ଓଡ଼ିଶା ପୁଲିସ ଇତିହାସରେ ରେକର୍ଡ : ୧.୭କୋଟିର ବ୍ରାଉନସୁଗାର ଜବତ, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ସ୍କର୍ପିଓ, ୩ ବାଇକ୍, ୭ ମୋବାଇଲ୍ ଫୋନ୍, ସିସି କ୍ୟାମେରା, ପ୍ୟାକିଂ ମେସିନ୍ ଜବତ
ତଦନ୍ତ ପାଇଁ ଆସିବ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ
ସିସିଟିଭି କ୍ୟାମେରାରେ ବ୍ରାଉନସୁଗାର କାରବାର ନିୟନ୍ତ୍ରଣ

ଭୁବନେଶ୍ବର : ଶହେ କି ଦୁଇ ଶହ ଗ୍ରାମ ନୁହେଁ, ଏକାଥରକେ ୧ କିଲୋ ୭୫୦ ଗ୍ରାମର ବ୍ରାଉନସୁଗାର। ବଡ଼ ବ୍ରାଉନସୁଗାର ବେପାରୀଙ୍କ ଆଡ଼ାରେ ପଞ୍ଝା ମାରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ପିପିଲି ଅଞ୍ଚଳର ମୁଖ୍ୟ କାର୍ପଟଦାରକୁ ଧରିବା ପରେ କମିସନରେଟ୍ ପୁଲିସ ଇଲାକା ଏୟାରଫିଲ୍ଡ ଓ ଜଟଣୀ ଥାନା ଅଞ୍ଚଳରୁ ଦୁଇ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍। ଜବତ ବ୍ରାଉନସୁଗାର ମୂଲ୍ୟ ୧କୋଟି ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଓଡ଼ିଶା ପୁଲିସ ଇତିହାସରେ ଏତେ ପରିମାଣର ବ୍ରାଉନସୁଗାର ଜବତ ମାମଲା ପ୍ରଥମ। ପୁଲିସ ସେବା ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ।

ଗିରଫ ବେପାରୀ ହେଲେ, ପୁରୀ ଜିଲ୍ଲା କଣାସ ଅଞ୍ଚଳର ମହେଶ୍ବର ସାହୁ, ଗଞ୍ଜାମ ବୁଗୁଡ଼ାର ସନ୍ତୋଷ କୁମାର ଦାସ ଓ ସୋରଡ଼ାର ମାନସ ପରିଚ୍ଛା। ଅଭିଯୁକ୍ତଙ୍କଠାରୁ ଗୋଟିଏ ସ୍କର୍ପିଓ (ଓଡି୦୨ବିକେ-୪୬୪୬), ୩ଟି ବାଇକ୍, ସିସି କ୍ୟାମେରା, ୭ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ପଲିଥିନ୍ ପ୍ୟାକିଂ ମେସିନ୍‌ ଜବତ ହୋଇଛି। ଗିରଫ ତିନିଜଣଙ୍କୁ କୋର୍ଟଚାଲାଣ କରା ଯାଇଥିବା ବେଳେ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି ଏସଟିଏଫ୍। ଅଭିଯୁକ୍ତଙ୍କ ରିମାଣ୍ଡ ସମୟରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଟିମ୍ ସେମାନଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି। ମହେଶ୍ବର ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ଜଳେଶ୍ବର ଓ ଏହାପରେ ଭୁବନେଶ୍ବରକୁ ବ୍ରାଉନସୁଗାର ଆଣିଥାଏ। ଭୁବନେଶ୍ବରକୁ ଆସିଲା ପରେ ଛୋଟ ଛୋଟ ପ୍ୟା‌କେଟ୍‌ କରି ଏଜେଣ୍ଟଙ୍କ ଜରିଆରେ ଖୋର୍ଧା, ଜଟଣୀ ଓ ରାଜଧାନୀରେ ଯୋଗାଇଥାଏ। ଏହି ରୢାକେଟ୍‌ର ଆହୁରି କିଛି ଏଜେଣ୍ଟ ଫେରାର ହୋଇ ଯାଇଛନ୍ତି।

ସୂଚନା ଅନୁସାରେ, ମହେଶ୍ବର ଜଟଣୀ-ପିପିଲି ରାସ୍ତାରେ ଏକ ଘର ଭଡ଼ା ନେଇଥିଲା। ସେହି ଭଡ଼ା ଘରଟି ପିପିଲି ଥାନା ଅଞ୍ଚଳରେ ଆସୁଥିଲେ ବି କମିସନରେଟ୍ ପୁଲିସ ଇଲାକା ଜଟଣୀ ଓ ଏୟାରଫିଲ୍ଡ ଥାନା ସୀମା ନିକଟରେ ରହିଥିଲା। ବ୍ରାଉନସୁଗାର କାରବାର ଚେର ଖୋଜୁଥିବା ଏସଟିଏଫ୍ ଟିମ୍‌ର ଜଣେ ସଦସ୍ୟ ଖୁଚୁରା ବେପାରୀ ସାଜି ସେଠାରେ ପହଞ୍ଚିଥିଲେ। ମହେଶ୍ବର ସହ ଡିଲ୍ କରିଥିଲେ। ସବୁ ତଥ୍ୟ ସଂଗ୍ରହ କରିବା ପରେ ପୂରା ଟିମ୍ ମହେଶ୍ବରକୁ ମାଡ଼ି ବସିଥିଲା। ମହେଶ୍ବର ସୂଚନାକୁ ଆଧାର କରି ଏସ୍‌ଟିଏଫ ଏୟାରଫିଲ୍ଡ ଓ ଜଟଣୀ ଥାନା ଅଞ୍ଚଳରେ ଚଢ଼ଉ କରି ସନ୍ତୋଷ ଓ ମାନସକୁ ଉଠାଇ ନେଇଥିଲା।

ମହେଶ୍ବର ଭଡ଼ା ଘରେ ସିସିଟିଭି କ୍ୟାମେରା ଲଗାଇଥିଲା। ସିସିଟିଭି କ୍ୟାମେରାକୁ ନିଜ ମୋବାଇଲ ସହ ସଂଯୋଗ କରିଥିଲା। ସେ ମୋବାଇଲରେ ସବୁ କାରବାର ନିୟନ୍ତ୍ରଣ କରୁଥିଲା। ଏପରିକି ସେଠାରେ ପହଞ୍ଚୁଥିବା ଗ୍ରାହକଙ୍କୁ ବ୍ରାଉନସୁଗାର ଦିଆଯିବ କି ନାହିଁ, ସେ ନିଷ୍ପତ୍ତି କରୁଥିଲା। ସିସିଟିଭି କ୍ୟାମେରା ଜରିଆରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ପରଖୁଥିଲା। ତା’ ପାଖରୁ ସିଗନାଲ୍ ମିଳିଲା ପରେ ବ୍ରାଉନସୁଗାର ବିକ୍ରି କରାଯାଉଥିଲା।

କାହିଁକି ଧରି ପାରୁନି ଡିଟିଏଫ୍, ଜାଣିପାରୁନି ଥାନା?
ରାଜଧାନୀରେ ଗଳିକନ୍ଦିରେ ବ୍ରାଉନସୁଗାର ବେପାର ବଢ଼ି ଚାଲିଥିବା ବେଳେ ପୁଲିସ କମିସନର ଗଠନ କରିଥିଲେ ଡ୍ରଗ୍ ଟାସ୍କ ଫୋର୍ସ (ଡିଟିଏଫ୍)। କୁଇକ୍ ଆକ୍ସନ ଟିମ୍‌ର ସଦସ୍ୟଙ୍କୁ ନେଇ ଡିଟିଏଫ୍‌ ଗଢ଼ା ଯାଇଥିଲା। କିନ୍ତୁ ଡିଟିଏଫ୍ ଖୁଚୁରା ବେପାରୀଙ୍କୁ ଧରି ନିଜ କାମ ସାରି ଦେଉଛି। ଜଟଣୀ ଓ ଏୟାରଫିଲ୍ଡ ଅଞ୍ଚଳରୁ ବଡ଼ ବେପାରୀଙ୍କୁ ଏସଟିଏଫ୍ ଗିରଫ କରିଥିଲେ ବି ଡିଟିଏଫ୍ ସେମାନଙ୍କ ସମ୍ପର୍କରେ ଟେର୍ ପାଇ ନ ଥିଲା। ସେହିପରି କମିସନରେଟ୍ ଇଲାକାରେ ବିପୁଳ ପରିମାଣର ବ୍ରାଉନସୁଗାର କାରବାର ହେଉଥିଲେ ବି ବଡ଼ ବେପାରୀଙ୍କୁ ଧରିବାରେ ଫେଲ୍ ମାରିଛି ପୁଲିସ। ଯାହାକୁ ନେଇ ଡିଟିଏଫ୍ ଓ ଥାନାର କାର୍ଯ୍ୟଦକ୍ଷତା ଉପରେ ବି ପ୍ରଶ୍ନ ସୃଷ୍ଟି ହୋଇଛି।

ବାଇକ୍ ନମ୍ବର ଜାଲ୍, ସ୍କାନର୍‌ରେ ସ୍କର୍ପିଓ ମାଲିକ
ଏହି ମାମଲାରେ ଏସଟିଏଫ୍ ଗୋଟିଏ ସ୍କର୍ପିଓ ଓ ୩ଟି ବାଇକ୍ ଜବତ କରିଛି। ଜବତ ସ୍କର୍ପିଓଟି ବିଜୟ ବାସିନୀ ସାହୁଙ୍କ ନାଁରେ ରହିଛି। ଏସଟିଏଫ୍ ଚଢ଼ଉ ବେଳେ ମହେଶ୍ବର ନିକଟରୁ ଏହି ସ୍କର୍ପିଓ ଜବତ ହୋଇଛି। ତେବେ ମହେଶ୍ବର ସହ ବିଜୟଙ୍କର ସମ୍ପର୍କ କ’ଣ? ବ୍ରାଉନସୁଗାର କାରବାର ପଛରେ ବିଜୟଙ୍କର ହାତ ରହିଛି କି? ଏହାକୁ ନେଇ ଖୋଳତାଡ଼ କରୁଛି ଏସଟିଏଫ୍। ଜବତ ବୁଲେଟ୍‌(ଏପି୩୧ଇ-୪୭୦୦) ସମ୍ପର୍କରେ ଏସଟିଏଫ୍ ହାତରେ କିଛି ତଥ୍ୟ ଲାଗି ପାରିନାହିଁ। ସେହିପରି ଜବତ ପଲସର୍ ୨୦୦ ବାଇକ(ଓଡି୩୩-୭୯୯୭) ନମ୍ବର ଜାଲ୍ ବୋଲି ଜଣାପଡ଼ିଛି। ଏହି ନମ୍ବର ଏକ ହୋଣ୍ଡା ଆକ୍ଟିଭାର ଓ ଏହା ଚୋରା ବୋଲି ସନ୍ଦେହ କରୁଛି ଏସଟିଏଫ୍। ବାଇକ୍‌ର ପ୍ରକୃତ ମାଲିକାନା ଜଣାପଡ଼ିବା ପରେ ସେମାନଙ୍କୁ ନୋଟିସ୍ କରିବ ବୋଲି ଜଣାପଡ଼ିଛି।

ଛୋଟ ମାଛରୁ ବଡ଼ ମାଛ
ପ୍ରଥମେ ଛୋଟ ଛୋଟ ବେପାରୀଙ୍କୁ ଗିରଫ କରୁଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଖୁଚୁରା ବେପାରୀଙ୍କୁ ଧରି ୧୦ ଗ୍ରାମ, ୨୦ ଗ୍ରାମ ବ୍ରାଉନସୁଗାର ଜବତ କରୁଥିଲା। ସେମାନଙ୍କଠାରୁ ସୂଚନା ପାଇ ଦୁଇ ଶହ, ୩୦୦ ଗ୍ରାମ ଭଳି ବ୍ରାଉନସୁଗାର ଜବତ କଲା। ବଡ଼ ବେପାରୀଙ୍କ ଉପରେ ପଞ୍ଝା ମାରିବା ପାଇଁ ଲାଗି ପଡ଼ିଥିଲା। ପୂର୍ବରୁ ଗିରଫ ବାଲେଶ୍ବର ଓ ଜଳେଶ୍ବର ବେପାରୀଙ୍କଠାରୁ ତଥ୍ୟ ସଂଗ୍ରହ କରି ମହେଶ୍ବରକୁ କାବୁ କରି ନେଇଥିଲା ଏସଟିଏଫ୍।

