ସ୍କର୍ପିଓରୁ ୧୪ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଖଣ୍ଡଗିରି : ଶନିବାର ସନ୍ଧ୍ୟାରେ ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପାଖ ରାସ୍ତାରେ ଅତର୍କିତ ଚଢ଼ଉ କରି ଖଣ୍ଡଗିରି ଥାନା ପୁଲିସ ୨ ଜଣ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାରବାରର ମାଷ୍ଟର ମାଇଣ୍ଡ ୟୁନିଟ୍‌-୮ ନାରାୟଣ ବସ୍ତିର ପି ସୁବ୍ରତ ରାଓ ଓରଫ୍ ଚନ୍ଦୁ(୩୪) ଓ ଖୋର୍ଧା ଟାଉନ୍‌ ଲକ୍ଷେଶ୍ବରପୁରର ହରପ୍ରସାଦ ଦାସ ଓରଫ୍ ସାକୁଲ୍‌(୨୪)। ସେମାନଙ୍କ ନିକଟରୁ ପ୍ରାୟ ୧୪ ଗ୍ରାମ୍ ବ୍ରାଉନ୍‌ସୁଗାର ଓ ଗୋଟିଏ ସ୍କର୍ପିଓ(ଓଆର୍୦୨ଏଏସ୍‌-୭୬୦୫) ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୧.୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

କେମିତି ଧରା ପଡ଼ି‌ଲା ଚନ୍ଦୁ: ସୂଚନାନୁସାରେ ୨୦୧୧ ମସିହାରେ ସାଲିଆସାହିର ଜଣେ ଯୁବକଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗରେ ଚନ୍ଦୁ ଗିରଫ ହୋଇ ଜେଲ୍‌ରେ ଥିଲା। ଜାମିନ୍‌ରେ ଆସିବା ପରେ ସେ ନିଶା କାରବାରରେ ପ୍ରବେଶ କରିଥିଲା। ଖୋର୍ଧା ବେପାରୀଙ୍କଠାରୁ ବ୍ରାଉନ୍‌ସୁଗାର କିଣି ଚନ୍ଦୁ ୟୁନିଟ୍‌-୮ ଅଞ୍ଚଳରେ କାରବାର କରେ। ଗଙ୍ଗନଗର, ଶିରିପୁର, ବରମୁଣ୍ଡା, ନୂଆପଲ୍ଲୀ ଓ ସାଲିଆସାହି ପର୍ଯ୍ୟନ୍ତ ସବୁଠାରେ ତା’ର ନିଶା କାରବାର ଚାଲିଥିଲା। ସନ୍ଧ୍ୟା ହେଲେ ଚନ୍ଦୁର ସ୍କର୍ପିଓ ଅନ୍ଧାରିଆ ନିଛାଟିଆ ରାସ୍ତାରେ ରହେ ଓ ନିଶାଡ଼ିମାନେ ସେଠାକୁ ଆସି କିଣି ନିଅନ୍ତି ବୋଲି ପୁଲିସ ସୂଚନା ପାଇଥିଲା। ଗତକାଲି ସନ୍ଧ୍ୟାରେ ଚନ୍ଦୁର ଗାଡ଼ି ୟୁନିଟ୍‌-୮ ହାଇସ୍କୁଲ ପାଖ ରାସ୍ତାରେ ଏକ ଅନ୍ଧାରିଆ ସ୍ଥାନରେ ଠିଆ ହୋଇଥିବାବେଳେ ପୁଲିସ ଚଢ଼ଉ କରିଥିଲା। ଗାଡ଼ିରେ ଚନ୍ଦୁ ସହ ସାକୁଲ୍‌ ଥିଲା। ବ୍ରାଉନ୍‌ସୁଗାର ବେପାରୀଙ୍କ ଉପରେ ଘନଘନ ଏସ୍‌ଟିଏଫ୍‌ ଚଢ଼ଉ ପରଠାରୁ ସାକୁଲ୍‌ ଖୋର୍ଧା ଛାଡ଼ି ଚନ୍ଦୁ ପାଖରେ ରହୁଥିଲା।

ସମ୍ବନ୍ଧିତ ଖବର