ଭୁବନେଶ୍ବର : ନୂଆପଲ୍ଲୀ ଥାନା ପୁଲିସ ଜଣେ ବ୍ରାଉନ୍ସୁଗାର ବ୍ୟବସାୟୀକୁ ଗିରଫ କରିଛି। ପୁଲିସ ତା’ଠାରୁ ୧୮ଗ୍ରାମ ବ୍ରାଉନ୍ସୁଗାର, ୫ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ କରିଛି। ସେ ହେଲା ସାଲିଆସାହି ଆଦିବାସୀ ଗାଁର ବୁଲୁ ନାୟକ(୩୫)।
ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ହେବ ବୁଲୁ ରାଜଧାନୀରେ ବ୍ରାଉନ୍ସୁଗାର ବ୍ୟବସାୟ ଚଲାଇଥିଲା। ସେ ଖୋର୍ଧା ଓ ଜଳେଶ୍ବର ଅଞ୍ଚଳରୁ ବ୍ରାଉନ୍ସୁଗାର ଆଣି ବିଭିନ୍ନ ସ୍ଥାନକୁ ପଠାଉଥିଲା। ବିଶେଷ କରି ବସ୍ତି ଓ କଲେଜ ପିଲାଙ୍କୁ ନିଜର ଟାର୍ଗେଟ କରିଥିଲା। ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଜଣେ ଗ୍ରାହକକୁ ବ୍ରାଉନ୍ସୁଗାର ଦେବା ପାଇଁ ଡାକିଥିବା ପୁଲିସ ଖବର ପାଇଥିଲା। ସ୍ଥାନୀୟ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ବୁଲୁ ଗ୍ରାହକକୁ ଅପେକ୍ଷା କରିବା ସମୟରେ ନୂଆପଲ୍ଲୀ ଥାନା ପୁଲିସ ସେଠାରେ ଚଢ଼ଉ କରି ତାକୁ ଧରିଥିଲା। ଥାନାକୁ ଆଣି ପଚରା ଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
୫୦ କେଜି ଗଞ୍ଜେଇ ଜବତ, ମହିଳା ଗିରଫ
ଖଣ୍ଡଗିରି : ଆଜି ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରୁ ଜଣେ ମହିଳାକୁ ଚୋରା ଗଞ୍ଜେଇ କାରବାର କରୁଥିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ମହିଳା ହେଲା ବ୍ରହ୍ମପୁର ବଡ଼ବଜାର ଧର୍ମନଗର ଅଞ୍ଚଳର ରାଜୀବ ବେହେରାଙ୍କ ସ୍ତ୍ରୀ ନିନିତା ବେହେରା(୩୭)। ପୁଲିସ ତା’ ପାଖରୁ ପ୍ରାୟ ୫୦ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ନିନିତା ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରେ ୪ଟି ଟ୍ରଲି ଲଗେଜ୍ ବ୍ୟାଗ୍ ଧରି ଅପେକ୍ଷା କରିଥିଲା। କୌଣସି ବସ୍ରୁ ଓହ୍ଲାଇବା ପରେ ସେ ଅନ୍ୟ ଗାଡ଼ିରେ ମାଲ୍ ନେଇ ଯିବାକୁ ବ୍ୟସ୍ତ ହେଉଥିଲା। ବସ୍ଷ୍ଟାଣ୍ଡରେ ଏତେ ଅଟୋ ବା ଟ୍ୟାକ୍ସି ଥିବା ସତ୍ତ୍ବେ ସେ ବାହାରୁ ଗାଡ଼ି ମଗାଇଥିଲା ଓ ବିଳମ୍ବ ଯୋଗୁଁ ବ୍ୟସ୍ତ ହୋଇପଡ଼ୁଥିଲା। ଚୋରା ଗଞ୍ଜେଇ ଚାଲାଣକାରୀ ରୢାକେଟ୍ ଗାଡ଼ି ତାକୁ ଲିଫ୍ଟ ଦେବାର ଥିଲା। ସନ୍ଦେହ କରି ପାଟ୍ରୋଲିଂ କରୁଥିବା ଖଣ୍ଡଗିରି ଥାନା ପୁଲିସ ଟିମ୍ ତାକୁ ପଚରାଉଚରା କରିବା ପରେ ସେ ଚତୁରତାର ସହ ପୁଲିସକୁ ଏଡ଼ାଇବାକୁ ଉଦ୍ୟମ କରିଥିଲା। ମାତ୍ର ସନ୍ଦେହ ବଢ଼ିବାରୁ ପୁଲିସ ଟ୍ରଲି ବ୍ୟାଗ୍ ଯାଞ୍ଚ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ନିନିତା ନାଲି ଆଖି ଦେଖାଇ ମହିଳା ପୁଲିସ ନ ହେଲେ ବ୍ୟାଗ୍ ଯାଞ୍ଚ କରିବାକୁ ଦେବ ନାହିଁ ବୋଲି ଜିଦ୍ ଧରିଥିଲା। ଶେଷରେ ମହିଳା ପୁଲିସ ସହାୟତାରେ ବ୍ୟାଗ ଯାଞ୍ଚ ହୋଇଥିଲା। ବ୍ୟାଗ୍ରୁ ଗଞ୍ଜେଇ ମିଳିବା ମାତ୍ରେ ତାକୁ ଥାନାକୁ ନିଆଯାଇଥିଲା ଓ ଅଧିକ ଛାନ୍ଭିନ୍ କରାଯାଇଥିଲା। ସେ ଜଣେ ପେସାଦାର ଗଞ୍ଜେଇ ଚାଲାଣକାରୀ। ସେ ବ୍ରହ୍ମପୁରରୁ ବସ୍ ଯୋଗେ ଗଞ୍ଜେଇ ଆଣି ରାଜଧାନୀର ବିଭିନ୍ନ ଖୁଚୁରା ବେପାରୀଙ୍କୁ ଯୋଗାଉଥିଲା ବୋଲି ପୁଲିସ ନିକଟରେ ମାନି ଯାଇଥିଲା। ନିନିତା ଏକ ବଡ଼ ରୢାକେଟ୍ର ସଦସ୍ୟ ବୋଲି ପୁଲିସକୁ ସୂଚନା ମିଳିଛି।