ଜଳେଶ୍ବରରୁ ଭୁବନେଶ୍ବର ଚାଲାଣ: ରାଜଧାନୀରୁ ୫୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ୩ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଆଜି ୫୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି କମିସନରେଟ ପୁଲିସ୍‌ର କୁଇକ୍‌ ଆକ୍ସନ ଟିମ୍‌। ଏହା ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ଭୁବନେଶ୍ବରକୁ ଚାଲାଣ ହେଉଥିଲା। ଏଠାରେ ଏକ ରାକେଟ ଗଠନ କରି ବ୍ରାଉନ ସୁଗାର ବିକ୍ରି କରାଯାଉଥିଲା। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ‌ପରେ ପୁଲିସ ଟିମ୍‌ ଆଜି ସକାଳୁ ତମାଣ୍ଡୋ ପୁଲିସ ଥାନା ଅନ୍ତର୍ଗତ ପାଟଶାଣୀ ଢାବା ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବ୍ରାଉନ ସୁଗାର ଚାଲାଣ କରୁଥିବା ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଅଭିଯୁକ୍ତମାନେ ହେଲେ ଜିଲ୍ଲା ଜଳେଶ୍ବର ପୁଲିସ ଥାନା ଅଧୀନ ରାଜପୁର ବସ୍ତିର ଏସ୍‌କେ ହଫିଜ୍‌ଉଦ୍ଦୀନଙ୍କ ପୁଅ ନସୀମଉଦ୍ଦୀନ ଓରଫ ପପୁ (୨୩) ଓ ଖୋର୍ଦ୍ଧା ଜିଲ୍ଲା ମଂଚେଶ୍ବର ଥାନା ଅନ୍ତର୍ଗତ ରସୁଲଗଡ଼ ନିବାସୀ ନରସିଂହ ରାଉତରାୟଙ୍କ ପୁଅ ଚିତ୍ତରଂଜନ ରାଉତରାୟ (୫୧)।

ତମାଣ୍ଡୋ ପୁଲିସ ୨ ଅଭିଯୁକ୍ତଙ୍କ ଠାରୁ ୫୨୦ ଗ୍ରାମର ବ୍ରାଉନ ସୁଗାର (ଯାହାର ମୂଲ୍ୟ ୫୨ ଲକ୍ଷ ଟଙ୍କା ଆକଳନ କରାଯାଇଛି), ନଗଦ ୧୩ ହଜାର ୪୦୦ ଟଙ୍କା, ୨ଟି ବାଇକ୍‌ ଓ ୪ଟି ମୋବାଇଲ ଫୋନ ଜବତ କରିଛି। ପୁଲିସ ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଦାୟିତ୍ବ ନେଇଛନ୍ତି ଆଇଆଇସି ପ୍ରମୋଦ ପଟ୍ଟନାୟକ।

ସମ୍ବନ୍ଧିତ ଖବର