ନିଶା ବେପାରୀ ଘରେ ବିଡ଼ାବିଡ଼ା ନୋଟ୍

୫୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଘରୁ ମିଳିଲା ନଗଦ ୩୫ ଲକ୍ଷ ଟଙ୍କା
ମହିଳାଙ୍କ ସମେତ ସହଯୋଗୀ ଗିରଫ
ମୁଖ୍ୟ କାର୍ପଟଦାର ପପୁ ଫେରାର
ଜବତ ଟଙ୍କାର ହେବ ଅର୍ଥନୈତିକ ତଦନ୍ତ

ଭୁବନେଶ୍ବର : ରାଜଧାନୀକୁ ନିଶା ମୁକ୍ତ କରିବା ପାଇଁ କମିସନରେଟ୍‌ ପୁଲିସ ଅଭିଯାନ ଚଳାଇଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରି ନିଶା ବେପାରୀଙ୍କୁ ଗିରଫ କରୁଛି କ୍ୟୁଏଟି ଓ ଏସ୍‌ଟିଏଫ୍‌। ଜବତ ହେଉଛି କୋଟିକୋଟି ଟଙ୍କାର ବ୍ରାଉନସୁଗାର, ଗଞ୍ଜେଇ। ହେଲେ ଏତେ ବେପାରୀ ଧରା ହେଉଥିଲେ ବି ନିଶା କାରବାର କମିବା ନାଁ ନେଉନାହିଁ। ଏବେବି ବସ୍ତିଠୁ ନେଇ ସହରତଳି ଅଞ୍ଚଳ ପର୍ଯ୍ୟନ୍ତ ବେଧଡ଼କ ବିକ୍ରି ହେଉଛି ବ୍ରାଉନସୁଗାର। ତେବେ ବୁଧବାର କମିସନରେଟ୍‌ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସହିଦନଗର ଥାନା କେଶୁରା ଅଞ୍ଚଳରେ ଚଢ଼ଉ କରି କମିସନରେଟ୍‌ ପୁଲିସର କୁଇକ୍‌ ଆକ୍ସନ ଟିମ୍‌(କ୍ୟୁଏଟି) ଜଣେ ମହିଳା ନିଶା ବେପାରୀ ଓ ତା’ର ଜଣେ ସହଯୋଗୀକୁ ଗିରଫ କରିଛି ଏବଂ ସେମାନଙ୍କ ନିକଟରୁ ୫୫୦ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛି, ଯାହାର ବଜାର ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ସବୁଠାରୁ ବଡ଼ କଥା ହେଲା, ଏହି ମହିଳା ନିଶା ବେପାରୀ ଘରୁ ପୁଲିସ ନଗଦ ପ୍ରାୟ ୩୫ ଲକ୍ଷ ଟଙ୍କା ଜବତ କରିଛି। କୌଣସି ନିଶା ବେପାରୀ ଘରୁ ଏତେ ପରିମାଣରେ ନଗଦ ଟଙ୍କା ଜବତ ହେବା କମିସନରେଟ ପୁଲିସ ଇତିହାସରେ ପ୍ରଥମ ଘଟଣା ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଏବଂ ଏହା ସହିତ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ଜାଣିବା ଲାଗି ଏହାର ଅର୍ଥନ‌ୈତିକ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଗିରଫ ନିଶା ବେପାରୀ ଦ୍ବୟ ହେଉଛନ୍ତି, ଖୋର୍ଦ୍ଧା ରାମେଶ୍ବର ମଧୁବନର ଶମ୍ଭୁନାଥ ବାରିକ ଓରଫ୍‌ ପପୁର ପତ୍ନୀ ପିଙ୍କି ଦାସ ଓ ତା’ର ସହଯୋଗୀ ଜଳେଶ୍ବର ଶାଳିକୋଠାର ବିଶ୍ବରଞ୍ଜନ ରାଉତ ଓରଫ ମଣ୍ଟୁ। ତେବେ ପପୁ ହିଁ ଏହି ବେପାରର ମୁଖ୍ୟ କାର୍ପଟଦାର ବୋଲି ପୁଲିସ କହିଛି। ସେ ଫେରାର ଥିବାରୁ ପୁଲିସ ତା’ସମ୍ବନ୍ଧରେ ସମସ୍ତ ତଥ୍ୟ ହାସଲ କରାଯିବା ସହ ତା’କୁ ଧରିବା ଲାଗି ତନାଘନା ଚଳାଇଛି। ଏହା ସହିତ ନିଶା କାରବାରରେ ବ୍ୟବହାର ହେଉଥିବା ଏକ କାର୍‌ ଓ ୨ଟି ବାଇକ୍‌ ଏବଂ ୬ଟି ଦାମୀ ମୋବାଇଲ ଫୋନ୍‌ ମଧ୍ୟ ଜବତ ହୋଇଛି।

