ଗଳିକନ୍ଦିରେ ବ୍ରାଉନସୁଗାର କାରବାର; ବୁଦ୍ଧେଶ୍ବରୀ ଅଞ୍ଚଳରୁ ୨ ଗିରଫ, ୫ ଲକ୍ଷ ଟଙ୍କାର ଧଳାଜହର ଜବତ

ଭୁବନେଶ୍ବର : ରାଜଧାନୀର ଗଳିକନ୍ଦିରେ ଚାଲିଛି ବ୍ରାଉନସୁଗାର କାରବାର। ଯିଏ ଧଳାଜହର ଖାଉଛି ସିଏ ବିକ୍ରି କରୁଛି। ଏମିତି ଢଙ୍ଗରେ ବେପାର ଚାଲିଛି। ହଳଦୀପଡ଼ିଆ ପରେ ବୁଦ୍ଧେଶ୍ବରୀ ଏବେ ନୂଆ ହବ୍ ପାଲଟିଛି। ମାସକ ଭିତରେ ୫ ଜଣ ଧରାପଡ଼ିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସେହିପରି ଉଭୟଙ୍କଠାରୁ ଗୋଟିଏ ବାଇକ୍, ଦୁଇଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଗିରଫ ଦୁଇ ଜଣ ହେଲେ ବୁଦ୍ଧେଶ୍ବରୀ ଅଞ୍ଚଳର ଡମ୍ବରୁଧର ବିଶ୍ବାଳ ଓରଫ୍ ଡମ୍ବରୁ(୨୬) ଓ ଏସ୍.କେ ୟାସିନ୍ ଓରଫ୍ ଲିପୁ। ଆଜି ସକାଳେ ବୁଦ୍ଧେଶ୍ବରୀ ସ୍କୁଲ ନିକଟରେ ଉଭୟ ଗୋଟିଏ ବାଇକ(ଓଡି୦୨ବିପି-୯୪୭୩) ଧରି ଛିଡ଼ା ହୋଇଥିଲେ। ପୁଲିସର ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। ସେମାନଙ୍କ ପ୍ୟାଣ୍ଟ ପକେଟ୍‌ ଯାଞ୍ଚ କରିବା ପରେ ବ୍ରାଉନସୁଗାର ମିଳିଥିଲା। ଏହି ବ୍ରାଉନସୁଗାର ଜଳେଶ୍ବରରୁ ଆଣିଥିବା ପୁଲିସ ଅନୁମାନ କରୁଛି। ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର