପିଟାଲ ହସ୍ପିଟାଲ ସରକାରୀ ହୋଇଥିବାରୁ ସ୍ବଳ୍ପ ବ୍ୟୟରେ ଭଲ ଚିକିତ୍ସା ପାଇଁ ବହୁ ରୋଗୀ ଏହା ଉପରେ ନିର୍ଭର କରିଥା’ନ୍ତି। ନୟାଗଡ଼ଠାରୁ ଆରମ୍ଭ କରି ପୁରୀ ଜିଲ୍ଲାର ଲୋକମାନେ ମଧ୍ୟ ଏହି ହସ୍ପିଟାଲ୍‌କୁ ଆସିଥା’ନ୍ତି। ଭୁବନେଶ୍ବର ଏମ୍‌ସ ଭଳି ଏଠାରେ ଓପିଡି ଟିକେଟ୍ ପାଇବା ପାଇଁ ଅନେକ ସମୟରେ ରାତିରୁ ଲାଇନ୍‌ ଲଗାଇବାକୁ ପଡ଼ୁଛି। ବିଭିନ୍ନ ବିଭାଗକୁ ଆସୁଥିବା କେତେକ ଡାକ୍ତରଙ୍କର ମଧ୍ୟ ସୁନାମ ରହିଛି। ସେମାନଙ୍କ ନିକଟରେ ଚିକିତ୍ସିତ ହେବାକୁ ରୋଗୀଙ୍କ ଭିଡ଼ ହେଉଛି। ଏସବୁର ଫାଇଦା ଉଠାଉଛନ୍ତି ଦଲାଲ। ଲାଇନରେ ରହି ଟିକେଟ୍ କରାଇ ଦେବାଠାରୁ ଆରମ୍ଭ କରି ବିଭିନ୍ନ ଡାକ୍ତରଙ୍କ ନିକଟରେ ରୋଗୀଙ୍କୁ ପହଞ୍ଚାଇ ଚିକିତ୍ସା ସୁବିଧା କରାଇଦେବା, ହସ୍ପିଟାଲ୍‌ରେ ବିନା ଲାଇନ୍‌ରେ ଆସି ଟେଷ୍ଟିଂ କରାଇଦେବା ଭଳି କାମ କରୁଛନ୍ତି ଦଲାଲମାନେ। ଏଥିରେ କିଛି ଠିକା କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହେଉଛି।

ଏ ସମ୍ପର୍କରେ କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନ କହିଛନ୍ତି ଯେ ଏମ୍‌ସରୁ ଦଲାଲ ଗିରଫ ହେବା ପରେ ଏବେ କ୍ୟାପିଟାଲ ହସ୍ପିଟାଲରେ ସେଭଳି ଦଲାଲାମାନଙ୍କୁ ଦେଖିବାକୁ ମିଳୁନାହିଁ। ବିରିମାଡ଼ ଦେଖି କୋଳଥ ଚେପା ହେବା ଭଳି କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଦଲାଲମାନେ ଉଭେଇ ଯାଇଛନ୍ତି। ସେମାନଙ୍କ ଉପରେ ନଜର ରହିଛି ଏବଂ ଖୁବ୍ ଶୀଘ୍ର ସେଠାରେ ‘ଅପରେସନ୍ ଦଲାଲ’ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର