ଭୁବନେଶ୍ୱର : ୧୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର : କମିସନରେଟ୍‌ ପୁଲିସ୍‌କୁ ଆଉ ଏକ ବଡ଼ ସଫଳତା ମିଳିଛି। ଗତ ରାତିରେ ସହିଦନଗର ଥାନା ପୁଲିସ୍‌ ସହାୟତାରେ ସ୍ପେସାଲ ସ୍କ୍ବାଡ୍‌ ଆଚାର୍ଯ୍ୟବିହାର ଛକ ନିକଟରୁ ୧୩୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଛି। ଏହାସହ ଏହି ବେଆଇନ କାରବାରରେ ସଂପୃକ୍ତି ଅଭିଯୋଗରେ ପୁଲିସ୍‌ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ପୁରୀ ଜିଲ୍ଲା ଗଡ଼ିଶାଗଦାର ନିକୁଞ୍ଜ ଜଗଦେବ ଓ ଧୀରେନ୍ଦ୍ର ଜୟସିଂହ। ସେମାନଙ୍କଠାରୁ ଜବତ ହୋଇଥିବା ବ୍ରାଉନ୍‌ସୁଗାରର ବଜାର ମୂଲ୍ୟ ୧୩ ଲକ୍ଷରୁ ଊର୍ଧ୍ବ ଟଙ୍କା ହେବ ବୋଲି କୁହାଯାଉଛି। ଏହାବ୍ୟତୀତ ପୁଲିସ ସେମାନଙ୍କଠାରୁ ଗୋଟିଏ ବାଇକ୍‌, ଦୁଇଟି ମୋବାଇଲ ମଧ୍ୟ ଜବତ କରିଥିବା ଜଣାଯାଇଛି। ଏହି ଦୁଇଜଣ ଆଚାର୍ଯ୍ୟବିହାର ଛକ ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ସ୍ପେସାଲ ସ୍କ୍ବାଡ୍‌ ସେମାନଙ୍କୁ ମାଡ଼ି ବସିଥିଲା।

ପୁଲିସ୍‌ ସୂଚନାନୁଯାୟୀ, ନିକୁଞ୍ଜ ଓ ଧୀରେନ୍ଦ୍ର ଉଭୟଙ୍କ ଘର ବାଲେଶ୍ବର ଜିଲ୍ଲା‌ରେ। ଏମାନେ ଗୋଟିଏ ଗ୍ରାମର ବାସିନ୍ଦା। ବ୍ରାଉନସୁଗାର ବେପାରରୁ ମୋଟା ଅଙ୍କର ଟଙ୍କା ମିଳୁଥିବାରୁ ସେମାନେ ଏହି ଅପରାଧ ଦୁନିଆରେ ପାଦ ଥାପିଥିଲେ। ଲକ୍‌ଡାଉନ୍‌ ସମୟରେ ନିଜ ଅଞ୍ଚଳରେ ବେପାର ନ ହେବାରୁ ରାଜଧାନୀକୁ ଚାଲି ଆସିଥି‌ଲେ। ବ୍ରାଉନ୍‌ସୁଗାରକୁ ଶହେ ଟଙ୍କିଆ ପୁଡ଼ିଆ କରି ଗ୍ରାହକଙ୍କ ପାଖରେ ପହଞ୍ଚାଉଥିଲେ। ତେବେ ରାଜଧାନୀରେ ନୂଆ ନୂଆ ବେପାର କରୁଥିବାରୁ ପୁଲିସ୍‌ ରାଡାର୍‌କୁ ଆସିନଥିଲେ। କିନ୍ତୁ ଏମିତି କିଛି ଦିନ ବେପାର କରିବା ପରେ ସ୍ପେସାଲ ସ୍କ୍ବାଡ୍‌ ସେମାନଙ୍କ ସଂପର୍କରେ ଜାଣିବାକୁ ପାଇଥିଲା। ଗତ ରାତିରେ ସେମାନେ ବ୍ରାଉନସୁଗାର ଧରି ଆଚାର୍ଯ୍ୟବିହାର ଛକକୁ ଆସୁଥିବା ଖବର ପାଇ ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ଗଠିତ ସ୍ପେସାଲ ସ୍କ୍ବାଡ୍‌ ସେଠାରେ ସେମାନଙ୍କୁ ମାଡ଼ି ବସିଥିଲା।

ସମ୍ବନ୍ଧିତ ଖବର