ବ୍ରାଉନ୍‌ ସୁଗାର ବେପାରୀ ଧରାପଡ଼ିବା ଘଟଣା: ମାଡ଼ ଖାଇଥିବା ପୁଲିସ କର୍ମଚାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ସାଲିଆସାହି ଆଦିବାସୀ ଗାଁରେ ବ୍ରାଉନ୍‌ ସୁଗାର ବେପାରୀଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ ନେଇଛି। ସାଦା ପୋଷାକରେ ଥିବା ହୋମ୍‌ଗାର୍ଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ସହିଦ୍‌ ନଗର ଥାନା ଭିତରେ ପଶି ପୁଲିସକୁ ମାଡ଼ ମାରି ମୁଣ୍ଡ ଫଟାଇବା ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଜଣେ ପୁଲିସ କର୍ମଚାରୀ ମାଡ଼ ଖାଇବା କମିସନରେଟ୍‌ ପୁଲିସକୁ ବଦନାମ କରିଛି। ଏଭଳି ଘଟଣା କ୍ରମଶଃ ଅପରାଧିମାନଙ୍କର ପୁଲିସ ପ୍ରତି ଥିବା ଭୟ କମାଇ ଦେଇଛି।

ସୂଚନା ଅନୁଯାୟୀ ଘଟଣାସ୍ଥଳକୁ ଯାଇଥିବା ହୋମ୍‌ଗାର୍ଡ ହେଉଛନ୍ତି ପ୍ରମୋଦ ରାଉତ। ସେ ପିସିଆର୍‌ ଭ୍ୟାନ୍‌ ଚଳାନ୍ତି। ଶୁକ୍ରବାର ଘଟଣା ଘଟିବା ସମୟରେ ତାଙ୍କର ଡ୍ୟୁଟି ନଥିଲା। ଡ୍ୟୁଟି ନଥିବା ବେଳେ ସେ କାହିଁକି ଘଟଣାସ୍ଥଳକୁ ଯାଇଥିଲେ? ଧରାପଡ଼ିଥିବା ବେପାରୀଙ୍କ ସହ ତାଙ୍କର ସମ୍ପର୍କ ଥିଲା କି? ବୋଲି ପ୍ରଶ୍ନ ଉଠଛି। ଦେଖଣାହାରୀ ଓ ଆକ୍ରମଣକାରୀଙ୍କ ଅଭିଯୋଗ ମୁତାବକ ସମ୍ପୃକ୍ତ ହୋମ୍‌ଗାର୍ଡ ଜବତ ବ୍ରାଉନ୍‌ ସୁଗାର ପକେଟ୍‌ରେ ପୂରାଇ ଦେଉଥିଲେ। ତେବେ ଏ ସବୁ ପ୍ରମାଣିତ ହେଲେ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁଲିସ କମିସନର ଶ୍ରୀ ମହାନ୍ତି। ସେ କହିଛନ୍ତି, ଏନ୍‌ଫୋର୍ସମେଣ୍ଟ ସମୟରେ ସାଧାରଣ ଜନତାଙ୍କ ସହ ପୁଲିସର ମୁହାଁମୁହିଁ ହେବା ନୂଆ କଥା ନୁହେଁ। ଡ୍ୟୁଟି ନଥିବାରୁ ସାଦା ପୋଷାକରେ ଥିବା କର୍ମଚାରୀ ସେଠାକୁ ଯିବାର ନଥିଲା। ସେ ସେଠାକୁ ଯାଇ ଏଭଳି କିଛି ଆଚରଣ ଦେଖାଇଛନ୍ତି ଯେଉଁଥିରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସେ ସେଠାରେ କ’ଣ ଏମିତି କରିଥିଲେ ଯେ, ଆକ୍ରୋଶର ଶିକାର ହେଲେ ସେ ନେଇ ଆମେ ତଦନ୍ତ କରୁଛୁ। ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ସୂଚନାଯୋଗ୍ୟ ଯେ, ନିକଟରେ ଲକ୍ଷ୍ମୀସାଗର ଅଞ୍ଚଳରୁ ଅବକାରୀ ଗୁଇନ୍ଦା ବିଭାଗ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଥିଲା। ସେ ଜଣେ ପୁଲିସ ଇନ୍‌ଫର୍ମର ବୋଲି ପରେ ଜଣାପଡ଼ିଥିଲା। ଏଣୁ ଖବର ଦେଉଥିବାରୁ ପୁଲିସ ଜାଣି ଜାଣି ସମ୍ପୃକ୍ତ ବେପାରୀକୁ ଘଣ୍ଟ ଘୋଡ଼ାଉ ଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଗତକାଲି ମାଡ଼ ଖାଇଥିବା କର୍ମଚାରୀ ମଧ୍ୟ ବେପାରରେ ସମ୍ପୃକ୍ତ ଥିଲେ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ସାଲିଆ ସାହିର ଆଦିବାସୀ ଗାଁ ବାସିନ୍ଦା ଜଣେ ବେପାରୀକୁ ଧରି ପୁଲିସ ଜିମା ଦେଇଥିଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ଇଙ୍ଗିତରେ ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା ବୋଲି ବାସିନ୍ଦା ଅଭିଯୋଗ କରିଛନ୍ତି। ସେଥିପାଇଁ ସମ୍ପୃକ୍ତ କର୍ମଚାରୀ ମାଡ଼ ଖାଇଥିବା କୁହାଯାଉଛି। ତେବେ ତଦନ୍ତ ଚାଲିଛି। କର୍ମଚାରୀଙ୍କର ଏହି ସବୁ କାର୍ଯ୍ୟରେ ସମ୍ପୃକ୍ତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍‌ଣ ୨ଟା ବେଳେ କେଶବ ଓ ତପନ ନାମକ ଦୁଇଜଣ ବ୍ରାଉନ୍‌ ସୁଗାର ବେପାରୀଙ୍କୁ ସାଲିଆ ସାହି ଆଦିବାସୀ ଗାଁର ଲୋକମାନେ ଧରି ବାନ୍ଧି ପକାଇଥିଲେ। ଖୋଲାଖୋଲି ଭାବରେ ବେପାର ଚାଲିଥିବା ବେଳେ ପୁଳିସ କିମ୍ବା ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇଥିଲେ। ଉଭୟଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପରେ ସେମାନଙ୍କୁ ନୟାପଲ୍ଲୀ ଥାନା ପୁଲିସ ଉଦ୍ଧାର କରିଥିବା ବେଳେ ସାଦା ପୋଷାକରେ ଥିବା କର୍ମଚାରୀ ପ୍ରାମୋଦ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ।

ପୁଣି ସାଲିଆ ସାହିରୁ ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ
ଭୁବନେଶ୍ବର: ପୁଣି ସାଲିଆ ସାହିରୁ ଜବତ ହୋଇଛି ବ୍ରାଉନ୍‌ ସୁଗାର। ଗତକାଲି ଦୁଇଜଣ ବେପାରୀକୁ ସାହି ବାସିନ୍ଦା ଧରି ପୁଲିସ ଜିମା ଦେଇଥିବା ବେଳେ ଆଜି ନୟାପଲ୍ଲୀ ଥାନା ଓ କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି)କୁ ସଫଳତା ମିଳିଛି। ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ ଆଜି ଅପରାହ୍‌ଣରେ ମିଳିତ ଚଢ଼ଉରେ ସାଲିଆ ସାହି ନିକଟରେ ଥିବା ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ ସାମ୍ନାରୁ ୨୩ ଗ୍ରାମ୍‌ ବ୍ରାଉନ ସୁଗାରଜବତ ହେବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ସାଲିଆ ସାହିର ରିଙ୍କୁ ନାୟକକୁ ଗିରଫ କରାଯାଇଛି। ତା’ଠାରୁ ୧୪୬୦ ଟଙ୍କା ଜବତ ହେବା ସହ ଏକ ମୋବାଇଲ ଫୋନ୍‌ ଓ ବାଇକ୍‌ ଜବତ କରାଯାଇଛି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ୩ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଛି। ରିଙ୍କୁ ବିଭିନ୍ନ କଲେଜ୍‌ ଛା‌ତ୍ରଙ୍କୁ ଟାର୍ଗେଟ କରି ଏହି ବ୍ୟବସାୟ କରିଥାଏ। ଗ୍ରାହକ ଯେଭଳି ସମସ୍ୟାରେ ନ ପଡ଼ିବେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବାରୁ ଦୀର୍ଘ ଦିନ ହେବ ବେପାର କରିଆସୁଥିବା ଜଣାପଡ଼ିଛି। ଅନ୍ୟପଟେ ରିଙ୍କୁ ଧରାପଡ଼ିବା ପରେ କେତେକ ଗୁମର ପଦାକୁ ଆସିଛି। କିଛି ବେପାରୀ ନିଜକୁ ସୁରକ୍ଷିତ ରଖିବା ପାଇଁ ପୁଲିସ କିମ୍ବା ଅବକାରୀ ବିଭାଗକୁ ଖବର ଦେଇ ଅନ୍ୟ ବେପାରୀମାନଙ୍କୁ ଧରାଉଛନ୍ତି। ମୂଳ ବେପାରୀମାନେ ଯେଭଳି ଧରା ନପଡ଼ିବେ ସେଥିପାଇଁ ଅବକାରୀକୁ ଖବର ଦେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର