ମାଛ ଗାଡ଼ିରେ ବ୍ରାଉନସୁଗାର, ଜଳେଶ୍ୱରରୁ ଆଣି ଭୁବନେଶ୍ୱରରେ ବିକୁଥିଲେ

ଡ୍ରାଇଭର, ବେପାରୀ ଗିରଫ, ୫୦ ଲକ୍ଷ ଟଙ୍କାର ଧଳାଜହର, ବୋଲେରୋ, ୧୯୦୦ ଟଙ୍କା ଜବତ

ଭୁବନେଶ୍ୱର : ମାଛ ବେପାର ଆଳରେ ବ୍ରାଉନସୁଗାର କାରବାର କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ୍‌। ଏହି ଘଟଣାରେ ପୁଲିସ୍‌ ସୋମବାର ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ବଲେରୋ (ଓଡି୦୧-ଏଏଫ୍-୮୧୩୦), ୫୮୨ ଗ୍ରାମର ବ୍ରାଉନସୁଗାର, ୧୯୦୦ ଟଙ୍କା, ଦୁଇଟି ମୋବାଇଲ ଫୋନ୍ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ, ବାଲେଶ୍ବର ଜଳେଶ୍ବର ଅଞ୍ଚଳର ଗାଡ଼ି ଚାଳକ ମଦନ କୁମାର ବେହେରା ଓ ବେପାରୀ ଶେଖ୍ ମଙ୍ଗଲୁ।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଛନ୍ତି, ମଦନ ଓ ମଙ୍ଗଲୁ ନିୟମିତ ଜଳେଶ୍ବରରୁ ମାଛ ଆଣି ଭୁବନେଶ୍ବରରେ ବିକ୍ରି କରନ୍ତି। ସପ୍ତାହକୁ ପ୍ରାୟ ତିନିଥର ମାଛ ଆଣନ୍ତି। ବ୍ରାଉନସୁଗାର ହବ୍ ଜଳେଶ୍ବରରୁ ଆସିଲା ବେଳେ ସାଙ୍ଗରେ ଧଳାଜହର ମଧ୍ୟ ଆଣନ୍ତି। ମାଛ ବିକ୍ରି ଆଳରେ ସେମାନେ ଭୁବନେଶ୍ବରରେ ନିଶା ବେପାରୀଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିଲେ। ଆଜି ସକାଳେ ଖବର ପାଇ କୁଇକ୍ ଆକ୍ସନ ଟିମ୍(କ୍ୟୁଏଟି) ଓ ମଞ୍ଚେଶ୍ବର ଥାନାର ମିଳିତ ଟିମ୍ ଚଢ଼ଉ କରି ଏହି ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବ୍ରାଉନସୁଗାର ଜବତ କରିଛି। ମଞ୍ଚେଶ୍ବର ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଗିରଫ ଦୁଇଜଣଙ୍କୁ କୋର୍ଟଚାଲାଣ କରାଯାଇଛି।

ଗ୍ରାହକ ହୋଇ ଧରିଲେ
ବ୍ରାଉନସୁଗାର କାରବାର କରୁଥିବା ଖବର କ୍ୟୁଏଟି ପାଖରେ ପହଞ୍ଚିଥିଲା। ଗତ କିଛି ଦିନ ଧରି କ୍ୟୁଏଟି ଏମାନଙ୍କ ଉପରେ ନଜର ରଖିଥିଲା। ଗ୍ରାହକ ସାଜି ଯୋଗାଯୋଗ ଆରମ୍ଭ କରିଥିଲା। ଏହା ପରେ ଆରମ୍ଭ ହୋଇଥିଲା ଡିଲ୍। ଆଜି ସକାଳେ ହାଇଟେକ୍ ଛକ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ ବଲେରୋ ଧରି ପହଞ୍ଚିଥିଲେ ମଙ୍ଗଲୁ ଓ ମଦନ। ସେହି ସମୟରେ କ୍ୟୁଏଟି ଓ ମଞ୍ଚେଶ୍ବର ପୁଲିସର ମିଳିତ ଟିମ୍ ଉଭୟଙ୍କୁ ଧରିଥିଲା।

ସମ୍ବନ୍ଧିତ ଖବର