ମହିଳାଙ୍କଠାରୁ ବ୍ରାଉନ୍‌ସୁଗାର ଜବତ

୪ ମାସରେ ୩୦ ମହିଳା ବେପାରୀ ଗିରଫ

ଭୁବନେଶ୍ବର: ଭରତପୁର ଥାନା ଜନନୀବିହାର କଲୋନିରୁ ଆଜି ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଭରତପୁର ଥାନା ପୁଲିସ ହାତରେ ଧରାପଡ଼ିଥିବା ଏହି ମହିଳା ହେଲେ ନୟାଗଡ଼ ଇଟାମାଟି ଅଞ୍ଚଳର ଗୀତାଞ୍ଜଳି ମୁଦୁଲି। ପୁଲିସ ତାଙ୍କ ଠାରୁ ୧୨.୪ ଗ୍ରାମ୍ ବ୍ରାଉନ୍‌ସୁଗାର ଓ ନଗଦ ୪ହଜାର ଟଙ୍କା ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

ସମ୍ପ୍ରତି ରାଜଧାନୀରେ ମହିଳାମାନେ ଏହି ଧଳାଜହର କାରବାରର ମଙ୍ଗ ଧରିଲେଣି। ଗତ ୪ ମାସରେ ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରୁ ୩୦ରୁ ଅଧିକ ମହିଳାଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପ୍ରାୟ ୨୦ରୁ ଅଧିକ ମହିଳାଙ୍କୁ ଗିରଫ କରିଥିବା ବେଳେ କମିସନରେଟ୍ ପୁଲିସ ୧୦ଜଣଙ୍କୁ ଗିରଫ କରିଛି। ବହୁ କ୍ଷେତ୍ରରେ ମହିଳାଙ୍କ ସ୍ବାମୀମାନେ ପ୍ରଚ୍ଛଦପଟ୍ଟରେ ରହି ଏହି କାରବାର ଚଳାଉଥିବା ବେଳେ ସେମାନଙ୍କ ସ୍ତ୍ରୀମାନେ ଆଗରେ ମୋହରା ସାଜୁଛନ୍ତି।

ନିକଟରେ ସାଲିଆସାହି ଆଦିବାସୀ ନଗରରେ ନୂଆପଲ୍ଲୀ ଥାନା ଦିଲ୍ଲୀପ ବରାଳ ଓ ପତ୍ନୀ ପୂର୍ଣ୍ଣିମାଙ୍କୁ ବ୍ରାଉନସୁଗାର ବେପାର ଅଭିଯୋଗରେ ଗିରଫ କରିଥିଲା। ପୂର୍ବରୁ ଦିଲ୍ଲୀପ ୩ ଥର ଜେଲ୍ ଯାଇଥିବାରୁ ପରେ ପତ୍ନୀ ପୂର୍ଣ୍ଣିମାଙ୍କୁ ସାମ୍ନାରେ ରଖିଥିଲା। ଏପ୍ରିଲ ୨୫ରେ ଅବକାରୀ ବିଭାଗ କାର୍‌ଗିଲ୍ ବସ୍ତିରେ ଚଢ଼ଉ କରି ଐଶର୍ଯ୍ୟା ମହାପାତ୍ରଙ୍କ ଠାରୁ ୫୬ଗ୍ରାମ୍ ହେରୋଇନ୍ ଓ ନଗଦ ୨୦ହଜାର ଟଙ୍କା ଜବତ କରିଥିଲା। ଐଶର୍ଯ୍ୟା ଜାମିନ୍‌ରେ ଆସି ପୁଣି ୧୭ ଜୁନ୍‌ରେ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲେ। ତାଙ୍କ ପାଖରୁ ୧୧ଗ୍ରାମ୍‌ର ହେରୋଇନ୍ ଜବତ ହୋଇଥିଲା। ସେହିଭଳି ଖଣ୍ଡଗିରି ଥାନା ପୁଲିସ ତପୋବନ ବସ୍ତିର ରୀନା ଜେନାଙ୍କ ପାଖରୁ ନଗଦ ୭୧ହଜାର ଟଙ୍କା ଓ ୧୧ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା। ରୀନା ପୂର୍ବରୁ ଏକାଧିକ ଥର ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର