୪୦ ଲକ୍ଷର ବ୍ରାଉନସୁଗାର ଜବତ, ୩ ଗିରଫ

ଅପରେସନ୍ ହ୍ବାଇଟ୍-ସ୍ପାଇଡର୍‌ର ସ୍ପେସାଲ୍ ଡ୍ରାଇଭ

ଭୁବନେଶ୍ବର/ବାଲିଅନ୍ତା: ଅପରେସନ୍ ହ୍ବାଇଟ୍-ସ୍ପାଇଡର୍‌କୁ ଆଉ ଏକ ବଡ଼ ସଫଳତା ମିଳିଛି। ଗୋଟିଏ ଦିନରେ କମିସନରେଟ ପୁଲିସ୍‌ ବାଲିଅନ୍ତା ଅଞ୍ଚଳରୁ ୪ ଶହ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏହାର ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏହାସହ ଏହି ବେଆଇନ କାରବାରରେ ସଂପୃକ୍ତ ୩ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନେ ହେଲେ, ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଥାନା ଅଧୀନ ରାଜପୁରର ସେକ୍ ମୁନା, ଅଫତାର ହୁସେନ୍ ଏବଂ ଇସମାଇଲ୍ ଖାନ୍। ପୁଲିସ ସେମାନଙ୍କଠାରୁ ଗୋଟିଏ ସ୍କୁଟି, ୨ଟି ମୋବାଇଲ୍‌, ୬ଶହ ଟଙ୍କା ମଧ୍ୟ ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
ଏ ସମ୍ପର୍କରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଛନ୍ତି ଯେ କମିସନରେଟ୍‌ ପୁଲିସ ନିଶାବିରୋଧୀ ଅଭିଯାନ ଜାରି ରଖିଛି।

ଦୁଇ ସପ୍ତାହ ତଳେ ଆରମ୍ଭ ହୋଇଥିବା ଅପରେସନ୍ ହ୍ବାଇଟ୍ ସ୍ପାଇଡର୍‌ର ସ୍ପେସାଲ ଡ୍ରାଇଭରେ ୭୫୦ ଗ୍ରାମ୍‌ ତଥା ପାଖାପାଖି ୭୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏ ସଂକ୍ରାନ୍ତରେ କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ୧୬ଟି ମାମଲା ରୁଜୁ କରାଯିବା ସହ ୩୨ଜଣ ଗିରଫ ହୋଇଛନ୍ତି। ଆଗକୁ ପୂଜା ଆସୁଛି, ଏହି ସମୟରେ ନିଶା କାରବାର ବଢ଼ିବାର ଆଶଙ୍କା ରହିଛି। ନିଶା କାରବାର ହେବା କାରଣରୁ ସହରରେ ଅପରାଧ ବଢ଼ୁଛି। ତେଣୁ ଯେଉଁମାନଙ୍କ ପିଲାମାନେ ନିଶା ସେବନ କରୁଛନ୍ତି, ସେମାନଙ୍କ ପରିବାରଲୋକ ଏ ସମ୍ପର୍କରେ ପୁଲିସକୁ ଖବର ଦିଅନ୍ତୁ। ପୁଲିସ ଭୁବନେଶ୍ବର ଓ କଟକରୁ ଯଥାସମ୍ଭବ ନିଶା କାରବାରର ମୂଳୋତ୍ପାଟନ କରିବାକୁ ଚେଷ୍ଟା କରୁଛି। ତେଣୁ ଏହି ସମୟରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି। ରାଜଧାନୀରେ ନିଶା କାରବାର ବନ୍ଦ କରିବାକୁ ଗତବର୍ଷଠାରୁ କମିସନରେଟ୍‌ ପୁଲିସ ପକ୍ଷରୁ ନିଶାବିରୋଧୀ ଅଭିଯାନ ଆରମ୍ଭ କରାଯାଇଛି। ଗତବର୍ଷ କମିସନରେଟ ପୁଲିସ ୧୨କେଜି ୫ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା କମିସନରେଟ ପୁଲିସ ପାଇଁ ଏକ ରେକର୍ଡ। ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର