ବ୍ରାଉନ୍‌ସୁଗାର ବେପାରୀ ଗିରଫ: ୨୦ଗ୍ରାମ ବ୍ରାଉନ୍‌ସୁଗାର, ୩୦ହଜାର ଟଙ୍କା ଓ ବାଇକ୍‌ ଜବତ

ଭୁବନେଶ୍ବର: କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଚଢ଼ଉ କରି ସାଲିଆ ସାହିରୁ ଜଣେ ବ୍ରାଉନ୍‌ସୁଗାର ବେପାରୀକୁ ଗିରଫ କରିଛି। ସେ ହେଲା, ଆଦିବାସୀ ଗାଁର ସୋମନାଥ ଦାସ ଓରଫ ମିରିଣ୍ଡା(୨୩)। ପୁଲିସ ତା’ଠାରୁ ୨୦ଗ୍ରାମ ବ୍ରାଉନ୍‌ସୁଗାର, ୩୦ ହଜାର ଟଙ୍କା ଓ ଗୋଟିଏ ବାଇକ୍‌ ଜବତ କରିଛି। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ମିରିଣ୍ଡା ସ୍ଥାନୀୟ ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର କରୁଥିଲା। ବାଲେଶ୍ବର ଜଳେଶ୍ବରରୁ ବ୍ରାଉନ୍‌ସୁଗାର ଆଣି ରାଜଧାନୀର ବିଭିନ୍ନ ସ୍ଥାନରେ ବେପାର କରୁଥିଲା। ଆଜି ଜଣେ ଗ୍ରାହକକୁ ବ୍ରାଉନ୍‌ସୁଗାର ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ଏକ ନିଛାଟିଆ ସ୍ଥାନକୁ ଡାକିଥିବା କ୍ୟୁଏଟି ଟିମ୍‌ ଖବର ପାଇଥିଲା। କ୍ୟୁଏଟି ଏ ସଂପର୍କରେ ନୂଆପଲ୍ଲୀ ଥାନାକୁ ଖବର ଦେଇଥିଲା। ମିରିଣ୍ଡା ଗ୍ରାହକକୁ ଅପେକ୍ଷା କରିଥିବା ବେଳେ କ୍ୟୁଏଟି ଓ ପୁଲିସ ସେଠାରେ ପହଞ୍ଚି ତାକୁ ଘେରି ଯାଇଥିଲେ। ସେ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ ସୁଧା ପୁଲିସ ଜାଲରୁ ଖସି ପାରିନଥିଲା। ପୁଲିସ ତାକୁ ଥାନାକୁ ଆଣି ପଚରାଉଚରା କରୁଛି। ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ମିରିଣ୍ଡା ନାଁରେ ରାଜଧାନୀର ବିଭିନ୍ନ ଥାନାରେ ଆପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର