ଭୁବନେଶ୍ବର: ନେପାଳ ଓ ପଶ୍ଚିମବଙ୍ଗରୁ ବ୍ରାଉନ୍ସୁଗାର ଆଣି ଓଡ଼ିଶାରେ ଯୋଗାଉଥିଲେ। ରାଜଧାନୀରେ ଏଜେଣ୍ଟ ରଖି ଆଖପାଖ ଜିଲ୍ଲାକୁ ଚାଲାଣ କରୁଥିଲେ। ନିଶା ଟଙ୍କାରେ ଦାମୀ ଗାଡ଼ି, ଗହଣା କଣିବା ସହ ତାରକା ହୋଟେଲ୍ରେ ମଉଜ କରୁଥିଲେ। ଏଭଳି ଏକ ନିଶା ମାଫିଆ ରୢାକେଟ୍ର ପର୍ଦାଫାଶ କରିଛି କମିସନରେଟ୍ ପୁଲିସ ସ୍ପେସାଲ୍ କ୍ରାଇମ୍ ୟୁନିଟ୍(ଏସ୍ସିୟୁ)। ରୢାକେଟ୍ର ମାଷ୍ଟର୍ମାଇଣ୍ଡ କୁହାଯାଉଥିବା ମହିଳା ଖୋର୍ଦ୍ଧା ଜିଲ୍ଲା ଟାଉନ୍ ଥାନା ଅଞ୍ଚଳର ଅନିତା ପରମଗୁରୁ ଓରଫ ଲିନା(୪୧), ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ରାଜେନ୍ଦ୍ର କୁମାର ସାହୁ ଓରଫ ରାଜା(୩୨) ଓ ଶିବ ପ୍ରସାଦ ଦାଶ ଓରଫ ସୋନୁ(୨୮)କୁ ଏସ୍ସିୟୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୫୦ ଗ୍ରାମ ଓଜନର ବ୍ରାଉନ୍ସୁଗାର, ୨ଟି ଦାମୀ କାର, ୫୦ ଗ୍ରାମରୁ ଅଧିକ ଓଜନର ସୁନାଗହଣା ଓ ନଗଦ ୫ଲକ୍ଷ ଟଙ୍କା ଜବତ କରାଯାଇଛି। ପୁଲିସ ସେବାଭବନରେ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି(ଏସ୍ସିୟୁ) ଅନୁପ୍ କାନୁନ୍ଗୋ ଏହି ରୢାକେଟ୍ର ଗୁମର ଖୋଲିଛନ୍ତି।
ମହିଳାଙ୍କ ସମେତ ୩ ମାଫିଆ ଗିରଫ
୬୦ ଲକ୍ଷର ବ୍ରାଉନ୍ସୁଗାର, ୨ ଦାମୀ କାର, ୫ ଲକ୍ଷ ଟଙ୍କା, ଗହଣା ଜବତ
ସୂଚନା ମୁତାବକ, ଦୀର୍ଘଦିନ ହେବ ଲିନା ରାଜଧାନୀରେ ରହି ଧଳାଜହର ବ୍ୟବସାୟ ଚଳାଇଥିଲା। ଏଥିପାଇଁ ସେ ବିଭିନ୍ନ ଏଜେଣ୍ଟ ସୃଷ୍ଟି କରିଥିଲା। ସେମାନଙ୍କୁ ମୋଟା ଅଙ୍କର କମିସନ ଦେଇ ବିଭିଜନ୍ନ ଜିଲ୍ଲାର ଖୁଚୁରା ବ୍ୟବସାୟୀଙ୍କୁ ବ୍ରାଉନ୍ସୁଗାର ଯୋଗାଉଥିଲା। ଯେଭଳି ପୁଲିସ କି କୌଣସି ଗୁଇନ୍ଦା ସଂସ୍ଥା ତାର ବ୍ୟବସାୟ ସମ୍ପର୍କରେ ଟେର୍ ପାଇପାରିବ ନାହିଁ ଏଥିପାଇଁ ସେ ନେପାଳ ଓ ପଶ୍ଚିମବଙ୍ଗରୁ ପାର୍ସଲ ମାଧ୍ୟମରେ ବ୍ରାଉନ୍ସୁଗାର ମଗାଉଥିଲା। ବ୍ରାଉନ୍ସୁଗାର ରାଜଧାନୀରେ ପହଞ୍ଚିବା ପରେ ଏଜେଣ୍ଟଙ୍କ ମାଧ୍ୟମରେ କୋଡ୍ୱାଡ୍ ବ୍ୟବହାର କରି ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଖୋର୍ଦ୍ଧା ଆଦି ଜିଲ୍ଲାକୁ ପଠାଉଥିଲା। କିଛି ମାସ ତଳେ ଏସ୍ସିୟୁ ହାତରେ ଖବରଲାଗିବା ପରେ ଡିସିପି ଅନୁପ୍ କୁାନୁନ୍ଗୋ ରୢାକେଟ୍କୁ ଠାବ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ। ତେବେ ଗତାକାଲି ରାତିରେ ଜଟଣୀ ହରିରାଜପୁର ନିକଟରେ ବ୍ରାଉନ୍ସୁଗାର କାରବାର ନେଇ ବଡ଼ ଡିଲ୍ ହୋଇଥିବା ଜାଣିବା ପରେ ଡିସିପି ଶ୍ରୀ କାନୁନ୍ଗୋ ଓ ତାଙ୍କର ଦୁଇଟି ଟିମ୍ ବିଳମ୍ବିତ ରାତିରେ ଚଢ଼ଉ କରି ଲିନା ଓ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରିବା ସହ ୫୫୦ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର ଜବତ କରିଥିଲେ। ପରେ ଏସ୍ସିୟୁ ଟିମ୍ ସେମାନଙ୍କ ଘରୁ ନଗଦ ଟଙ୍କା ଓ ସୁନାଗହଣା ଜବତ କରିଥିଲା। ଏସ୍ସିୟୁ ସେଲ୍କୁ ଆଣି ଜେରା ପରେ ସେମାନେ ନିଶା ବ୍ୟବସାୟ ସମ୍ପର୍କରେ ମାନିଥିଲେ। ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଏହି ରୢାକେଟ୍ ପଛରେ କିଛି ବଡ଼ ମାଫିଆଙ୍କ ହାତ ଥିବା ଏସ୍ସିୟୁ ହାତରେ ଖବର ଲାଗିବା ପରେ ସେ ଦିଗରେ ଅଧିକ ଖୋଳତାଡ଼ କରିଛି। ଏଥିପାଇଁ ୩ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସିଡିଆର୍ ରିପୋର୍ଟ ଯାଞ୍ଚ କରାଯାଉଛି। ଏମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାତାଇବା ପରେ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/18/drugs-2025-10-18-02-55-24.jpg)