ଭୁବନେଶ୍ବର : କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପୁଲିସ ମିଳିତ ଚଢ଼ଉ କରି ୩ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୪୧ଗ୍ରାମ ବ୍ରାଉନ୍‌ସୁଗାର, ୩୭ହଜାର ଟଙ୍କା, ସ୍କୁଟି ଏବଂ ୩ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଜବତ ବ୍ରାଉନ୍‌ସୁଗାର୍‌ର ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗିରଫ ବେପାରୀମାନେ ହେଲେ ବମିଖାଲ ତଳ ଭୋଇସାହି ଅଞ୍ଚଳର ସଞ୍ଜୟ କୁମାର ଭୋଇ ଓରଫ ମିଞ୍ଜା(୩୨), ମୟୂରଭଞ୍ଜ ଜିଲ୍ଲା କେନ୍ଦୁଢିଅ ଅଞ୍ଚଳର ଚକ୍ରଧର ବେହେରା ଓରଫ ଜଟିଆ(୩୨) ଓ ବାଲେଶ୍ବର ସହଦେବ ଖୁଣ୍ଟା ଅଞ୍ଚଳର ଏସ୍‌କେ ଇକ୍‌ବାଲ୍‌(୩୪)। ଚକ୍ରଧର ବମିଖାଲ କେନାଲରୋଡ ଅଞ୍ଚଳରେ ରହୁଥିଲା।

Advertisment

ପୁଲିସ ସୂଚନା ମୁତାବକ, ଶୁକ୍ରବାର ଅପରାହ୍‌ଣରେ ବମିଖାଲ କେନାଲ ରୋଡ୍‌ ନିକଟରେ ଥିବା ଏକ ଘରେ ଅଭିଯୁକ୍ତମାନେ ବ୍ରାଉନ୍‌ସୁଗାର କାରବାର କାରୁଥିବା ଖବରପାଇ କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ଥାନାକୁ ଆଣି ପଚରାଉଚରା ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।