ଏତେ ପାରଙ୍ଗମ ଆମ ଅବକାରୀ, ପୁଲିସ୍: ଧଳା ଜହରର ମୂଳ ଅପହଞ୍ଚ
ପୁଲିସ, ଅବକାରୀ ଓ ବେପାରୀଙ୍କ ତ୍ରିକୋଣୀୟ ପ୍ରେମ, ବର୍ଷକରେ ୭୦ ଗିରଫ, ଜଣେ ବି ରିମାଣ୍ଡରେ ଆସିନାହାନ୍ତି
ଭୁବନେଶ୍ୱର(ବିବୁଧ ମହାନ୍ତି): ରାଜଧାନୀରେ କାୟା ମେଲାଇଛି ବ୍ରାଉନ୍ ସୁଗାର (ଧଳା ଜହର)। ପୁଲିସ ଓ ଅବକାରୀ ବିଭାଗ ଯେତିକି ମାତ୍ରାରେ ଜବତ କରୁଛି, ବଜାରରେ ତାହାର ଢେର୍ ଗୁଣା ଅଧିକ ପଶୁଛି। ଏପରିକି ଦିନକୁ ଦିନ ନୂଆ ନୂଆ ବେପାରୀ ଏହି ବଜାରରେ ପଶୁଛନ୍ତି। ଏବେ ଚୋରା ଗଞ୍ଜେଇ ବେପାରୀ ଯେତିକି ଗିରଫ ହେଉନାହାନ୍ତି ତାହାଠାରୁ ବହୁ ଅଧିକ ଧଳା ଜହର ବେପାରୀ ଧରା ପଡ଼ୁଛନ୍ତି। କିନ୍ତୁ ନା ଅବକାରୀ ନା ପୁଲିସ କେହି ଏହି ଧଳା ଜହରର ମୂଳ ପାଉନାହାନ୍ତି। କେବଳ ଖୁଚୁରାଙ୍କୁ ଧରି କମିସନରେଟ୍ ପୁଲିସ/ଅବକାରୀ ସାବାସି ନେଉଛି। ରାଜଧାନୀ ବଜାରକୁ କିଏ ଏହି ଧଳା ଜହର ଛାଡ଼ୁଛି। ଦିନକୁ କେଜି କେଜି ବ୍ରାଉନ ସୁଗାର କେଉଁଠୁ ଆସୁଛି, କିଏ ଆଣୁଛି, କିପରି ଏହାକୁ ସପ୍ଲାଇ ହେଉଛି ତାହା କେହି ଖୋଜିପାରୁନାହାନ୍ତି। ଖୋଜିବାର ବି ଆଗ୍ରହ ନାହିଁ। ଯେଉଁଥିପାଇଁ ଆଜିଯାଏଁ ଜଣେ ବି ବ୍ରାଉନ୍ ସୁଗାର ବେପାରୀକୁ ପୁଲିସ ରିମାଣ୍ଡକୁ ଆଣିନି କି ଏହାର ଚେର ଯାଏଁ ପହଞ୍ଚିବାକୁ ଚେଷ୍ଟା କରିନି। ଯାହାର ଫାଇଦା ନେଇ ଭୁବନେଶ୍ବର ଏବେ ଧଳା ଜହରର ହବ୍ ପାଲଟିଗଲାଣି। କେବଳ ହବ୍ ପାଲଟିନି, ବରଂ ରାଜଧାନୀରେ ଯେତିକି ଅପରାଧ ଘଟୁଛି ସେଥିରୁ ଅଧିକାଂଶ ଧଳା ଜହର ଯୋଗୁଁ ହିଁ ହେଉଛି ବୋଲି ପୁଲିସ ମାନିବା ସତ୍ତ୍ବେ ବି ଏହାର ଚେର ଖୋଜିବାକୁ ଉଦ୍ୟମ ନକରିବା କମିସନରେଟ୍ ପୁଲିସ/ଅବକାରୀ ବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ନ ଉଠାଇଛି। କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ବାଡ୍, କ୍ୟୁଏଟି ଖୁଚୁରା ଚୋର/ଦଲାଲ୍ଙ୍କୁ ଧରି ବଡ଼ ବାବୁଙ୍କଠାରୁ ପୁରସ୍କାର ନେଉଛନ୍ତି। ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ବାଡ୍ ବି ଦେଶୀ ମଦ ଧରି ମନ ବୁଝାଇ ଦେଉଛି। କ୍ରାଇମ୍ ବ୍ରାଞ୍ଚ୍ ବି ଗୋଟିଏ ମାମଲାକୁ ବର୍ଷ ବର୍ଷ ଧରି ତଦନ୍ତ କରି ବହୁତ ବଡ଼ ସଫଳତା ପାଇଯାଉଛି ବୋଲି ଭାବୁଛି। ବଡ଼ ବାବୁମାନେ ବି ଏହି ତାଲିକା ଦେଖି ପୁରସ୍କାର ଅଜାଡ଼ି ଦେଉଛନ୍ତି। କିନ୍ତୁ ଧଳା ଜହର ପଛରେ କେହି ନାହାନ୍ତି। ଖାତାରେ ରେକର୍ଡ ଠିକ୍ ରଖିବାକୁ ପୁଲିସ ଓ ଅବକାରୀ ବିଭାଗ ଖୁଚୁରା ବେପାରୀଙ୍କଠାରୁ ଆଗକୁ ମାଡ଼ୁ ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସହଜରେ ମିଳି ଯାଉଛି ଜାମିନ୍
ତ୍ରୁଟିଯୁକ୍ତ ପ୍ରକ୍ରିୟା ଅଭିଯୁକ୍ତକୁ ଶୀଘ୍ର ଜାମିନ୍ରେ ଆସିବା ପାଇଁ ସାହାଯ୍ୟ କରିଥାଏ। ଏକ ମାସରୁ ୬ ମାସ ମଧ୍ୟରେ ଅଭିଯୁକ୍ତ ଜାମିନ୍ରେ ଆସି ପୁଣି ଥରେ ବେପାରେ ଆରମ୍ଭ କରିଥାଏ। ଭୁବନେଶ୍ବରରେ ବିଗତ ଗୋଟିଏ ବର୍ଷର ମାମଲାକୁ ବିଚାରକୁ ନେଲେ ୮୫ ଗ୍ରାମ୍ ପର୍ଯ୍ୟନ୍ତ ଜବତ ବ୍ରାଉନ୍ ସୁଗାର ମାମଲାରେ ଭୁବନେଶ୍ବର କୋର୍ଟରେ ହିଁ ଜାମିନ୍ ମିଳିଥିବା ପରିଲକ୍ଷିତ ହୋଇଛି। ଏହା ଠାରୁ ଅଧିକ ଓଜନର ବ୍ରାଉନ ସୁଗାର ଜବତ ମାମଲାରେ ଅଭିଯୁକ୍ତ ଜାମିନ ନାମଞ୍ଜୁର ହେବା ପରେ ହାଇକୋର୍ଟରେ ମଧ୍ୟ ଅଧିକାଂଶ ମାମଲାରେ କମ୍ ଦିନ ମଧ୍ୟରେ ଜାମିନ୍ ମିଳିଥିବା ପରିଲକ୍ଷିତ ହୋଇଛି।
ଦଫା ସହ ଖେଳ
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ପୁଲିସ ଓ ଅବକାରୀ ରେକର୍ଡ ଅନୁଯାୟୀ, ୯୦ ପ୍ରତିଶତ ବ୍ରାଉନ୍ ସୁଗାର ବେପାରୀ ଗିରଫ ହେଉଥିଲେ ହେଁ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି। ବରିଷ୍ଠ ଆଇନଜୀବୀଙ୍କ ମତରେ ପୁଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ଏହାର ମୂଳ କାରଣ ସାଜୁଛି। ଏହି ତ୍ରୁଟି ଅଜାଣତରେ ନୁହେଁ, ବରଂ ଜାଣି ଜାଣି ଖସାଇ ଦେବାକୁ ହେଉଛି। ଅବକାରୀ, ପୁଲିସ ଓ ଧଳା ଜହର ବେପାରୀଙ୍କ ତ୍ରିକୋଣୀୟ ପ୍ରେମ ଏହି ବେପାରକୁ ମୂଳପୋଛ କରିବା ପରିବର୍ତ୍ତେ ନୂଆ ଜୀବନ ଦେଉଛି। ଜଣେ ବରିଷ୍ଠ ଆଇନଜୀବୀଙ୍କ ସୂଚନା ଅନୁଯାୟୀ, ଏନ୍ଡିପିଏସ୍ (ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରିକ୍ ସବ୍ଷ୍ଟାନ୍ସେସ୍) ଆଇନ ବଳରେ ନିଶା ବେପାରୀଙ୍କୁ ଗିରଫ କରାଯାଏ। କିନ୍ତୁ ଆଇନର ଦଫା ସହ ଖେଳ ଖେଳି ବେପାରୀକୁ ଯେଭଳି ମୁକୁଳିବା ସହଜ ହେବେ ସେଥିପାଇଁ କାଗଜପତ୍ର ପ୍ରସ୍ତୁତ କରାଯାଏ। ୫ ଗ୍ରାମ୍ରୁ କମ୍ ରହିଲେ ଦଫା ୨୧-ଏ, ୫ଗ୍ରାମ୍ରୁ ୨୫୦ ଗ୍ରାମ୍ ପର୍ଯ୍ୟନ୍ତ ରହିଲେ ଦଫା ୨୧-ବି ଓ ୨୫୦ ଗ୍ରାମ୍ରୁ ଅଧିକ ରହିଲେ ଦଫା ୩୭(କମର୍ସିଆଲ କ୍ବାଣ୍ଟିଟି) ବଳରେ ମାମଲା ରୁଜୁ କରାଯାଏ। କୌତୂହଳପ୍ରଦ ହେଉଛି ଏକ ସମୟରେ ୨୫୦ ଗ୍ରାମ୍ରୁ ଊର୍ଦ୍ଧ୍ବ ବ୍ରାଉନ୍ ସୁଗାର ଜବତ କରିବା ନିକଟ ଅତୀତରେ ଦେଖାଯାଇ ନାହିଁ। ଯଦି କ୍ବଚିତ୍ ଧରାଯାଏ ତେବେ ପରୀକ୍ଷା ସମୟରେ ସେଥିରେ ପାଉଡର୍ ମାତ୍ରା ଅଧିକ ଓ ନିଶାଦ୍ରବ୍ୟ(ମର୍ଫିନ୍ ଓ ହିରୋଇନ୍) ପରିମାଣ କମ୍ ଥିବା ଦେଖାଯାଏ। ଫଳରେ ମାମଲା ବିଚାର ବେଳେ ‘କମର୍ସିଆଲ କ୍ବାଣ୍ଟିଟି’ ବୋଲି ପ୍ରମାଣିତ ହୋଇ ନପାରିବାରୁ ଅଭିଯୁକ୍ତ ଖସି ଯାଏ।
ଜବତ କରି ବାହାଦୁରି
ଗତ ବର୍ଷ କମିସନରେଟ୍ ପୁଲିସ ୮୩୩.୧୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଥିବା ବେଳେ ଅବକାରୀ ବିଭାଗ ମଧ୍ୟ ୪ଶହରୁ ଊର୍ଦ୍ଧ୍ବ ଗ୍ରାମ୍ର ଜବତ କରିଛି। ଏଥିରେ ପ୍ରାୟ ୭୦ଜଣଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇଛି। ଟାର୍ଗେଟ୍ଠାରୁ ଅଧିକ ଜବତ କରି ଉଭୟ ବିଭାଗ ବାହାଦୁରି ନେଇଛନ୍ତି। କିନ୍ତୁ ଜଣଙ୍କୁ ବି ଅଟକ ରଖି ପଚରାଉଚରା କରାଯାଇନି। ରିମାଣ୍ଡରେ ଆଣିବା ତ ଦୂରର କଥା। ବ୍ରାଉନ୍ ସୁଗାର ଉପରେ ନିୟନ୍ତ୍ରଣ ହାସଲ କରିଥିବା କହିଛନ୍ତି। କମିସନରେଟ୍ ପୁଲିସ କହୁଛି ବ୍ରାଉନ୍ ସୁଗାର ବେପାର ଉପରେ ନିୟନ୍ତ୍ରଣ ରହିଛି। ହେଲେ କେମିତି ନିୟନ୍ତ୍ରଣ ରହିଛି ତାହା ରାଜଧାନୀର ଗଳିକନ୍ଦିରେ ବୁଲୁଥିବା ନିଶାଡ଼ିଆଙ୍କୁ ଦେଖିଲେ ଜଣାପଡ଼ୁଛି।
ରିପୋର୍ଟରେ ଜଣାପଡ଼ୁନି କେତେ ନିଶାଦ୍ରବ୍ୟ ଅଛି
ରାଜଧାନୀରେ ଥିବା ଏସ୍ଏଫ୍ଏସ୍ଏଲ୍ (ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାେବାରେଟୋରି) କୁ ଜବତ ହେଉଥିବା ବ୍ରାଉନ ସୁଗାରର ନମୁନା ପରୀକ୍ଷା ପାଇଁ ପଠାଯାଏ। ‘ପରୀକ୍ଷା ହୋଇଥିବା ମାଲ୍ରେ ନିଶାଦ୍ରବ୍ୟ ଅଛି’ ବୋଲି ଫରେନସିକ୍ ଲାବୋରେଟାରି କେବଳ ଉପର ଠାଉରିଆ ରିପୋର୍ଟ ଦିଏ। ଏହି ସଂଖ୍ୟା ହେଉଛି ଜବତ ହେଉଥିବା ୯୦% ବ୍ରାଉନସୁଗାର ମାମଲାର ରିପୋର୍ଟ। ହେଲେ କେତେ ପରିମାଣରେ ନିଶା ଦ୍ରବ୍ୟ ଅଛି ତାହା ନିର୍ଦ୍ଦିଷ୍ଟ ଜଣାପଡ଼ୁ ନଥିବାରୁ ଅଭିଯୁକ୍ତ ଖସିବା ସହଜ ହୋଇଯାଉଛି। ମାମଲାର ଗୁରୁତ୍ବ ରହିଲେ ନମୁନା ହାଇଦ୍ରାବାଦ୍ ଯାଏ, ସେଠାରୁ ଆସୁଥିବା ରିପୋର୍ଟରେ ନିଶାଦ୍ରବ୍ୟ ରହିଥିବା ପରିମାଣର ସ୍ପଷ୍ଟ ଉଲ୍ଲେଖ ଥାଏ। ହେଲେ ପୁଲିସକୁ ବ୍ରାଉନସୁଗାର ନମୁନା ହାଇଦ୍ରାବାଦ ପଠାଇବାକୁ ଅଡ଼ୁଆ ଲାଗୁଛି।
ତ୍ରୁଟିପୂର୍ଣ୍ଣ ତଦନ୍ତରୁ ଖସି ଯାଉଛନ୍ତି
ଭୁବନେଶ୍ବରରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ବେପାରର ଜଡ଼ ରହିଛି। କମିସନରେଟ୍ ପୁଲିସ, ଅବକାରୀ ବିଭାଗ ଏକାଠି ହୋଇ ଏହାର ମୂଳୋତ୍ପାଟନ ଚାହିଁଲେ ଏହା ଅସମ୍ଭବ ହେବ ନାହିଁ। କିନ୍ତୁ ବାସ୍ତବରେ ଉଦ୍ୟମ ହେବା ଭଳି ମନେ ହେଉ ନାହିଁ। ତଦନ୍ତ ସମୟରେ ଯେଭଳି ତ୍ରୁଟି ରହିବ ନାହିଁ ସେଥିପ୍ରତି ଅଧିକାରୀ ମଧ୍ୟ ତତ୍ପର ହେଉ ନାହାନ୍ତି। ତ୍ରୁଟିପୂର୍ଣ୍ଣ ତଦନ୍ତ ହିଁ ବ୍ରାଉନସୁଗାର ବେପାରୀଙ୍କୁ ଖସାଇ ଦେଉଛି।
ଶୈଳେନ୍ଦ୍ର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ
ଦଫା କୋହଳ ଅଭିଯୋଗ ସତ ନୁହେଁ
ପୁଲିସ ଦଫା କୋହଳ କରିବା ଅଭିଯୋଗ ସତ ନୁହେଁ। ଏହି ବ୍ରାଉନ ସୁଗାର ମୂଳୋତ୍ପାଟନ ପାଇଁ ଆମର ଉଦ୍ୟମ ଜାରି ରହିଛି। ୨୫୦ ଗ୍ରାମ୍ରୁ ଅଧିକ କେହି ରଖିଲେ ଆମେ ଧରିବାରେ କୌଣିସି ସମସ୍ୟା ନାହିଁ। କିନ୍ତୁ କେଉଁଠୁ ଅଭିଯୋଗ ଆସିଛି ଆମେ ଧରିନାହୁଁ, ତାହା ହୋଇ ନାହିଁ। କିନ୍ତୁ ଛୋଟିଆ ଛୋଟିଆ ପୁଡ଼ିଆ ଯଦି କିଏ ଶରୀରରେ କେଉଁଠି ଲୁଚାଇ ରଖିଦିଏ ହଠାତ୍ ଜାଣିବା କଷ୍ଟକର ହୁଏ। ଅନ୍ୟ ପଟେ ଜଣ ବଡ଼ ବେପାରୀକୁ ଧରିଦେଲେ ଯେ ନିଶା ବେପାର ବନ୍ଦ ହୋଇଯିବ ତାହା ନୁହେଁ। ଏହା ଏକ ନିରନ୍ତର ପ୍ରକ୍ରିୟା। ଏହାକୁ ନେଇ ଆମର ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି।
ଅନୁପ ସାହୁ, ଭୁବନେଶ୍ବର ଡିସିପି
ପ୍ରକ୍ରିୟାରେ ସମସ୍ୟା
ଏହି ନିଶାଦ୍ରବ୍ୟ ବେପାରରେ ଚଢ଼ଉ ବେଳେ ଅନେକ ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼େ। ମାଜିଷ୍ଟ୍ରେଟ୍ଙ୍କଠାରୁ ଲିଖିତ ଭାବେ ଅନୁମତି ନେବାକୁ ପଡ଼ିଥାଏ। ଚଢ଼ଉ କରୁଥିବା ଅଧିକାରୀ ଡିସିପିଙ୍କୁ ମାଜିଷ୍ଟ୍ରେଟ୍ ଉପସ୍ଥିତି ପାଇଁ ଲିଖିତ ଭାବେ ଜଣାନ୍ତି। ଡିସିପି ଲିଖିତ ଭାବେ ମାଜିଷ୍ଟ୍ରେଟ୍ଙ୍କ ସମ୍ବନ୍ଧରେ ସୂଚନା ବା ଅନୁମତି ସମ୍ବନ୍ଧରେ ଅବଗତ କରାନ୍ତି। ଏହା ପରେ ଯେଉଁ ଅଧିକାରୀଙ୍କ ତଦନ୍ତ କରିବାକୁ ଦିଆଯାଏ ସେ ଏହି ଦୁଇଟି ଚିଠି ସହ ଜବତ ବ୍ରାଉନ୍ ସୁଗାରକୁ କୋର୍ଟରେ ଉପସ୍ଥାପନ କରିବାକୁ ହୁଏ।