ଉତ୍ତରାରୁ ୯୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ସ୍କୁଟି ଓ ବାଇକ୍‌ ସମେତ ୩୫ ଶହ ଟଙ୍କା ଜବତ

ଧଉଳି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ରାମ ମନ୍ଦିର ନିକଟସ୍ଥ ନିଛାଟିଆ ଅଞ୍ଚଳ‌‌ରେ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ୍‌ ଶନିବାର ଭୋର୍‌‌ରେ ଚଢ଼ଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି। ସେଠାରେ କିଛି ବେପାରୀ ଆଡ଼ା ଜମାଇ ଧଳାଜହର କାରବାର କରୁଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ପୁଲିସ ୯୭୮ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ପୁଲିସ୍‌ ତାକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ‌ରେ ହାଜର କରାଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ପୁରୀ ଜିଲ୍ଲା ପିପିଲି ଥାନା ଅଧୀନ ନୃସିଂହପୁର ଗ୍ରାମର ମୁର୍ସିଦ ଖାନ(୩୨) ଓରଫ ଜୁମା, ଇମ୍ରାନ ସା’(୩୨), ଜାଭିଦ ସା’(୨୨) ଓ ବାଲେଶ୍ବର ଜିଲ୍ଲା ଟାଉନ୍‌ ଥାନା ଅଧୀନ ସୁନହଟ ଗ୍ରାମର ଏସକେ ସାଜଦ୍‌ ଅଲ୍ଲୀ(୨୪)। ଜବତ ବ୍ରାଉନସୁଗାରର ମୂଲ୍ୟ ୯୦ ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ଏହାସହ ଘଟଣାସ୍ଥଳରୁ ଗୋଟିଏ ସ୍କୁଟି, ବାଇକ୍‌ ଓ ନଗଦ ୩୫୦୦ ଟଙ୍କା ଜବତ କରାଯାଇଛି ବୋଲି ଫାଣ୍ଡି ଅଧିକାରୀ ସୌମ୍ୟରଂଜନ ଜେନା କହିଛନ୍ତି।

ପୁଲିସ୍‌ ସୂଚନାନୁସାରେ, ଏହି ରୢାକେଟ୍‌ ବିଭିନ୍ନ ଜିଲ୍ଲାରେ ଧଳାଜହର କାରବାର ଚଳାଇ ଆସୁଥିଲେ। ଏହି ରୢାକେଟ୍‌ର ଚେର ବାଲେଶ୍ବର ଓ ଜଳେଶ୍ବରରୁ ଉତ୍ତରା, ଧଉଳି, ବାଳକାଟି ଓ ପିପିଲି ଆଦି ଅଞ୍ଚଳକୁ ଲମ୍ବିଛି। ରୢାକେଟ୍‌ର ମୁଖ୍ୟ ମୁର୍ସିଦ ନାମରେ ଏକାଧିକ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି। ମୁର୍ସିଦ ସେମାନଙ୍କ ସହାୟତାରେ ଦୀର୍ଘ ଦିନ ହେବ ବିଭିନ୍ନ ଜିଲ୍ଲାରେ ବ୍ରାଉନସୁଗାର ରୢାକେଟ୍ ଚଳାଇଥିଲା।

ସମ୍ବନ୍ଧିତ ଖବର