ବ୍ରାଉନ୍‌ସୁଗାର ମାଫିଆର ହାଇଟେକ୍‌ କୌଶଳ: ଡାକ୍ତର, ପୁଲିସ, ଇଭେଣ୍ଟ୍ ମ୍ୟାନେଜର୍ ସାଜି ଚକ୍‌ମା ଦେଉଥିଲା

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ ଘଟଣା

ଭୁବନେଶ୍ବର : ଡାକ୍ତର, ପୁଲିସ୍‌, ଇଭେଣ୍ଟ ମ୍ୟାନେଜର୍‌। ଏ ସବୁ ପରିଚୟ ତା’ ପାଖରେ ଥିଲା। କେଉଁଠି ଜରୁରୀକାଳୀନ ରୋଗୀ ଅପରେସନ୍‌ ଥିବା କହି ପୁଲିସ୍‌ ଚେକିଂକୁ ଏଡ଼ାଇ ଯାଉଥିଲା ତ କେଉଁଠି ପୁଲିସ୍‌ ପୋଷାକ ଓ ଗାଡ଼ି ଧରି ନିଶା ମାଫିଆଙ୍କୁ ଏସ୍‌କର୍ଟ କରି ଆଣୁଥିଲା। ସେହିପରି ବଡ଼ ବଡ଼ ପାର୍ଟିଗୁଡ଼ିକରେ ବ୍ରାଉନ୍‌ସୁଗାର ଡେଲିଭରି ଦେବା ପାଇଁ ଇଭେଣ୍ଟ ମ୍ୟାନେଜର୍‌ ସାଜୁଥିଲା। ନିଜ ପାଖରେ ସେ ସବୁପ୍ରକାର ପରିଚୟପତ୍ର ମହଜୁଦ୍‌ ରଖୁଥିଲା। ଯୋଉଠି ଯାହା ଦରକାର, ସେଠି ଦେଖାଇ ଆରାମରେ ଖସି ଯାଉଥିଲା। ଏମିତି ହାଇପ୍ରୋଫାଇଲ୍‌ କୌଶଳ ଆପଣାଇ ପାଖାପାଖି ୨ ବର୍ଷ ହେବ ପୁଲିସ୍‌ ଆଖିରେ ଆଙ୍ଗୁଠି ଗେଂଜି ରାଜଧାନୀ ସମେତ ଉପକଣ୍ଠରେ ବ୍ରାଉନସୁଗାର କାରବାର କରି ଆସୁଥିବା ଜଣେ ଧୂର୍ତ୍ତ ଆଜି ଧରାପଡ଼ିବା ପରେ ଏସ୍‌ଟିଏଫ୍‌ର ମୁଣ୍ଡ ଘୂରାଇ ଦେଇଛି। କୋଉଠୁ ତଦନ୍ତ ଆରମ୍ଭ କରିବ, ଏସ୍‌ଟିଏଫ୍‌ ଅଧିକାରୀ ବୁଝି ପାରୁନାହାନ୍ତି। ଗତକାଲି ସଂଧ୍ୟାରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଅନ୍ତଃରାଜ୍ୟ ନିଶାବେପାରୀ ସହ ଧରାପଡ଼ିଥିବା ଜଙ୍କିଆର ରଶ୍ମିରଂଜନ ଭୋଳ ନିଜର ଏହି କୌଶଳ ପାଇଁ ଆଗରୁ କେବେ ବି ଧରାପଡ଼ି ନଥିଲା। ତେଣୁ ତାକୁ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍‌ ଯୋଜନା କରିଥିବା ଜଣାଯାଇଛି। ସେ ଏକା ଏଭଳି କାରବାର ଚଳାଇ ଆସୁଥିଲା ନା ଏକ ବଡ଼ ଗ୍ୟାଙ୍ଗ୍‌ର ସଂପୃକ୍ତି ଅଛି, ସେ ସଂପର୍କରେ ଜାଣିବା ପାଇଁ ଏସ୍‌ଟିଏଫ୍‌ ଛାନ୍‌ଭିନ୍‌ ଚଳାଇଛି। ସେହିପରି ଆଉ କେଉଁ କେଉଁ ବେଶରେ ସେ ବ୍ରାଉନସୁଗାର ବ୍ୟବସାୟ କରି ଆସୁଥିଲା, ତାହା ଜାଣିବା ପାଇଁ ଏସ୍‌ଟିଏଫ୍‌ ତା’ ଘର ଓ ଆଡ଼ା ଉପରେ ଚଢ଼ଉ କରିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ଆସନ୍ତା ମଙ୍ଗଳବାର ତାକୁ ରିମାଣ୍ଡରେ ଆଣିବ ଏସ୍‌ଟିଏଫ୍‌।

