ବ୍ରାଉନସୁଗାର ହଡ଼ପ ଅଭିଯୋଗ: ଶ୍ରେଷ୍ଠ ଏସ୍‌ଆଇ ନିଲମ୍ବିତ

ଭୁବନେଶ୍ୱର: ସେ ଥିଲେ ଚଳିତ ବର୍ଷର କମିସନରେଟ୍‌ ପୁଲିସର ଶ୍ରେଷ୍ଠ ଅଧିକାରୀ। ପ୍ରଶଂସାରେ ତାଙ୍କୁ ପୋତି ପକାଇଥିଲା ପୂରା ପୁଲିସ ବିଭାଗ। ଗତ ମେ’ ମାସରେ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। କିନ୍ତୁ ଏହି ତିନି ମାସ ମଧ୍ୟରେ ସବୁ କିଛି ବଦଳି ଯାଇଛି। ବର୍ତମାନ ସେ କମିସନରେଟ୍‌ ପୁଲିସର ସବୁଠାରୁ ବଡ଼ ଖଳନାୟକ ଆଖ୍ୟା ପାଇଛନ୍ତି। ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ତାଙ୍କ ଟିମ୍‌କୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି। ସେ ହେଉଛନ୍ତି କମିସନରେଟ ପୁଲିସର ଆଖି, କାନ କୁହାଯାଉଥିବା କୁଇକ୍‌ ଆକ୍ସନ ଟିମ୍‌ ମୁଖ୍ୟ ଏସ୍‌ଆଇ ଦୀପକ ଲେଙ୍କା।

ଏସ୍‌ଆଇ ଲେଙ୍କାଙ୍କୁ କମିସନରେଟ୍‌ ପୁଲିସ ଅଞ୍ଚଳରେ ନିଶା କାରବାର ରୋକିବା ଲାଗି ସଂପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଗତ କିଛି ମାସ ହେବ ସେ ବ୍ରାଉନସୁଗାର୍‌ କାରବାର କରୁଥିବା ମାଫିଆମାନଙ୍କ ଉପରେ ଚଢ଼ଉ କରିବା ଆଳରେ ଲକ୍ଷାଧିକ ଟଙ୍କା ବ୍ରାଉନସୁଗାର୍‌ ହଡ଼ପ କରିଛନ୍ତି। କେତେ ଟଙ୍କା ଓ କେଉଁ ବେପାରୀଙ୍କଠାରୁ ବ୍ରାଉନସୁଗାର୍‌ ହଡ଼ପ ହୋଇଛି ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇ ନ ଥିଲେ ମଧ୍ୟ ଏଭଳି ପୁଳାପୁଳା ଅଭିଯୋଗ  କମିସନରେଟ ପୁଲିସର କୁଇକ୍‌ ଆକ୍ସନ ଟିମ୍‌ ବିରୋଧରେ ଆସିଥିଲା। ଯାହାର  ଭିତିରି ଅନୁସନ୍ଧାନ କରାଯାଇଥିଲା। ଶେଷରେ ସ୍ପଷ୍ଟ ହୋଇଥିଲା କି ଟିମ୍‌ ମୁଖ୍ୟ ତଥା ଏସ୍‌ଆଇ ଦୀପକ ଲେଙ୍କା ଏଭଳି ସାଂଘାତିକ କାରବାରରେ ସଂପୃକ୍ତ ଅଛନ୍ତି। ଏଭଳି ରିପୋର୍ଟ ଗତକାଲି ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କୁ ହସ୍ତଗତ ହେବା ପରେ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହାସହ କ୍ୟୁଏଟି ଟିମ୍‌କୁ ଭାଙ୍ଗି ଦିଆଯାଇ ସମସ୍ତ କର୍ମଚାରୀଙ୍କୁ ନିଜ ନିଜ ପୂର୍ବ ସ୍ଥାନକୁ ପଠାଇ ଦିଆଯାଇଛି।

