ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ବ୍ୟାବସାୟିକ ଶତ୍ରୁତାରୁ ହାତୁଡ଼ିରେ ପିଟି ହତ୍ୟା କରିଥିଲା

ଭୁବନେଶ୍ବର : ବ୍ୟବସାୟିକ ଶତ୍ରୁତାରୁ ସାନ ଭାଇକୁ ହାତୁଡ଼ିରେ ପିଟି ହତ୍ୟା ମାମଲାରେ ସିବିଆଇ (କୋର୍ଟ ନଂ୧) ସ୍ବତନ୍ତ୍ର ଜଜ୍‌ ମାନସ ରଂଜନ ବାରିକ ଆଜି ଅଭିଯୁକ୍ତ ଦୁର୍ଗାଚରଣ ପରିଡ଼ାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୨ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟରେ ନିର୍ଦ୍ଦେଶ ରହିଛି। ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରୁ ଜଣାପଡ଼ିଛି, ଯାଜପୁର ଅଞ୍ଚଳର ୩ ଭାଇ ଦୁର୍ଗାଚରଣ, ଧୀରେନ୍ଦ୍ର ଓ ବୀରକିଶୋର ଦୀର୍ଘ ବର୍ଷ ହେଲା ମଞ୍ଚେଶ୍ବର ପ୍ରାଚୀବିହାରରେ ରହି ଖଇର ବ୍ୟବସାୟ କରୁଥିଲେ। ବ୍ୟାବସାୟିକ ଶତ୍ରୁତାକୁ ନେଇ ଦୁର୍ଗାଚରଣ ଓ ଧୀରେନ୍ଦ୍ରଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହୁଏ। ସବୁଦିନ ଭଳି ୨୦୧୮ ଜୁଲାଇ ୧୨ ତାରିଖରେ ଦୁର୍ଗାଚରଣ ଓ ଧୀରେନ୍ଦ୍ର ଗୋଦାମ ଘରେ କାଠ ହାତୁଡ଼ି ସାହାଯ୍ୟରେ ଖଇର ଗୁଣ୍ଡ କରୁଥିଲେ। ସେତିକିବେଳେ ପୂର୍ବ ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଦୁର୍ଗାଚରଣ ହାତରେ ଧରିଥିବା ହାତୁଡ଼ିରେ ଧୀରେନ୍ଦ୍ରକୁ ପିଟି ପିଟି ହତ୍ୟା କରିଥିଲା। ମଞ୍ଚେଶ୍ବର ଥାନା ପୁଲିସ ମୃତଦେହ ଜବତ କରିବା ସହ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଦୁର୍ଗାଚରଣକୁ ଗିରଫ କରିଥିଲା। ପରେ ପୁଲିସ୍‌ ଏହାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ୧୬ଜଣ ସାକ୍ଷୀ ଓ ୧୭ଟି ଦସ୍ତାବିଜ୍‌ ଆଧାରରେ ବିଚାରପତି ଆଜି ଏହି ରାୟ ଶୁଣାଇଛନ୍ତି। ଅତିରିକ୍ତ ସ୍ବତନ୍ତ୍ର ସରକାରୀ ଓକିଲ ଆଶୁତୋଷ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର