ପୁଣି ୧୫ ଲକ୍ଷ ଟଙ୍କାର ଧଳାଜହର ଜବତ, ୨ ଗିରଫ

୧୫୦ ନିଶା ବେପାରୀ ଗିରଫ ‌ହେଲେଣି
୧.୫ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ ହେଲାଣି
ରାଜଧାନୀକୁ ବାଲେଶ୍ବର, ଖୋର୍ଧା ଓ ଚଣ୍ଡୀଖୋଲରୁ ଆସୁଛି

ଖଣ୍ଡଗିରି : ଏସ୍‌ଟିଏଫ୍‌ର ଘନଘନ‌ ଚଢ଼ାଉ ଓ ବଡ଼ ବଡ଼ ମାଫିଆଙ୍କ ଗିରଫଦାରି ପରେ ମଧ୍ୟ ଧଳା ଜହର ବ୍ରାଉନ୍ ସୁଗାର କାରବାରର ନିୟନ୍ତ୍ରଣ ହେଉନାହିଁ। ଏହି କାରବାରର ମୁଖ୍ୟ ପେଣ୍ଠସ୍ଥଳ ଏବେ ଖୋର୍ଧା ଅଂଚଳ ହୋଇଛି। ପୂର୍ବଭଳି ଖୋର୍ଧାରୁ ରାଜଧାନୀକୁ ବ୍ରାଉନ୍ ସୁଗାର ଚାଲାଣ ଚାଲିଛି। ମଙ୍ଗଳବାର ସନ୍ଧ୍ୟାରେ ଖୋର୍ଧାର ଦୁଇ ବେପାରୀଙ୍କୁ କମିସନରେଟ୍‌ ପୁଲିସ ବରମୁଣ୍ଡା ଅଞ୍ଚଳରୁ ଗିରଫ କରିଛି ଓ ସେମାନଙ୍କଠାରୁ ୧୫୦ ଗ୍ରାମ୍ ମାଲ୍ ଜବତ କରିଛି। ଜବତ ମାଲ୍‌ର ଆନୁମାନିକ ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଅଭିଯୁକ୍ତମାନେ ହେଲେ ଗଡ଼ଖୋର୍ଧା ହାଉସିଂ ବୋର୍ଡ କଲୋନିର କାଳୀପ୍ରସାଦ ରାଉଳ(୨୫) ଓ ଜଟଣୀ ଲୋକୋ କଲୋନିର ବିଜୟ ନାୟକ ଓ ଓରଫ୍ ପାଣିଗ୍ରାହୀ(୨୭)। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ଅଭିଯୁକ୍ତଦ୍ବୟ ଏକ କାର୍(ଓଡି୦୨ଏସି-୬୪୯୭) ଯୋଗେ ଖୋର୍ଧାରୁ ମାଲ୍ ନେଇ ଭୁବନେଶ୍ବର ଆସିଥିଲେ। ସେମାନେ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆ ନିକଟରେ ଏହି ମାଲ୍‌ ଧରି ଅପେକ୍ଷା କରିଥିଲେ। ରାଜଧାନୀରେ ବେପାର ଚଳାଉଥିବା କିଛି କୁଚିଆ (ଛୋଟ ବେପାରୀ)ଙ୍କୁ ସେମାନେ ଏହି ମାଲ୍ ବିକିବାର ଥିଲା। କିନ୍ତୁ ସ୍ପେଶାଲ୍‌ ସ୍କ୍ବାଡ୍‌ କୌଣସି ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସହଯୋଗରେ ସେଠାରେ ଚଢ଼ାଉ କରି ଥିଲା। ତେବେ ଅଭିଯୁକ୍ତ କାଳୀପ୍ରସାଦ ଓ ବିଜୟ ଖୋର୍ଧା ପେଣ୍ଠର ବଡ଼ ମାଛ ନୁହନ୍ତି ବୋଲି ଜଣାପଡ଼ିଛି। ସେମାନେ କେବଳ ମାଲ୍‌ ଚାଲାଣକାରୀ। ବାଲେଶ୍ବର ଓ ଜଳେଶ୍ବରରୁ ମାଲ୍‌ ମଗାଉଥିବା ଅସଲି ବଡ଼ ବେପାରୀ ଖୋର୍ଧାରେ ଗାଦିମାଡ଼ି ବସିଛି ବୋଲି ସେମାନେ ସୂଚନା ଦେଇଛନ୍ତି।

ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଗତ ୫ ମାସ ହେବ କମିସନରଟ ପୁଲିସର ଡିଟିଏଫ୍‌ ଓ ସ୍ପେସାଲ ସ୍କ୍ବାଡ୍‌ ନିଶା ବୋପାରୀଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ୧୫୦ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ ଥିବା ବେଳେ ୧.୫ କୋଟି ଟଙ୍କା ମୂଲ୍ୟର ବ୍ରା‌ଉନ ସୁଗାର ଜବତ ହୋଇଛି। ଏହି ସବୁ ବ୍ରାଉନ ସୁଗାର ବାଲେଶ୍ବର, ଖୋର୍ଧା ଓ ଚଣ୍ଡୀଖୋଲରୁ ଭୁବନେଶ୍ବର ଆସୁଛି। ରାଜଧାନୀରେ ଯେଉଁମାନେ ନିଶା କାରବାର କରୁଛନ୍ତି, ସେମାନଙ୍କ ସମ୍ପର୍କରେ ଜନସାଧାରଣ ପୁଲିସକୁ ଗୁପ୍ତ ସୂଚନା ଦେଲେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର