ଭୁବନେଶ୍ବର : କ୍ରାଇମ୍ବ୍ରାଞ୍ଚର ଏସଟିଏଫ୍ ହାତରେ ଗିରଫ ହୋଇଥିବା ଅନ୍ତରାଷ୍ଟ୍ରୀୟ ନିଶା ବେପାରୀ ସେକ୍ ରାଜାକୁ ମାରାଥନ ଜେରା ଚାଲିଛି। ବୁଧବାର ସାତ ଦିନିଆ ରିମାଣ୍ଡରେ ଆସିବା ପରେ ତଦନ୍ତକାରୀ ଅଧିକାରୀଙ୍କ ସହ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ପଚରା ଉଚରା ଚଳାଇଛନ୍ତି। ବ୍ରାଉନସୁଗାର ବେପାରର ବିଦେଶୀ ଲିଙ୍କ୍ ଜଣାପଡ଼ିବା ପରେ ଏହାର ପ୍ରମାଣ ପାଇଁ ଏସ୍ଟିଏଫ୍ ତନାଘନା କରୁଛି। ଜେରା ବେଳେ ରାଜାର ଆୟଠାରୁ ବହୁଗୁଣ ଅଧିକ ସମ୍ପତ୍ତି ଏସ୍ଟିଏଫ୍ ଠାବ କରିଛି। ଦାମୀ ବାଇକ୍, ଦାମୀ କାର୍ ଓ କୋଟି କୋଟି ଟଙ୍କାର ବହୁତଳ କୋଠାର ମୂଲ୍ୟ ହିସାବ ଚାଲିଛି। ଆଉ ଦୁଇଦିନ ରିମାଣ୍ଡ ଅବଧି ରହିଛି। ସମସ୍ତ ତଥ୍ୟ ହାସଲ ହେବା ପରେ ଆଇନ ଅନୁଯାୟୀ ସମସ୍ତ ବେଆଇନ ସମ୍ପତ୍ତି ଏହି ମାମଲା ସହ ବାଜ୍ୟାପ୍ତ ହେବ ବୋଲି କ୍ରାଇମ୍ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ବାପା ବି ଥିଲେ ଡ୍ରଗ୍ସ ମାଫିଆ
ରାଜାର ବାପା ବି ଥିଲେ ଡ୍ରଗ୍ସ୍ ମାଫିଆ। ପୂର୍ବରୁ ବିଭିନ୍ନ ସମୟରେ ଗିରଫ ହେବା ମଧ୍ୟ ନଜିର ରହିଛି। ନିକଟ ଅତୀତରେ ତାଙ୍କର ମୃତ୍ୟୁ ଘଟିଛି। ରାଜାର ଭାଇ ମଧ୍ୟ ଏଭଳି ବ୍ୟବସାୟ କରେ। ଯିଏ କି ଏବେ ଜେଲ୍ରେ ଅଛି। ଏଣୁ ଏହି ବ୍ୟବସାୟ ଉତ୍ତରାଧିକାରୀ ସୂତ୍ରରେ ରାଜା ପାଇଥିବା ଏସ୍ଟିଏଫ୍ ସନ୍ଦେହ କରୁଛି। ତେବେ ଚପଲ ଓ ଲୁଗାପଟା ବ୍ୟବସାୟ କରି ରାଜା ପେଟ ପୋଷୁଥିବା ରାଜାର ପ୍ରଥମ ପତ୍ନୀ ଓ ଶାଶୂ କହିଛନ୍ତି। ରିମାଣ୍ଡ ସମୟରେ ତାକୁ ଭେଟିବା ପାଇଁ ଆସିଥିବା ଉଭୟ ସୂଚନା ଦେଇଥିଲେ ମଧ୍ୟ ଏହି ବ୍ୟବସାୟରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିବା ସମ୍ଭବ ନୁହେଁ ବୋଲି ଏସ୍ଟିଏଫ୍ ସ୍ପଷ୍ଟ କରିଛି।
ବିଦେଶୀ ଲିଙ୍କ୍ ନେଇ ତନାଘନା
ରାଜାର ବିଦେଶୀ ଲିଙ୍କ୍ ନେଇ ତନାଘନା କରୁଛି ଏସ୍ଟିଏଫ୍। ରାଜା ଏକାଧିକ ବାର ବିଦେଶ ଯିବା ସହ ନିୟମିତ ଗୋଆ ଯାଉଥିବା ଏସ୍ଟିଏଫ୍ ଜାଣିବାକୁ ପାଇଛି। କିନ୍ତୁ କେବଳ ବୁଲିବା ପାଇଁ ଏକାଧିକ ବାର ବିଦେଶ ଓ ଗୋଆ ଯିବାକୁ ନେଇ ଏସ୍ଟିଏଫ୍ ଖୋଳତାଡ଼ କରୁଛି। ଏଥିରେ ଡ୍ରଗ୍ସ ବେପାର ଲିଙ୍କ୍ ଥିବା ଏସ୍ଟିଏଫ୍ ସନ୍ଦେହ କରୁଛି। ଏହି ସବୁ ସ୍ଥାନମାନଙ୍କରେ କିଏ ରାଜା ସହ ଯୋଗାଯୋଗରେ ଥିଲା ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ଏସ୍ଟିଏଫ୍ ଯୋଜନା କରୁଛି। ରାଜାକୁ ପଚରା ଉଚରା ସହ ତା’ର ଟେଲିଫୋନ୍ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି। ଏଥିରୁ ଅନେକ ତଥ୍ୟ ମିଳିବା ସହ ଅନେକଙ୍କ ପାଖରେ ପହଞ୍ଚି ହେବ ବୋଲି ଏସ୍ଟିଏଫ୍ ଆଶା ରଖିଛି।