ପାର୍ଟି, ହୋଟେଲ୍ ଓ ଆପାର୍ଟମେଣ୍ଟ୍‌ରେ ଇଭେଣ୍ଟ ମ୍ୟାନେଜର୍ ପରିଚୟ
ଧଳାଜହର ଦେବା ପାଇଁ ଅର୍ଡର ଆସିଲେ, ଇଭେଣ୍ଟ୍ ମ୍ୟାନେଜର୍ ସାଜି ରଶ୍ମିରଂଜନ ସବୁ ଜାଗାରେ ପହଞ୍ଚି ଯାଉଥିଲା। ଅନେକ ସମ୍ଭ୍ରାନ୍ତ ଶ୍ରେଣୀର ଯୁବକ ଯୁବତୀ ହୋଟେଲ୍ ଓ ଆପାର୍ଟମେଣ୍ଟ୍‌ରେ ଡେଲିଭରି ଦେବା ପାଇଁ ରଶ୍ମିରଂଜନକୁ କହୁଥିଲେ। ତେଣୁ ସେ ସ୍ବସ୍ତିକା ମ୍ୟାନେଜମେଣ୍ଟ୍‌ର ଜିଏମ୍ ବୋଲି ପରିଚୟପତ୍ର ତିଆରି କରିଥିଲା। ହୋଟେଲ୍‌ରେ ପହଞ୍ଚିଲେ ନିର୍ଦ୍ଦିଷ୍ଟ ରୁମ୍‌ରେ ପାର୍ଟି ଅଛି, ଅର୍ଡର୍‌ ଥିବା କହୁଥିଲା। ଆଇକାର୍ଡ ଦେଖାଇ ସେ ବେଶ୍‌ ସହଜରେ ଧଳାଜହର ଭିତରକୁ ନେଇଯାଉଥିଲା। ସମାନ ଢଙ୍ଗରେ ସେ ଆପାର୍ଟମେଣ୍ଟ୍‌ରେ ମଧ୍ୟ ଡେଲିଭରି ଦେଉଥିଲା।

ଏସ୍‌କର୍ଟ ପାଇଁ ପୁଲିସ ପୋଷାକ ପିନ୍ଧା ଫଟୋ ଓ ବାଇକ୍
ରଶ୍ମିରଂଜନ ନିଶା ନେଇ ଯାଉଥିବା ବେଳେ ପାଖରେ ବନ୍ଧୁକ ରଖୁଥିଲା। ତା’ ବୁଲେଟ୍ ପଛରେ ପୁଲିସ୍‌ ଚିହ୍ନ ଲାଗିଥିଲା। ତେଣୁ ଯଦିବା କେଉଁଠି ଚେକିଂ ବେଳେ ସେ ଧରାପଡ଼ିଲା, ଏମିତି କଥାବାର୍ତ୍ତା କରୁଥିଲା ସତେକି ଯେମିତି କୋଉ ଥାନାର ଇନ୍ସପେକ୍ଟର୍। ଦରକାର ପଡ଼ିଲେ ପାଖରେ ରଖିଥିବା ପୁଲିସ୍‌ ପୋଷାକ ପିନ୍ଧା ଫଟୋ ଦେଖାଇ ଦେଉଥିଲା। ଆଉ ଯଦି କଥା ଆଗକୁ ବଢ଼ିପାରେ ବୋଲି ତା’ର ସନ୍ଦେହ ହେଲା, ସେଠାରେ ଏମ୍‌ସର ନକଲି ଡାକ୍ତର ପରିଚୟପତ୍ର ଦେଖାଇ ଦେଉଥିଲା। ରୋଗୀ ଅପରେସନ୍‌ ବେଡ୍‌ରେ, ଶୀଘ୍ର ନ ଗଲେ ଜୀବନ ଚାଲିଯିବ କହି ବଡ଼ ଆରାମରେ ଖସି ପଳାଉଥିଲା। ତା’ ପାଖରୁ ଏସ୍‌ଟିଏଫ୍‌ ଆଜି ଭୁବନେଶ୍ବର ଏମ୍‌ସର ଏକ ନକଲି ସ୍ତ୍ରୀ ଓ ପ୍ରସୂତି ଡାକ୍ତର ପରିଚୟପତ୍ର ଜବତ କରିଛି।

ସମ୍ବନ୍ଧିତ ଖବର