ପାଇଖାନାରେ ଫିଙ୍ଗିଦେଲେ ଦେଢ଼ କେଜି!
ପପୁ ଓ ପିଙ୍କିଙ୍କ ଏହି ନିଶା କାରବାର ଉପରେ ନଜର ରଖିଥିଲା କ୍ୟୁଏଟି। ଗତକାଲି ସକାଳେ ୨ କେଜିରୁ ଊର୍ଦ୍ଧ୍ବ ଓଜନର ବ୍ରାଉନ୍‌ସୁଗାର ଧରି ଏକ କାର୍‌ ଭୁବନେଶ୍ବର ଆସିଥିବା ନେଇ ଖବର ପହଞ୍ଚିଥିଲା। ଗାଡ଼ି ନମ୍ବର ଥିଲା ଓଡି ୦୨ ଏଏସ୍‌ ୦୪୭୮। ଏହି ଗାଡ଼ିକୁ ଠାବ କରୁକରୁ ପୁଲିସ କେଶୁରାରେ ପହଞ୍ଚିଥିଲା। ପୁଲିସ ପପୁର ଏହି ଭଡ଼ାଘର ଦୁଆର ବାଡ଼େଇଥିଲେ ମଧ୍ୟ କେହି ଖୋଲିନଥିଲେ। ପୁଲିସ ଦୁଆର ଭାଙ୍ଗି ଦେବା ପାଇଁ ଧମକ ଦେବାରୁ କବାଟ ଖୋଲିଥିଲା ପିଙ୍କି। ସେତେବେଳେ ଘର ଭିତରେ ପିଙ୍କି ଓ ମଣ୍ଟୁ ରହିଥିଲେ। ତେବେ ସେମାନେ କିଛି ସମୟ ପୂର୍ବରୁ ପ୍ରାୟ ଦେଢ଼ କିଲୋଗ୍ରାମ୍‌ରୁ ଅଧିକ ଓଜନର ବ୍ରାଉନ୍‌ସୁଗାର ପାଇଖାନାରେ ଫିଙ୍ଗି ଦେଇଥିବା ବେଳ‌େ କିଛି ବ୍ରାଉନ୍‌ସୁଗାର ସେମାନେ ପୋଡ଼ି ନଷ୍ଟ କରିବାକୁ ମଧ୍ୟ ଉଦ୍ୟମ କରିଥିବା ଯାଞ୍ଚ ବେଳେ ଜଣାପଡ଼ଥିଲା। ଶେଷ‌ରେ ପ୍ରାୟ ଦେଢ଼ଘଣ୍ଟାର କସରତ ପରେ ପୁଲିସ ୫୫୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିବାକୁ ସକ୍ଷମ ହୋଇଥିଲା। ସେହିଭଳି ମୋଟାଅଙ୍କର ଟଙ୍କାକୁ ଲୁଚାଇବା ପାଇଁ ମଧ୍ୟ ଉଭୟ ଉଦ୍ୟମ କରିଥିଲେ। କିନ୍ତୁ ଯାଞ୍ଚ ‌ବେଳେ ଖଟତଳ, ପ୍ରେସରକୁକର, ପୁରୁଣା ଟିଭି ଖୋଳ ଭିତରୁ ବିଡ଼ାବିଡ଼ା ଟଙ୍କା ମିଳିଥିଲା। କିଛି ଦିନ ତଳେ ସେମାନେ ବହୁ ପରିମାଣର ବ୍ରାଉନସୁଗାର ଆଣି ବିକିବା ପରେ ଏହି ଟଙ୍କା ରୋଜଗାର ହୋଇଥିଲା ବୋଲି ଅଭିଯୁକ୍ତ ଦ୍ବୟ ସ୍ବୀକାର କରିଥିଲେ।

