ଖଣ୍ଡଗିରି : ବୁଧବାର ତମାଣ୍ଡୋ ଥାନା ପୁଲିସ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ସ୍ଥାନୀୟ ବଜାର ନିକଟରୁ ଗିରଫ କରିଛି। ସେମାନେ ହେଲେ ଜଳେଶ୍ବର ରାଜପୁରବସ୍ତିର ସେକ୍ ମୁନା (୨୪) ଓ ଖୋର୍ଧା ଶ୍ରୀବିହାରର ଆନନ୍ଦ ପଶ୍ଚିମକବାଟ (୪୭)। ସେମାନଙ୍କ ପାଖରୁ ୩୦ ଗ୍ରାମ୍ ବ୍ରାଉନସୁଗାର, ନଗଦ ୪୭ ହଜାର ଟଙ୍କା, ଗୋଟିଏ ଆପାଚି ବାଇକ୍ ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ଏହି ଦୁଇ ବେପାରୀ ଆଜି ତମାଣ୍ଡୋରେ ବ୍ରାଉନସୁଗାର ବିକିବା ପାଇଁ ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ତମାଣ୍ଡୋ ଥାନା ପୁଲିସ ସେମାନଙ୍କୁ ପଚରାଉଚରା ପାଇଁ ଥାନାକୁ ଧରି ନେଇଥିଲା। ପ୍ରଥମେ ସେମାନଙ୍କ ପାଖରୁ ପୁଲିସ ୪୭ ହଜାର ୨ ଶହ ଟଙ୍କା ପାଇଥିଲେ ମଧ୍ୟ ବ୍ରାଉନସୁଗାର ପାଇନଥିଲା। କିନ୍ତୁ କିଛି ସମୟ ବସିବା ପରେ ବ୍ରାଉନସୁଗାର ଖାଇବା ବେଳ ହୋଇଯିବାରୁ ନିଶାଡ଼ି ଆନନ୍ଦର ମୁଣ୍ଡ ବୁଲାଇ ହେଲା। ତେଣୁ ସମ୍ଭାଳି ନପାରି ସେ ବାଧ୍ୟ ହୋଇ ବାଇକ୍ରେ ଲୁଚାଇ ରଖିଥିବା ବ୍ରାଉନସୁଗାର ବାବଦରେ ପୁଲିସକୁ କହିଦେଲା। ତୁରନ୍ତ ପୁଲିସ ତାକୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇବା ପରେ ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ପୁଲିସ ସୂଚନାନୁସାରେ ସେକ୍ ମୁନା ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଖୋର୍ଧାରୁ ଖଣ୍ଡଗିରି ମଧ୍ୟରେ ବିଭିନ୍ନ ସ୍ଥାନରେ ବିକ୍ରି କରେ ଓ ଏହି କଳା କାରବାରରେ ଆନନ୍ଦ ତାକୁ ସହଯୋଗ କରିଥାଏ।
୩୦ ଗ୍ରାମ୍ ବ୍ରାଉନସୁଗାର, ୪୭,୦୦୦ ଟଙ୍କା ଜବତ : ନିଶା ଖିଆ ବେଳ ଧରାଇଦେଲା
/sambad/media/post_attachments/wp-content/uploads/2019/09/brown-sugar.jpg)