ଆଳୁ ଗାଡ଼ିରେ ପଶ୍ଟିମବଙ୍ଗରୁ ଆସୁଛି ବ୍ରାଉନସୁଗାର! କୋଟିଏ ଟଙ୍କାର ଧଳାଜହର ଜବତ

ଟାଙ୍ଗୀରୁ ଧରାପଡ଼ିଲା ବଙ୍ଗୀୟ ଏଜେଣ୍ଟ, ଚଢ଼ଉ ଦେଖି ଫେରାର ହୋଇଗଲେ ବେପାରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ଦୀର୍ଘ ୭ ଶହ କିଲୋମିଟର ଆସିବା ପରେ କଟକ ଟାଙ୍ଗୀରୁ ଜଣେ ନିଶା ବେପାରୀକୁ ଗିରଫ କରିଛି ଏସଟିଏଫ୍। ଏସ୍.କେ ସଫିକୁଲ ଓରଫ୍ ଖୋକନ ଠାରୁ ୧ କେଜି ୪୩ ଗ୍ରାମ ବ୍ରାଉନସୁଗାର, ମୋବାଇଲ ଫୋନ୍ ଓ ଆଧାର କାର୍ଡ ଜବତ କରାଯାଇଛି। ଜବତ ବ୍ରାଉନସୁଗାର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଜଣାପଡ଼ିଛି। ଖୋକନ ରାସ୍ତା କଡ଼ରେ ବେପାରୀଙ୍କ ପାଖରେ ମାଲ୍‌ ପହଞ୍ଚାଇବା ପାଇଁ ଅପେକ୍ଷା କରିଥିବାବେଳେ ଧରା ପଡ଼ି ଯାଇଥିଲା। ‌େ‌ତବେ ମୁର୍ସିଦାବାଦରୁ ଖୋକନ କେଉଁ ଗାଡ଼ିରେ ଆସିଥିଲା? ଏକୁଟିଆ ଖୋକନ ନା ଆଉ କିଏ ତା ସାଙ୍ଗରେ ଆସିଥିଲା? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍। କାରଣ ବଙ୍ଗୀୟ ବେପାରୀ ଗିରଫ ହେବା ଏହା ତୃତୀୟ ଘଟଣା ବୋଲି ଜଣାପଡ଼ିଛି। କିନ୍ତୁ ଏସଟିଏଫ୍ ଆଜିଯାଏ ବ୍ରାଉନସୁଗାର ଆସୁଥିବା ସ୍ଥଳରେ ପହଞ୍ଚି ପାରି ନାହିଁ।

