ଗୃହବନ୍ଦୀ କରିଛି ସ୍ବେରେଜ୍ କାମ, ସତ୍ୟସାଇ ଏନ୍‌କ୍ଲେଭ୍‌ବାସିନ୍ଦାଙ୍କ ଦୁଃଖ

ଖଣ୍ଡଗିରି: ସ୍ଥାନୀୟ ସତ୍ୟସାଇ ଏନ୍‌କ୍ଲେଭ୍‌ରେ ମନ୍ଥର ଗତିରେ ଚାଲିଛି ସ୍ବେରେଜ୍ ନିର୍ମାଣ କାମ। ଠିକାଦାରଙ୍କ ମନମାନି ଯୋଗୁଁ କାମ ବିଳମ୍ବ ହେଉଥିବା ବେଳେ ସ୍ବେରେଜ୍ ବୋର୍ଡ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ପ୍ରାୟ ସବୁ ଲେନ୍‌ରେ ରାସ୍ତା ଖୋଳା ହୋଇ ଅଧପନ୍ତରିଆ ଭାବେ ପଡ଼ିଥିବାରୁ ଲୋକେ ଏକପ୍ରକାର ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ସେହିଭଳି କିଛି ଲେନ୍‌ରେ ଆଦୌ କାମ ଆରମ୍ଭ ହୋଇ ନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ମାସରୁ ଠିକାସଂସ୍ଥା କାମ ଆରମ୍ଭ କରିଛି। ସ୍ବେ‌ରେଜ୍ ବୋର୍ଡ ତତ୍ତ୍ବାବଧାନରେ କାମ ଚାଲିଛି। ଏ ଭିତରେ ଦୀର୍ଘ ୬ ମାସ ବିତି ଯାଇଥିଲେ ବି କୌଣସି ପାର୍ଶ୍ବରୁ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ବହୁ ଲେନ୍‌ରେ ସ୍ବେରେଜ୍ ଲାଇନ୍ ଡ୍ରେନ୍‌ ଓ ଚାମ୍ବର ନିର୍ମାଣ ହୋଇଥିଲେ ବି ରାସ୍ତା କାମ ବାକି ପଡ଼ିଛି। ବହୁ ଲୋକଙ୍କ ଦୁଆରେ ଚାମ୍ବର ପାଇଁ ଗାତ ଖୋଳା ହୋଇ ସେମିତି ପଡ଼ିଛି। ଫଳରେ ଲୋକେ ଘର ଭିତରୁ ଯାନବାହାନ ବାହାର କରିବା ପାଇଁ ସମସ୍ୟାରେ ପଡ଼ୁଛନ୍ତି। ଏମିତିକି କିଛି ଲେନ୍‌ରେ ଚାମ୍ବର ନିର୍ମାଣ ଅଧାରେ ପଡ଼ିଥିବାରୁ ସୁରକ୍ଷା ଦୃଷ୍ଟିରୁ ତାକୁ ବାଡ଼ଘେରା କରି ରଖାଯାଇଛି। ଫଳରେ ବରିଷ୍ଠ ନାଗରିକମାନେ ଅଧିକ ସମସ୍ୟାରେ ପଡ଼ୁଛନ୍ତି। ରାସ୍ତା ତଡ଼ା ହୋଇ ପଡ଼ିଥିବାରୁ ଅସରାଏ ବର୍ଷା ହେଲେ ଖାଲରେ ପାଣି ଜମୁଛି ଓ କାଦୁଅ ପଙ୍କ ପାଇଁ ଲୋକେ ସ୍ବାଭାବିକ ଭାବେ ଚଳପ୍ରଚଳ ହୋଇପାରୁନାହାନ୍ତି। ତେବେ ପ୍ରାୟ ସବୁ ଲେନ୍‌ରେ କାମ ଆରମ୍ଭ ହୋଇଥିଲେ ବି ୧୦ ନମ୍ବର ଲେନ୍‌ରେ କିଛି ହୋଇନାହିଁ। ସମ୍ପ୍ରତି କାମ ଯେମିତି କଚ୍ଛପ ଗତିରେ ଚାଲିଛି, ବର୍ଷା ଦିନ ପୂର୍ବରୁ ସରିବା ସମ୍ଭବ ନୁହେଁ। ତେଣୁ ବର୍ଷା ଦିନରେ ଯଦି ‌ଲେନ୍‌ ୧୦ର କାମ ଆରମ୍ଭ କରାଯିବ, ତେବେ ଲୋକ ଅଧିକ ସମସ୍ୟାରେ ପଡ଼ିବେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ସ୍ବେରେଜ୍ ବୋର୍ଡର ନିର୍ବାହୀ ଯନ୍ତ୍ରୀ ଏସ୍ ପାତ୍ରଙ୍କ ସହ ଯୋଗାଯୋଗ କରିବାରେ କାମ ବିଳମ୍ବିତ ହେଉଥିବା ଅଭିଯୋଗକୁ ସେ ସ୍ବୀକାର କରିଥିଲେ। କିଛି ଲେନ୍‌ରେ ରାସ୍ତା ପିଚୁ କାମ ଆରମ୍ଭ ହୋଇଗଲାଣି ଓ ବର୍ଷା ଦିନ ପୂର୍ବରୁ ସବୁ ଲେନ୍‌ କାମ ସରିଯିବ ବୋଲି ଚେଷ୍ଟା ଚାଲିଥିବା ସେ କହିଥିଲେ। ୧୦ନମ୍ବର ଲେନ୍‌ କାମ ଓ ମୁଖ୍ୟ ଡ୍ରେନ୍‌ ଲାଇନ୍‌ କାମ ବି ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଖଣ୍ଡଗିରି, ପୋଖରୀପୁଟ, ଭୀମଟାଙ୍ଗୀ, ସାମନ୍ତରାପୁର, ସୁନ୍ଦରପଦା, ଡୁମୁଡୁମା ହାଉସିଂବୋର୍ଡ ଅଞ୍ଚଳ, ଗଣ୍ଡମୁଣ୍ଡା ଓ ଜାଗମରା ଆଦି ଅଞ୍ଚଳର ସ୍ବେରେଜ୍ ଲାଇନ୍‌ କୋଚିଲାପୁଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ସଂଯୋଗ ହେବ। ଉକ୍ତ ପ୍ଲାଣ୍ଟ ନିର୍ମାଣ କାମ ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଛି।

ସମ୍ବନ୍ଧିତ ଖବର