୯ ମାସରେ ଟ୍ୱିନ୍ ସିଟିରୁ ୧୦ କେଜି ବ୍ରାଉନ୍ସୁଗାର ଜବତ: ଏତେ ଧଳାଜହର ଆସୁଛି କେଉଁଠୁ?
୪୪ ମାମଲା, ୯୭ ଗିରଫ, ସାଢ଼େ ୪୩ ଲକ୍ଷ ଟଙ୍କା ଜବତ; ବାୟା କଲାଣି ବ୍ରାଉନ୍ସୁଗାର
ଭୁବନେଶ୍ୱର : କଟକ-ଭୁବନେଶ୍ବର ଟ୍ବିନ୍ ସିଟିରେ ଯୁବିପିଢ଼ି ବ୍ରାଉନସୁଗାର କବଳରେ କବଳିତ। ଦିନକୁ ଦିନ ନିଶାଗ୍ରସ୍ତ ଯୁବକଙ୍କ ସଂଖ୍ୟା ବଢ଼ୁଛି। ଗତ କିଛି ବର୍ଷ ଭିତରେ ଶହଶହ ସଂଖ୍ୟାରେ ଯୁବକ ଏହି ଧଳାଜହରର ଶିକାର ହୋଇଗଲେଣି। ଏହି ଚାଞ୍ଚଲ୍ୟକର ତଥ୍ୟ ଖୋଦ୍ କମିସନରେଟ୍ ପୁଲିସ ନିକଟରୁ ହିଁ ମିଳିଛି। ଆଜି ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଟ୍ବିନ୍ ସିଟିରେ ବ୍ରାଉନ୍ସୁଗାର କାରବାରର କାୟା ମେଲିଥିବା ଚିତ୍ର ସର୍ବସମ୍ମୁଖକୁ ଆସିଛି। ଗତ ୯ ମାସ ଭିତରେ ଟ୍ବିନ୍ ସିଟିରୁ ପୁଲିସ ୧୦ କେଜି ଓଜନର ବ୍ରାଉନ୍ସୁଗାର ଜବତ କରିଥିବା ବେଳେ ୪୪ମାମଲାରେ ୯୭ଜଣଙ୍କୁ ଗିରଫ କରିଥିବା ସୂଚନା ଦିଆଯାଇଛି। ପୁଲିସ ପାଇଁ ଏହା ଏକ ବଡ଼ ସଫଳତା ହୋଇପାରେ। କିନ୍ତୁ ଏତେ ପରିମାଣର ଜହର ବିକ୍ରି ହେଉଛି ଓ ପୁଲିସ ଚଢ଼ଉ ସତ୍ତ୍ବେ ଏହି ଜହର ବେପାର ଥମିବା ନାଁ ଧରୁନଥିବାରୁ ଏହା ଚିନ୍ତା ଓ ଉଦ୍ବେଗର କାରଣ ହୋଇଛି। ପୁଲିସ ଯେତିକି ଜବତ କରୁଛି, ତାହାଠାରୁ ଅଧିକ ବହୁ ପରିମାଣର ଧଳାଜହର ବିକ୍ରି ହେଉଛି ବୋଲି ବିଭିନ୍ନ ମହଲରୁ ଉଦ୍ବେଗ ପ୍ରକାଶ ପାଇଛି।
ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନାନୁସାରେ, ଏହି କାରବାରକୁ ରୋକିବା ଲାଗି କଡ଼ା ପଦକ୍ଷେପ ନିଆଯାଉଛି। ଚଳିତବର୍ଷ ଜାନୁଆରିରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୯ ମାସରେ ୧୦ କେଜିରୁ ଅଧିକ ପରିମାଣର ବ୍ରାଉନ୍ସୁଗାର ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ୧୦ କୋଟି ଟଙ୍କା ହେବ। ଏହା ବାଦ୍ ପୁଣି କ୍ରାଇମବ୍ରାଞ୍ଚ୍ ଏସ୍ଟିଏଫ୍ ମଧ୍ୟ ବିପୁଳ ପରିମାଣର ବ୍ରାଉନ୍ସୁଗାର ଜବତ କରିଛି। ସିପିଙ୍କ ସୂଚନାନୁସାରେ, କମିସନରେଟ୍ ପୁଲିସର ସ୍ବତନ୍ତ୍ର ଡ୍ରଗ୍ସ ବିରୋଧୀ ଅଭିଯାନ ଜାରି ରହିଛି। ଗତ ୯ ମାସ ମଧ୍ୟରେ ଭୁବନେଶ୍ବରରେ ୩୩ଟି ମାମଲା ରୁଜୁ ହୋଇଛି ଓ ୬୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୫.୭ କେଜି ବ୍ରାଉନ୍ସୁଗାର ସହ ୪୩.୫୦ଲକ୍ଷ ଟଙ୍କା ଜବତ କରାଯାଇଛି। ସେହିପରି କଟକରେ ୧୧ଟି ମାମଲାରେ ୩୦ ଜଣଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କଠାରୁ ୪.୬ କେଜି ବ୍ରାଉନ୍ସୁଗାର ଜବତ ହୋଇଛି। ସେହିଭଳି ଅଗଷ୍ଟ ମାସରୁ ପୁଣି ଏକ ନୂଆ ଅଭିଯାନ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି। ରାଜଧାନୀକୁ ବ୍ରାଉନ୍ସୁଗାର ବେପାରୀଙ୍କ କବଳରୁ ମୁକ୍ତ କରିବାକୁ ଆରମ୍ଭ ହୋଇଥିବା ଏହି ନୂଆ ଅଭିଯାନ ହେଉଛି ଅପେରସନ୍ ‘ହ୍ବାଇଟ୍ ସ୍ପାଇଡର୍’। ଗତ ୨ ମାସରେ ଏହି ଅଭିଯାନ ବଳରେ ୩୭ଜଣଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କଠାରୁ ୧୭୫୦ ଗ୍ରାମ୍ ଧଳାଜହର ଜବତ କରାଯାଇଛି।
ବଡ଼ କଥା ହେଉଛି, ପୁଲିସର ଏହି ସଫଳତା ସତ୍ତ୍ବେ ବ୍ରାଉନ୍ସୁଗାର କାରବାରର ଚେର ଧରା ପଡ଼ିନାହିଁ। ବାଲେଶ୍ବର ଓ ଜଳେଶ୍ବରରୁ ଟ୍ବିନ୍ ସିଟିକୁ ଏହି ବିଷ ଆସୁଥିବା ସ୍ପଷ୍ଟ ହୋଇଥିଲେ ବି କାରବାରର ମୁଖିଆମାନଙ୍କୁ ଠାବ କରାଯାଇନାହିଁ। ସେହିଭଳି ବିଦେଶରୁ କିଭଳି ଏହି ଧଳା ବିଷ ସୀମା ଡେଇଁ ଦେଶ ଭିତରକୁ ଆସୁଛି, ସେନେଇ କିଛି ସୂଚନା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ଯେପର୍ଯ୍ୟନ୍ତ ପୁଲିସ ସେସବୁ ତଥ୍ୟ ହାସଲ ନ କରିଛି, ସବୁ ଅପରେସନ୍ ଫଳପ୍ରଦ ହେବ ନାହିଁ ବୋଲି କୁହାଯାଉଛି।
ରେଭ୍ ପାର୍ଟି ଉପରେ ନଜର
ରାଜଧାନୀରେ ଚାଲିଛି ରେଭ୍ ପାର୍ଟି। ବିଭିନ୍ନ ବାର୍ରେ ରେଭ୍ ପାର୍ଟି ଆୟୋଜନ କରାଯାଉଛି। ଗତ କିଛି ଦିନ ହେଲା କୋଭିଡ୍ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ବାର୍ରେ ଚଢ଼ଉ କରାଯାଇଛି। ସେସବୁ ପାର୍ଟିରେ ମଦ ବା ହୁକା ଭଳି ନିଶା ବ୍ୟବହାର ହେଉଥିବା ବେଳେ ବ୍ରାଉନ୍ସୁଗାର ବ୍ୟବହାର କଥା ଜଣାପଡ଼ିନାହିଁ। ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନାନୁସାରେ, ସ୍ବତନ୍ତ୍ର ଅଭିଯାନ ଜରିଆରେ ରେଭ୍ ପାର୍ଟି ଉପରେ ମଧ୍ୟ ନଜର ରଖାଯାଇଛି। ରେଭ୍ ପାର୍ଟିରେ ନିଶା କାରବାର ହେବା ସାଧାରଣ କଥା। କଡ଼ା ନଜର ରହିଛି ଓ ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
୨୨ ଲକ୍ଷର ବ୍ରାଉନ୍ସୁଗାର ଜବତ, ବେପାରୀ ଗିରଫ