ଭାଙ୍ଗିଲା କ୍ୟୁଏଟି

ନିଲମ୍ବିତ କାରଣକୁ ନେଇ ପୁଲିସ ମହଲରେ ଚର୍ଚ୍ଚା

ପୁଣି ଥରେ ଗଠନ ହେବ କ୍ୟୁଏଟି: ପୁଲିସ କମିସନର

କ୍ୟୁଏଟି ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି, ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଛି। ଏହି କାରଣରୁ ଏସ୍‌ଆଇ ଦୀପକ ଲେଙ୍କାଙ୍କୁ ନିଲମ୍ବିତ କରାଯାଇଛି। ଖୁବ୍‌ ଶୀଘ୍ର ନୂଆ ଟିମ୍‌କୁ ନେଇ କ୍ୟୁଏଟି ଗଠନ ହେବ। ପ୍ରକାଶଥାଉକି, ତତ୍କାଳୀନ ପୁଲିସ କମିସନର୍‌ ତଥା ବର୍ତମାନର ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଥମେ କ୍ୟୁଏଟି ଗଠନ କରିଥିଲେ। ସେତେବେଳେ ଏହାର ମୁଖ୍ୟ ଥିଲେ ଆକାଶ ରଣା। ତତ୍କାଳୀନ ପୁଲିସ କମିସନର ରାଜେନ୍ଦ୍ର ଶର୍ମାଙ୍କ ବଦଳି ଭିଜିଲାନ୍ସକୁ ହେବା ପରେ ନୂଆ କରି ପୁଲିସ କମିସନର ଭାବେ ଯୋଗ ଦେଇଥିଲେ ଆଇପିଏସ୍‌ ଯୋଗେଶ ବାହାଦୁର ଖୁରାନିଆ। ସେ ଯୋଗ ଦେବା ପରେ କ୍ୟୁଏଟିକୁ ଭାଙ୍ଗି ଦେବା ସହିତ ଆକାଶ ରଣାଙ୍କୁ କ୍ୟୁଏଟିରୁ ଥାନାକୁ ବଦଳି କରି ଦେଇଥିଲେ। ତାଙ୍କ ସ୍ଥାନରେ ଏସ୍‌ଆଇ ଦୀପକ ଲେଙ୍କା କ୍ୟୁଏଟି ମୁଖ୍ୟ ହୋଇଥିଲେ। ଶ୍ରୀ ଖୁରାନିଆଙ୍କ ବଦଳି ପୁଲିସ ମୁଖ୍ୟାଳୟକୁ ହେବା ପରେ ପୁଲିସ କମିସନର ଭାବେ ସତ୍ୟଜିତ ମହାନ୍ତି ଯୋଗ ଦେଇଥିଲେ। ଏବେ କ୍ୟୁଏଟିକୁ ପୁଣି ଥରେ ଭାଙ୍ଗି ଦେବା ଓ ଏସ୍‌ଆଇ ଲେଙ୍କାକୁ ନିଲମ୍ବିତ କରିବା ପଛରେ ଏକ ଭିନ୍ନ କାରଣ ରହିଛି ବୋଲି କୁହାଯାଉଛି। ପୁଲିସ ବିଭାଗର ଆଇପିଏସ୍‌ଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ତାଙ୍କୁ ବଳି ପକା ଯାଇଥିବା ପୁଲିସ ମହଲରେ ଚର୍ଚ୍ଚା ହେଉଛି। କାରଣ ଗତ କିଛି ଦିନ ତଳେ କମିସନରେଟ ପୁଲିସର ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବେ ଏସ୍‌ଆଇ ଦୀପକ ଲେଙ୍କାଙ୍କୁ ପୁରସ୍କୃତ କରାଯାଇଥିଲା। ଏ ସଂପର୍କରେ ନିଲମ୍ବିତ ଏସ୍‌ଆଇ ଦୀପକ ଲେଙ୍କା କହିଛନ୍ତି, ମୁଁ ନିର୍ଦୋଷ, ମୋ ପ୍ରତି ଘୋର ଅନ୍ୟାୟ ହୋଇଛି।

ସମ୍ବନ୍ଧିତ ଖବର