ରାଜଧାନୀରେ ବେଧଡ଼କ ବ୍ରାଉନ୍‌ସୁଗାର କାରବାର : ଚଢ଼ଉ ଚାଲିଛି, ବେପାର ବି ବଢ଼ୁଛି

ଭୁବନେଶ୍ୱର: ଦୁଇ ସପ୍ତାହ ମଧ୍ୟରେ କମିସନରେଟ ପୁଲିସ ଲକ୍ଷ୍ମୀସାଗର, ଶ୍ରୀଲିଙ୍ଗରାଜ, ଖଣ୍ଡଗିରି, ଇନ୍‌ଫୋସିଟି, ମଞ୍ଚେଶ୍ୱର ଥାନା ଅଧୀନ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ପୁଳାପୁଳା ବ୍ରାଉନସୁଗାର ଜବତ କରୁଛି। କିନ୍ତୁ ବ୍ରାଉନସୁଗାର ବେପାରୀଙ୍କ ଉପରେ ତିଳେ ମାତ୍ର ଫରକ୍‌ ପଡ଼ୁନାହିଁ। ବରଂ ବେପାର ବଢ଼ାଇ ଚାଲିଛନ୍ତି। ଜଣେ ପରେ ଜଣେ ପୁଲିସ ହାତରେ ଧରା ପଡ଼ି ଜେଲ୍‌ ଯାଉଛନ୍ତି। ପରେ ଜାମିନ୍‌ରେ ଆସି ପୁଣି ଥରେ କାରବାର ଆରମ୍ଭ କରି ଦେଉଛନ୍ତି। ରାଜଧାନୀର ହଳଦୀପଡ଼ିଆ ବସ୍ତି ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟି ଯାଇଛି। ମାତ୍ର ଶହେ ଟଙ୍କାରେ ମିଳୁଛି ବ୍ରାଉନସୁଗାର ପୁଡ଼ିଆ। ବେପାର ଚାଲିଛି କୋଡଓ୍ଵାର୍ଡରେ। ହଳଦୀପଡ଼ିଆ, ଭରତପୁର, ପୁରୁଣା ଭୁବନେଶ୍ୱର, ଡୁମୁଡୁମା ଓ ମଞ୍ଚେଶ୍ୱର ଅଞ୍ଚଳରେ ରହିଛି ବ୍ରାଉନସୁଗାରର ଡିପୋ। ଦିନ ରାତି ୨୪ ଘଣ୍ଟା ଏ ସବୁ ସ୍ଥାନରେ ବେଶ୍‌ ସହଜରେ ବ୍ରାଉନସୁଗାର ମିଳୁଛି। କିଛି ମହିଳା ଏ ସବୁ କାରବାରରେ ସଂପୃକ୍ତ ଅଛନ୍ତି। ବଡ଼ କଥା ହେଉଛି ବ୍ରାଉନସୁଗାର କାରବାର ଉପରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନାର୍କୋଟିକ୍ସ ବିଭାଗ ସମେତ ୬ଟି ଭିନ୍ନ ଭିନ୍ନ ବିଭାଗର କ୍ଷମତା ରହିଛି। ପୁଲିସ ଓ ଅବକାରୀ ବିଭାଗକୁ ଛାଡ଼ି ଦେଲେ ଅନ୍ୟ ୪ଟି ବିଭାଗ କାରବାର ରୋକିବା ଉପରେ ଧ୍ୟାନ ଦେଉନାହାନ୍ତି। ଫଳରେ ରାଜଧାନୀରେ ଏଭଳି କାରବାର ଏବେ ଧୀରେଧୀରେ ଉଗ୍ରରୂପ ନେବା ଆରମ୍ଭ କଲାଣି। ଯେଉଁ କାରଣରୁ ଏହାର ପ୍ରଭାବ ରାଜଧାନୀର ଯୁବବର୍ଗ ଉପରେ ପଡ଼ିବା ଆରମ୍ଭ କରିଛି। ଉପରୋକ୍ତ ସ୍ଥାନଗୁଡ଼ିକରେ କିଛି ଯୁବକ ଏଭଳି କାରବାର ଚଳାଉଛନ୍ତି। ସେମାନଙ୍କୁ ସହଯୋଗ କରୁଛନ୍ତି କେତେକ ମହିଳା ଓ ଛୋଟ ପିଲା। ଛୋଟ ପିଲାମାନେ ବସ୍ତିର ପ୍ରବେଶ ଓ ପ୍ରସ୍ଥାନ ପଥରେ ଜଗି ରହୁଛନ୍ତି। ପୁଲିସ କିମ୍ବା ଅବକାରୀ କେହି ଆସିବା କ୍ଷଣି ସେମାନେ ତୁରନ୍ତ ହୁଇସିଲ ବଜାଇ ସର୍ତକ କରାଇ ଦେଇଥାନ୍ତି। ହୁଇସିଲ ବାଜିବା କ୍ଷଣି ମହିଳାମାନେ ସେମାନଙ୍କ ଅନ୍ତବସ୍ତ୍ରଗୁଡ଼ିକ ଭିତରେ ବ୍ରାଉନସୁଗାର ପୁଡ଼ିଆକୁ ଲୁଚାଇ ଦେଇଥାନ୍ତି। ଫଳରେ ପୁଲିସ କିମ୍ବା ଅବକାରୀ ବିଭାଗ ଟେର ପାଇନଥାନ୍ତି। ଏୟାରପୋର୍ଟ ଓ କାରଗିଲ ରୋଡ୍‌ ଅଞ୍ଚଳରେ ଏବେ କିଛି ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରିବା ଆରମ୍ଭ କରିଛନ୍ତି। ଯାହା ସୂଚନା ମିଳିଛି, ରାଜଧାନୀକୁ ବାଲେଶ୍ୱର ଓ ଛତିଆ ବାଟ ହୋଇ ବ୍ରାଉନସୁଗାର ଆସୁଛି।

ହଳଦୀପଡ଼ିଆ, ଭରତପୁର, ଡୁମୁଡୁମା, ମଞ୍ଚେଶ୍ୱର, ପୁରୁଣା ଭୁବନେଶ୍ୱରରେ ଡିପୋ; ନାର୍କୋଟିକ୍ସ ସମେତ ୪ ବିଭାଗ ଚୁପ୍‌

ବ୍ରାଉନସୁଗାର କାରବାର ପଛରେ ରାଜଧାନୀରେ ଏକ ର‍୍ୟାକେଟ୍‌ କାମ କରୁଛି। ମୋଟା ଅଙ୍କର ବଟି ମଧ୍ୟ ଯାଉଛି ଅବକାରୀ ବିଭାଗଠାରୁ ଆରମ୍ଭ କରି ସ୍ଥାନୀୟ ପୁଲିସ, ନାର୍କୋଟିକ୍ସ ଅଧିକାରୀ, କଷ୍ଟମ ଅଧିକାରୀ ନିକଟକୁ। ବଡ଼ କଥା ହେଉଛି ବ୍ରାଉନସୁଗାର କାରବାର କରୁଥିବା ବ୍ୟବସାୟୀମାନଙ୍କୁ ଗିରଫ କରିବାକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ରାଜ୍ୟ ଅବକାରୀ ବିଭାଗ, କେନ୍ଦ୍ରୀୟ କଷ୍ଟମ ବିଭାଗ, କେନ୍ଦ୍ରୀୟ ଅବକାରୀ, କୋଷ୍ଟଗାର୍ଡ, ଡାଇରେକ୍ଟୋରେଟ୍‌ ରେଭେନ୍ୟୁ ଇଣ୍ଟେଲିଜେ୍‌ନ୍ସ ଭଳି ପ୍ରମୁଖ ଏକାଧିକ ତଦନ୍ତକାରୀ ସଂସ୍ଥା ରହିଛି। କିନ୍ତୁ ଏସବୁ ସଂସ୍ଥା କେବେ ବି ଭୁବନେଶ୍ୱରରେ ଚାଲିଥିବା ବ୍ରାଉନସୁଗାର କାରବାର ଉପରେ ଚଢ଼ଉ କରି ନାହିଁ କିମ୍ବା କୌଣସି ବେପାରୀଙ୍କୁ ଗିରଫ ମଧ୍ୟ କରିନାହିଁ। ଏ ସମ୍ପର୍କରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଲ୍ୟାଣ୍ଡ୍‌ ଲାଇନ୍‌ ନମ୍ବର-୦୬୭୪-୨୪୭୫୫୩୧କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା।

ସମ୍ବନ୍ଧିତ ଖବର