ବାଲିଅନ୍ତା : କମିସନରେଟ ପୁଲିସର କ୍ୟୁଏଟି ଟିମ ଓ ବାଲିଅନ୍ତା ଥାନା ପୁଲିସ ଶନିବାର ମିଳିତ ଭାବେ ଚଢ଼ଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେ ହେଲା, ସହିଦନଗର ଥାନା ଅଧୀନ କେଶୁରା (ଆଶୁତୋଷନଗର) ଅଞ୍ଚଳରେ ରହୁଥିବା ମୃଣାଳ ସାମଲ(୩୦)। ତା’ ନିକଟରୁ ପୁଲିସ ୨୬୦ଗ୍ରାମ ବ୍ରାଉନସୁଗାର ସମେତ ୧୦ ହଜାର ଶହେ ଟଙ୍କା ଓ ଗୋଟିଏ ଦାମୀ ମୋବାଇଲ ଫୋନ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୨୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ତେବେ ପୁଲିସ ଚଢ଼ଉ ସମୟରେ ଘଟଣାସ୍ଥଳରୁ ୪ଜଣ ଖୁଚୁରା ବ୍ୟବସାୟୀଙ୍କ ସମେତ ଗ୍ରାହକ ଖସି ପଳାଇଥିବା ଜଣାପଡ଼ିଛି।
ଥାନା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଭିଙ୍ଗାରପୁର ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର କାଜ ଓ ଭିଙ୍ଗାରପୁର କୁଶଭଦ୍ରା ସେତୁ ଅଞ୍ଚଳ ନିଛାଟିଆ ରାସ୍ତାରେ ଚୋରା ବ୍ରାଉନସୁଗାର କାରବାର ଚାଲିଥିବା ସଂପର୍କରେ ବିଶ୍ବସ୍ତ ସୂତ୍ରରୁ କମିସନରେଟ ପୁଲିସକୁ ଖବର ମିଳିଥିଲା। ଖବର ପାଇ କ୍ୟୁଏଟି ଟିମ ବାଲିଅନ୍ତା ଥାନା ପୁଲିସ ସହାୟତାରେ ସେଠାରେ ଅତର୍କିତ ଚଢ଼ଉ କରି ମୃଣାଳକୁ କାବୁ କରି ନେଇଥିଲେ। ହେଲେ ଘଟଣାସ୍ଥଳରୁ ଅନ୍ୟ ବେପାରୀଙ୍କ ସମେତ ଗ୍ରାହକମାନେ ଖସି ପଳାଇଥିଲେ। ପୁଲିସ ଏହି ମାମଲାକୁ ଆଧାର କରି ମୃଣାଳଠାରୁ ଆଉ ଅଧିକ ତଥ୍ୟ ହାସଲ କରିବା ଲାଗି କୋର୍ଟରୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଥାନା ଅଧିକାରୀ ଯୁବରାଜ ସ୍ବାଇଁ କହିଛନ୍ତି। ସୂଚନା ମୁତାବକ, ମୃଣାଳ ସହ ବାଇକରେ ଆସିଥିବା ସହଯୋଗୀ ପୁଲିସ ଚଢ଼ଉ ସମୟରେ ଖସି ପଳାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ରାମଚନ୍ଦ୍ରପୁର କାଜ ସମେତ ଭିଙ୍ଗାରପୁର, ବେଣୁପୁର, ଗୋତଳବିନ୍ଧା ଛକ, ବାଳକାଟି ଭାର୍ଗବୀ ବ୍ରିଜ ନିକଟ, ନଦୀପଠା ସମେତ ସରକଣା ଗ୍ରାମ, ଟଙ୍କପାଣି ବ୍ରିଜ, ପତୁରିଆ ବଜାର ଓ ଜୟଦେବ ପୀଠ ଅଞ୍ଚଳରେ ଏବେ ବେଧଡ଼କ ଭାବେ ବ୍ରାଉନସୁଗାର କାରବାର ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।