ଟାକ୍ସି ଚାଳକରୁ କୋଟିପତି
ପପୁ ଓ ପିଙ୍କି ବିବାହ ପରେ ଭରତପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଟାକ୍ସି ଚଳାଇ ପେଟ ପୋଷିବାକୁ ଯୋଜନା କରିଥିଲା ପପୁ। ତେବେ ଟାକ୍ସି ଚଳାଇବା ବେଳେ ସେ ନିଶା ବେପାରୀଙ୍କ ସଂସ୍ପର୍ଶରେ ଆସିଥିଲା। ଏହାପରେ ତା’କୁ ରାତାରାତି କୋଟିପତି ହେବାର ନିଶା ଘାରିଥିଲା‌। ପ୍ରଥମେ ସେ ବାଲେଶ୍ବରରୁ ୫୦ରୁ ଶହେ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଆଣି ବେପାର ଆରମ୍ଭ କରିଥିଲା। ଏଥିରୁ ଲକ୍ଷ ଳକ୍ଷ ଟଙ୍କା ‌ରୋଜଗାର ହୋଇଥିଲା। ଏଣେ ସେମାନଙ୍କ ହାବଭାବ ଦେଖି ଭରତପୁର ଅଞ୍ଚଳରେ ସାଧାରଣ ଲୋକଙ୍କ ସହ ପୁଲିସର ମଧ୍ୟ ନଜର ଆସିଯାଇଥିଲେ ଏହି ଦମ୍ପତି। ଏଣୁ ସେମାନେ ଦୁଇମାସ ତଳେ କେଶୁରା ଅଞ୍ଚଳକୁ ଚାଲି ଆ‌ସି ଆଉ ଏକ ଭଡ଼ାଘରେ ରହୁଥିଲେ। ପପୁର ସମ୍ପର୍କୀୟ ମଣ୍ଟୁ ହଂସପାଳରେ ଭଡ଼ାରେ ରହୁଥିଲା। ବେପାରରେ ସାହାଯ୍ୟ କରିବା ପାଇଁ ସେମାନେ ମଣ୍ଟୁକୁ ସାମିଲ କରିଥିଲେ। ପପୁ ବାଲେଶ୍ବରରୁ ମାଲ୍‌ ଆଣୁଥିଲା। ମଣ୍ଟୁ ଗ୍ରାହକ ଯୋଗାଡ଼ କରୁଥିଲା। ଅର୍ଡର ଅନୁସାରେ ପିଙ୍କି ପୁଡ଼ିଆ ପ୍ରସ୍ତୁତ କରୁଥିଲା। ଆଉ ସମସ୍ତଙ୍କ ନଜର ଆଢ଼ୁଆଳରେ ସେମାନଙ୍କର ଏହି ନିଶା ବେପାର ସୁରୁଖୁରୁରେ ଚାଲିଥିଲା।

୪ ମାସରେ ଜବତ ହେଲାଣି ୫ କେଜି
ବାଲେଶ୍ବରରୁ କିଏ ଏମାନଙ୍କୁ ବ୍ରାଉନସୁଗାର ଯୋଗାଉଥିଲା ଏବଂ ଭୁବନେଶ୍ବରରେ କେଉଁମାନେ ଗ୍ରାହକ ଥିଲେ; ଏସବୁର ଖୋଳତାଡ଼ କରୁଛି କମିସନରେଟ୍ ପୁଲିସ। ଯଦିଓ ପତି-ପତ୍ନୀଙ୍କର ପୂର୍ବରୁ ଅପରାଧ ରେକର୍ଡ ନାହିଁ; ତଥାପି ଖୋଜା ଚାଲିଛି। ମୂଳ ବେପାରୀଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ପୁଲିସ ପହଞ୍ଚିବ ‌ବୋଲି ଆଶା ରଖିଛି। ଉଭୟ ସହରକୁ ନିଶା ବେପାର ମୁକ୍ତ କରିବା ପାଇଁ ପୁଲିସ ଉଦ୍ୟମ ଅବ୍ୟାହତ ରଖିଛି। ୪ ମାସ ମଧ୍ୟରେ ୫ କିଲୋରୁ ଅଧିକ ଓଜନର ବ୍ରାଉନ୍‌ସୁଗାର ଜବତ ହୋଇ ସାରିଲାଣି। ଆଗକୁ ଏହି ଉଦ୍ୟମ ଅବ୍ୟାହତ ରହିବ ବୋଲି କହିଛନ୍ତି କମିସନର ଶ୍ରୀ ପ୍ରିୟଦର୍ଶୀ।

ସମ୍ବନ୍ଧିତ ଖବର