ଭୁବନେଶ୍ବର : ସାଲିଆସାହି ଆମ୍ବେଦକର ସାହିରୁ ନୂଆପଲ୍ଲୀ ପୁଲିସ ଆଜି ୨ଜଣ ନିଶା ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ, ଆମ୍ବେଦକର ସାହିର ମଣ୍ଟୁ ଓରଫ୍ ଦିଲ୍ଲୀପ ପ୍ରଧାନ(୩୨) ଓ ବିଜୁ ଓରଫ୍ ବିଜନ କହଁର। ପୁଲିସ ସେମାନଙ୍କ ପାଖରୁ ୩୦ହଜାର ଟଙ୍କାର ବ୍ରାଉନ ସୁଗାର ଓ ନଗଦ ୩୬ଶହ ଟଙ୍କା ଜବତ କରିଛି।
ସୁନା ଅଳଙ୍କାର ନେଲେ, ଛାଡ଼ିଗଲେ ରୁପା
ଭୁବନେଶ୍ବର : ଗତକାଲି ରାତିରେ ବଡ଼ଗଡ଼ ପାଣ୍ଡବନଗରରୁ ଦୁର୍ବୃତ୍ତମାନେ ଏକ ଘରର ଝରକା ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି।ଏନେଇ ଘର ମାଲିକ ଅନୁପ କୁମାର ପଣ୍ଡା ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ସୂଚନାନୁସାରେ ଯେଉଁ ରୁମ୍ରେ ଆଲ୍ମିରା ଥିଲା, ସେଠାରେ କେହି ଶୋଇନଥିଲେ। ଦୁର୍ବୃତ୍ତମାନେ ସେହି ରୁମ୍ର ଝରକା ତାଡ଼ି ଭିତରେ ପଶିଥିଲେ ଓ ଆଲ୍ମିରାରୁ କେବଳ ସୁନା ଗହଣା ଓ ନଗଦ ୯ ହଜାର ୫ ଶହ ଟଙ୍କା ନେଇଥିଲେ। ତେବେ ଚୋରମାନେ କୌଣସି ଗୋଟିଏ ବି ରୁପା ଅଳଙ୍କାର ନେଇନାହାନ୍ତି।
୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଗିରଫ
ଭୁବନେଶ୍ବର : ବରମୁଣ୍ଡା ବସଷ୍ଟାଣ୍ଡ୍ରୁ ଆଜି ଭରତପୁର ଥାନା ପୁଲିସ ୨ଜଣ ଅନ୍ତଃରାଜ୍ୟ ଗଂଜେଇ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମେଦିନୀପୁରର ନିଶିକାନ୍ତ ବେରା(୪୮) ଓ ଖଣ୍ଡଗିରି କୋଳଥିଆର ସାଗର ପୁନ। ଆଜି ସେମାନେ ଗଂଜେଇ ନେଇ କୋଲକାତା ଯିବା ପାଇଁ ବସ୍କୁ ଅପେକ୍ଷା କରିଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ବ୍ୟାଗ୍ରୁୁ ୨୧.୫କେଜି ଗଂଜେଇ(ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା)ମିଳିଥିଲା।
ବିଧାୟକଙ୍କ କ୍ବାର୍ଟର୍ସ ସାମ୍ନାରୁ କାର୍ କାଚ ଭାଙ୍ଗି ଲୁଟିଲେ
ଭୁବନେଶ୍ବର : ୟୁନିଟ୍-୧ ଅଞ୍ଚଳରୁ ଜଣେ ବିଧାୟକଙ୍କ କ୍ବାର୍ଟର୍ସ ନିକଟରେ ପାର୍କିଂ ହୋଇଥିବା କାର୍ କାଚ ଭାଙ୍ଗି ଲୁଟି ନେଇଛନ୍ତି ଭ୍ୟାନିଟି। ଏ ନେଇ କ୍ୟାପିଟାଲ ଥାନାରେ ଶିଶିର ବରଣ ପୁରୀ ଅଭିଯୋଗ କରିବାରୁ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଶିଶିର ଓ ତାଙ୍କ ପତ୍ନୀ ଗତକାଲି ସନ୍ଧ୍ୟାରେ କାର୍ ପାର୍କିଂ କରି ଏକ ନମ୍ବର ହାଟକୁ ଯାଇଥିଲେ। ଫେରିବା ବେଳେ ଦେଖିଲେ ଯେ ତାଙ୍କର ଡ୍ରାଇଭର ସିଟ୍ ପଟ କାଚ ଭଙ୍ଗା ଯାଇଛି ଓ ଗାଡ଼ିରେ ଥିବା ଭ୍ୟାନିଟି ବ୍ୟାଗ୍ ଚୋରି ହୋଇଯାଇଛି। ଭ୍ୟାନିଟିରେ ଦାମୀ ମୋବାଇଲ, ଡେବିଟ୍ ଓ କ୍ରେଡିଟ୍ କାର୍ଡ, ଚାବି ଆଦି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଥିଲା। ପୁଲିସ ଲୁଟେରାଙ୍କ ଟେର୍ ପାଇ ପାରିନଥିବା ଜଣାପଡ଼ିଛି।