ଖଣ୍ଡଗିରି : ଶନିବାର ସନ୍ଧ୍ୟାରେ ୟୁନିଟ୍-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପାଖ ରାସ୍ତାରେ ଅତର୍କିତ ଚଢ଼ଉ କରି ଖଣ୍ଡଗିରି ଥାନା ପୁଲିସ ୨ ଜଣ ବ୍ରାଉନ୍ସୁଗାର ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାରବାରର ମାଷ୍ଟର ମାଇଣ୍ଡ ୟୁନିଟ୍-୮ ନାରାୟଣ ବସ୍ତିର ପି ସୁବ୍ରତ ରାଓ ଓରଫ୍ ଚନ୍ଦୁ(୩୪) ଓ ଖୋର୍ଧା ଟାଉନ୍ ଲକ୍ଷେଶ୍ବରପୁରର ହରପ୍ରସାଦ ଦାସ ଓରଫ୍ ସାକୁଲ୍(୨୪)। ସେମାନଙ୍କ ନିକଟରୁ ପ୍ରାୟ ୧୪ ଗ୍ରାମ୍ ବ୍ରାଉନ୍ସୁଗାର ଓ ଗୋଟିଏ ସ୍କର୍ପିଓ(ଓଆର୍୦୨ଏଏସ୍-୭୬୦୫) ଜବତ କରାଯାଇଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୧.୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
କେମିତି ଧରା ପଡ଼ିଲା ଚନ୍ଦୁ: ସୂଚନାନୁସାରେ ୨୦୧୧ ମସିହାରେ ସାଲିଆସାହିର ଜଣେ ଯୁବକଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗରେ ଚନ୍ଦୁ ଗିରଫ ହୋଇ ଜେଲ୍ରେ ଥିଲା। ଜାମିନ୍ରେ ଆସିବା ପରେ ସେ ନିଶା କାରବାରରେ ପ୍ରବେଶ କରିଥିଲା। ଖୋର୍ଧା ବେପାରୀଙ୍କଠାରୁ ବ୍ରାଉନ୍ସୁଗାର କିଣି ଚନ୍ଦୁ ୟୁନିଟ୍-୮ ଅଞ୍ଚଳରେ କାରବାର କରେ। ଗଙ୍ଗନଗର, ଶିରିପୁର, ବରମୁଣ୍ଡା, ନୂଆପଲ୍ଲୀ ଓ ସାଲିଆସାହି ପର୍ଯ୍ୟନ୍ତ ସବୁଠାରେ ତା’ର ନିଶା କାରବାର ଚାଲିଥିଲା। ସନ୍ଧ୍ୟା ହେଲେ ଚନ୍ଦୁର ସ୍କର୍ପିଓ ଅନ୍ଧାରିଆ ନିଛାଟିଆ ରାସ୍ତାରେ ରହେ ଓ ନିଶାଡ଼ିମାନେ ସେଠାକୁ ଆସି କିଣି ନିଅନ୍ତି ବୋଲି ପୁଲିସ ସୂଚନା ପାଇଥିଲା। ଗତକାଲି ସନ୍ଧ୍ୟାରେ ଚନ୍ଦୁର ଗାଡ଼ି ୟୁନିଟ୍-୮ ହାଇସ୍କୁଲ ପାଖ ରାସ୍ତାରେ ଏକ ଅନ୍ଧାରିଆ ସ୍ଥାନରେ ଠିଆ ହୋଇଥିବାବେଳେ ପୁଲିସ ଚଢ଼ଉ କରିଥିଲା। ଗାଡ଼ିରେ ଚନ୍ଦୁ ସହ ସାକୁଲ୍ ଥିଲା। ବ୍ରାଉନ୍ସୁଗାର ବେପାରୀଙ୍କ ଉପରେ ଘନଘନ ଏସ୍ଟିଏଫ୍ ଚଢ଼ଉ ପରଠାରୁ ସାକୁଲ୍ ଖୋର୍ଧା ଛାଡ଼ି ଚନ୍ଦୁ ପାଖରେ ରହୁଥିଲା।