କିନ୍ତୁ ଏକ ବିଶ୍ବସ୍ତ ସୂତ୍ରରୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଓଡ଼ିଶାର ଚାହିଦା ଅନୁସାରେ ପଶ୍ଚିମବଙ୍ଗରୁ ଦୈନିକ ପ୍ରାୟ ୯୦ରୁ ଅଧିକ ଆଳୁ ଟ୍ରକ୍ ଆସୁଛି। ଭୁବନେଶ୍ବର ସମେତ ଉପକୂଳ ଓ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ଆଳୁ ଟ୍ରକ୍ ଯାଉଛି। କିନ୍ତୁ କେତେକ ଗାଡ଼ିକୁ ବ୍ରାଉନସୁଗାର ମାଫିଆ ଟାର୍ଗେଟ୍ କରି ସେଥିରେ ଚାଲାଣ କରୁଛନ୍ତି। ଆଳୁ ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ହୋଇଥିବାରୁ ଏହି ଗାଡ଼ି ସୀମାରେ ସହଜରେ ସନ୍ଦେହକୁ ଆସି ନ ଥାଏ। ସାମଗ୍ରୀର ଚାଲାଣ ଓ କାଗଜପତ୍ର ସବୁ କିଛି ମଧ୍ୟ ଠିକ୍ ରହିଥାଏ। କଟକ, ଭୁବନେଶ୍ବର ସମେତ ଅନ୍ୟ ସହରକୁ ଗାଡ଼ି ପ୍ରବେଶ କରିବା ପୂର୍ବରୁ ଅଧା ରାସ୍ତାରେ ଓହ୍ଲାଇ ପଡ଼ନ୍ତି ବ୍ରାଉନସୁଗାର ଏଜେଣ୍ଟ। ଏସଟିଏଫ୍ ଏହାକୁ ସନ୍ଦେହ କରି ସେ ଦିଗରେ ଖୋଳତାଡ଼ ମଧ୍ୟ କରୁଛି। ରୁଟ୍, ଚାଲାଣ ଓ ଅନ୍ୟ ବେପାରୀଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ଲାଗି ଗିରଫ ବଙ୍ଗୀୟ ଏଜେଣ୍ଟ ଖୋକନକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। କେବଳ ଆଳୁ ଗାଡ଼ି ନୁହେଁ; ଜଳେଶ୍ବରରେ ପହଞ୍ଚିବା ପରେ ଟ୍ରାଭେଲ୍ସ କାର୍, ବାଇକରେ ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଛି। କିନ୍ତୁ ପଶ୍ଚିମବଙ୍ଗରୁ ସିଧାସଳଖ ଆସୁଥିବା ବେପାରୀ ଆଳୁ ଗାଡ଼ିରେ ଆସୁଥିବା ଅଧିକ ସନ୍ଦେହ କରାଯାଉଛି। କାରଣ ପୂର୍ବରୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ଗଞ୍ଜେଇ ପରିବା ଟ୍ରକ, ତରଭୁଜ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭିତରେ ଯାଉଥିବାର ନଜିର୍ ରହିଛି।

ଉପକୂଳ ଜିଲ୍ଲାର ଗଳିକନ୍ଦିରେ ବେପାରୀ ଓ ଧଳାଜହର ସେବନକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତ ୨୨ ମାସ ଭିତରେ ୪୨ କେଜିରୁ ଅଧିକ ବ୍ରାଉନସୁଗାର କେବଳ କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ(ଏସଟିଏଫ୍) ଜବତ କରିସାରିଛି। ଜିଲ୍ଲା ପୁଲିସ ମଧ୍ୟ ପାଖାପାଖି ୨୦ କେଜି ଧଳାଜହର ଜବତ କରିସାରିଲେଣି। ବାଲେଶ୍ବରରୁ ପାଖାପାଖି ୨୫ କେଜି ଧରାପଡ଼ିଲାଣି। କିନ୍ତୁ ଏଯାଏ ଚେର ଖୋଜି ପାଇବାରେ ବିଫଳ ହୋଇଛି ଏସଟିଏଫ୍। ଏପରିକି ସୀମା ପାର ହୋଇ ଦିନକୁ କୋଟି କୋଟି ଟଙ୍କାର ଧଳାଜହର ଚାଲାଣ ହେଉଛି। କିନ୍ତୁ ସୀମାରେ ଧରାପଡ଼ୁ ନାହିଁ। ବାଂଲାଦେଶକୁ ଲାଗି କରି ଥିବା ପଶ୍ଚିମବଙ୍ଗର ଲାଲଗୋଲାରେ ପହଞ୍ଚୁଛି ବ୍ରାଉନସୁଗାର। ସେଠାରୁ ମୁର୍ସିଦ୍ଦାବାଦ୍ କୋଲକାତା ହୋଇ ଜଳେଶ୍ବରକୁ ଆସୁଛି। ସିଧାସଳଖ ମଧ୍ୟ କେତେକ ଅଞ୍ଚଳକୁ ଚାଲାଣ କରାଯାଉଛି। ଏଜେଣ୍ଟ ଧରାପଡ଼ୁଥିବା ବେଳେ ବଡ଼ ବେପାରୀ କେବେ ଧରାପଡ଼ିବେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଛିଡ଼ା ହୋଇଛି।

ସମ୍ବନ୍ଧିତ ଖବର