ବ୍ୟାଙ୍କ ଡକାୟତିରୁ ବ୍ରାଉନସୁଗାର ର‍୍ୟାକେଟ୍
୨୦୧୩ରେ ଖୋର୍ଧା ଜଙ୍କିଆ ଥାନା ନାରଗଦା ଅଞ୍ଚଳରେ ଗ୍ରାମ୍ୟ ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତ ଥିଲେ ସମସ୍ତ ଅଭିଯୁକ୍ତ। ଗିରଫ ହୋଇ ଜେଲ୍ ବି ଯାଇଥିଲେ। ଜେଲରେ ଥିବା ବେଳେ ବ୍ରାଉନସୁଗାର ବେପାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ବ୍ରାଉନସୁଗାର କାରବାରର ସିକ୍ରେଟ୍ ରୁଟ୍, ବ୍ୟବସାୟ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିଥିଲେ। ଜାମିନରେ ମୁକୁଳିବା ପରେ ତିଆରି କରିଥିଲେ ଗ୍ୟାଙ୍ଗ। ବାଲେଶ୍ବର ଜଳେଶ୍ବର ବେପାରୀଙ୍କ ସହ ସମ୍ପର୍କ ରଖି ସେଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଆଣି ଏଠାରେ ବିକ୍ରି କରୁଥିଲେ।

୮ଜିଲ୍ଲାରେ ନେଟୱର୍କ, ୨ ମାସରେ ୪ କେଜି
ଗତ ୪ ବର୍ଷ ମଧ୍ୟରେ ଏସଟିଏଫ୍, କମିସନରେଟ୍ ପୁଲିସ୍, ରାଜ୍ୟର ବିଭିନ୍ନ ଥାନା ମିଶି ସା‌‌ଢ଼େ ୪ କେଜି ବ୍ରାଉନସୁଗାର ଜବତ କରିଥିଲେ। କିନ୍ତୁ ଗତ ଦୁଇ ମାସ ଭିତରେ କେବଳ ଏସଟିଏଫ୍ ୪ କେଜିରୁ ଅଧିକ ଓଜନର ବ୍ରାଉନସୁଗାର ଜବତ କରିଛି। ବ୍ରାଉନସୁଗାର ମାଫିଆଙ୍କୁ ଧରିବାରେ ଏସଟିଏଫର ଏହା ସର୍ବକାଳୀନ ରେକର୍ଡ। ରାଜ୍ୟର ୮ଟି ପୁଲିସ ଜିଲ୍ଲାରେ ବ୍ରାଉନସୁଗାର କାରବାର ଜୋରଦାର ଚାଲିଛି। ସେଗୁଡ଼ିକ ହେଲା, ବାଲେଶ୍ବର, କଟକ, ଖୋର୍ଧା, ଭୁବନେଶ୍ବର, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଏହି ଜିଲ୍ଲାଗୁଡ଼ିକରେ ମାଫିଆ ନେଟୱର୍କ ଚଳାଇଛନ୍ତି। ଏସଟିଏଫରୁ ମିଳିଥିବା ତଥ୍ୟ ଅନୁସା‌ରେ, ୨୦୧୬ରେ ରାଜ୍ୟରୁ ୫୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା ବେଳେ ୨୦୧୭ରେ ୭୮୨ ଗ୍ରାମ୍, ୨୦୧୮ରେ ୬୩୫ ଗ୍ରାମ୍ ଓ ୨୦୧୯ରେ ୨ କେଜି ୫୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। କିନ୍ତୁ ଚଳିତବର୍ଷ ଜାନୁଆରି ଓ ଫେବ୍ରୁଆରିରେ କେବଳ ଏସଟିଏଫ୍ ୪ କେଜିରୁ ଅଧିକ ଓଜନର ବ୍ରାଉନସୁଗାର ଜବତ କରିଛି।

ସମ୍ବନ୍ଧିତ ଖବର