ଭୁବନେଶ୍ୱର : ଗତକାଲି ତମାଣ୍ଡୋ ଅଞ୍ଚଳରେ ଧରାପଡ଼ିଥିବା ଦୁଇ ବ୍ରାଉନସୁଗାର ବେପାରୀ ଆଜି ଜେଲ୍ ଯାଇଛନ୍ତି। ସେମାନଙ୍କଠାରୁ ୫୨୦ଗ୍ରାମ୍ର ବ୍ରାଉନ୍ସୁଗାର ସମେତ ୧୩ ହଜାର ୪୦୦ ଟଙ୍କା, ୪ଟି ମୋବାଇଲ ଓ ଦୁଇଟି ବାଇକ୍ ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୫୨ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଭିଯୁକ୍ତଦ୍ବୟ ହେଉଛନ୍ତି, ଜଳେଶ୍ବରର ସେକ୍ ନସିମୁଦ୍ଦିନ ଓ ରସୁଲଗଡ଼ର ଚିତ୍ତରଞ୍ଜନ ରାଉତରାୟ। ଉଭୟଙ୍କୁ ତମାଣ୍ଡୋ ଥାନା ପୁଲିସ କୋର୍ଟ ଚାଲାଣ କରିଛି। କିନ୍ତୁ କୋର୍ଟରେ ସେମାନଙ୍କ ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପୁଲିସ୍ ସୂଚନାନୁସାରେ, ନସିମୁଦ୍ଦିନ ଜଳେଶ୍ବରରେ ନିଶା ବେପାର କରେ। କୋଲାକାତାରୁ ନିଶାଦ୍ରବ୍ୟ ଆଣି ଜଳେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବେପାରୀଙ୍କୁ ଯୋଗାଏ। ତା’ ନାଁରେ ଜଳେଶ୍ବର ଓ ଅନ୍ୟାନ୍ୟ ସ୍ଥାନରେ ଏକାଧିକ ମାମଲା ରହିଛି। ସେହିଭଳି ଚିତ୍ତରଞ୍ଜନ ରସୁଲଗଡ଼ରେ ରହି ଗାଡ଼ି ଚଲାଏ। ଡ୍ରାଇଭିଂ ସହ ଜଣେ ବଡ଼ ନିଶା ବେପାରୀଙ୍କୁ ସହଯୋଗ କରେ। ଜଳେଶ୍ବର ଯାଇ ମାଲ୍ ଆଣିବା ସହ ନିଶାଦ୍ରବ୍ୟ ନେଇ ଯାଜପୁର, ଖୋର୍ଦ୍ଧା, ପୁରୀ ଯାଇ ବେପାରୀଙ୍କୁ ଦେଇ ଆସେ। ଭୁବନେଶ୍ବରରେ ପୁଲିସର ପହରା ରହୁଥିବାରୁ ଧରାପଡ଼ିବା ଭୟରେ ଡିଲ୍ ତମାଣ୍ଡୋ ବଜାରରେ ହେବାକୁ ଯୋଜନା ହୋଇଥିଲା। ଗତକାଲି ନସିମୁଦ୍ଦିନ ମାଲ୍ ଆଣି ତମାଣ୍ଡୋ ବଜାରରେ ପହଞ୍ଚିଥିଲା। ନସିମୁଦ୍ଦିନକୁ ଟ୍ରାକ୍ କରୁଥିବା କ୍ୟୁଏଟି ତମାଣ୍ଡୋ ପୁଲିସ ସହାୟତାରେ ଉଭୟଙ୍କୁ କାବୁ କରିଥିଲା। ଉଭୟଙ୍କୁ ପଚରାଉଚରା ପରେ କ୍ୟୁଏଟି ଅନେକ ତଥ୍ୟ ହାସଲ କରିଛି। ଜଣେ ବଡ଼ ବେପାରୀ ପାଇଁ ଚିତ୍ତରଞ୍ଜନ କାମ କରୁଥିବା ଜଣାପଡ଼ିଛି। ଭୁବନେଶ୍ବରରେ ରହୁଥିବା ସମ୍ପୃକ୍ତ ବେପାରୀକୁ କ୍ୟୁଏଟି ଠାବ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/jail2_9.jpg)