୩୪ ଗ୍ରାମ୍‌ ବ୍ରାଉନସୁଗାର ଜବତ, ୨ ବ୍ୟବସାୟୀ ଗିରଫ

ବନ୍ଧୁକ, ଗୁଳି, ମୋବାଇଲ୍‌ ଜବତ, ଲୁଟେରା ଗିରଫ

ଭୁବନେଶ୍ବର : କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଚଢ଼ଉ କରି ୨ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ଖୋର୍ଦ୍ଧା ଜିଲ୍ଲା କଲ୍ୟାଣପୁର ଅଞ୍ଚଳର ସନ୍ତୋଷ ରାଉତରାୟ(୩୮) ଓ ବାଲେଶ୍ବର ନୀଳଗିରି ଅଞ୍ଚଳର ସୁରେନ୍ଦ୍ର ସିଂ(୩୫)। ପୁଲିସ ସେମାନଙ୍କଠାରୁ ୩୪ଗ୍ରାମ ବ୍ରାଉନ୍‌ସୁଗାର, ବାଇକ୍‌, ୩ଟି ମୋବାଇଲ୍‌ ଓ ସାଢ଼େ ୩ହଜାର ଟଙ୍କା ଜବତ କରିଛି। ଜବତ ବ୍ରାଉନ୍‌ସୁଗାର୍‌ର ମୂଲ୍ୟ ସ‌ାଢ଼େ ୩ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ପୁଲିସ ସୂଚନା ମୁତାବକ, ଗୁରୁବାର ଅପରାହ୍‌ଣ ସାଢ଼େ ଗୋଟାଏରେ ନୂଆପଲ୍ଲୀ ଜଳେଶ୍ବର ମନ୍ଦିର ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଉଭୟ ବ୍ରାଉନ୍‌ସୁଗାର କାରବାର କରୁଥିବା ଖବର ପାଇ ଚଢ଼ଉ କରାଯାଇଥିଲା। ପୁଲିସକୁ ଦେଖି ସେମାନେ ଫେରାର୍‌ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ଥାନାକୁ ଆଣି ପଚରାଉଚରା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବନ୍ଧୁକ, ଗୁଳି, ମୋବାଇଲ୍‌ ଜବତ, ଲୁଟେରା ଗିରଫ

ଭୁବନେଶ୍ବର : ରେଳବାଇ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ, ୧୫ଗୁଳି, ୨ଟି ମ୍ୟାଗାଜିନ୍‌, ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେ ହେଲା ଜଗତସିଂହପୁର ଜିଲ୍ଲା ତୈଲା ଅଞ୍ଚଳର ଜିତେନ୍ଦ୍ର ମଲ୍ଲିକ(୩୦)। ଗତ ଜୁଲାଇ ୨୮ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ମନୋଜ କୁମାର ନାମକ ଜଣେ ଯାତ୍ରୀ ଉତ୍ତରପ୍ରଦେଶ ଯିବା ପାଇଁ ରେଳଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସେ ନୂଆ ଟିକଟ କାଉଣ୍ଟର ନିକଟରେ ଶୋଇଥିବା ସମୟରେ ଜିତେନ୍ଦ୍ର ତାଙ୍କ ବ୍ୟାଗ୍‌ ନେଇଯାଇଥିଲା। ଯେଉଁଥିରେ ତାଙ୍କର ଗୋଟିଏ ବନ୍ଧୁକ, ୨୦ଟି ଗୁଳି, ୨ଟି ମ୍ୟାଗାଜିନ୍‌, ମୋବାଇଲ୍‌, ଏକ ହଜାର ଟଙ୍କା ଓ ଅନ୍ୟାନ୍ୟ କାର୍ଡ ଥିଲା। ବ୍ୟାଗ୍‌ ଚୋରି ହୋଇଥିବା ଜାଣିବା ପରେ ମନୋଜ ରେଳବାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିସିଟିଭି ଫୁଟେଜ୍‌ରୁ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ତା’ ଠକିଣା ଠାବ ପରେ ପୁଲିସ ଗତକାଲି ରାତିରେ ଜଗତସିଂହପୁର ସ୍ଥିତ ଘରେ ଚଢ଼ଉ କରି ଗରିଫ କରିଥିଲା।

ସମ୍ବନ୍ଧିତ ଖବର