ରାଜଧାନୀରେ ଯୁବକଙ୍କ ତଣ୍ଟି କାଟି ବୀଭତ୍ସ ହତ୍ୟା

ଭୁବନେଶ୍ୱର: ଆଜି ସକାଳେ  ରାଜଧାନୀ ଭୁବନେଶ୍ୱରରର ଖାରବେଳନଗର ଥାନା ଅନ୍ତର୍ଗତ  ୟୁନିଟ୍‌ ୪ ନମ୍ବର ସ୍ଥିତ ମାଛ ମାର୍କେଟ ପଛ ପଟେ (କର କ୍ଲିନିକ ରାସ୍ତାରେ) ଥିବା ଏକ କାଠ ଦୋକାନ ଓ୍ଵାର୍କସସପ୍‌ ଭିତରେ ଜଣେ ଯୁବକଙ୍କ ତଣ୍ଟି କାଟି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। କେହି ଦୁର୍ବୃତ୍ତ  ଯୁବକଙ୍କ ତଣ୍ଟିକୁ ଏକ କରତରେ କାଟି ହତ୍ୟା କରିଛି। ଖବର ପାଇ  ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ  ଓ ଖାରବେଳନଗର ଥାନା  ଇନସ୍ପେକ୍ଟର  ଅନୁପ କାନୂୁନଗୋ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ରକ୍ତଲଗା କରତକୁ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ୟୁନିଟ୍‌ ୪ ସ୍ଥିତ  କର କ୍ଲିନିକ ରାସ୍ତାରେ  ଗୋପାଳ ମହାରଣା ଓ ଭାଗବତ ମହାରଣା ନାମକ ଦୁଇ ଭାଇ ଗତ ୨୫ ବର୍ଷ ହେବ ଏକ ଓ୍ଵାର୍କସପ୍‌ ଖୋଲି କାଠ କାମ କରନ୍ତି। ଭାଗବତ ନିକଟରେ ଘର ଭଡ଼ା ନେଇ ରହୁଥିବା ବେଳେ ଗୋପାଳ ସେହି ଓ୍ଵାର୍କ ସପ୍‌୍‌ ଭିତରେ  ରହିଥାନ୍ତି। ଗତକାଲି ରାତିରେ  ସବୁଦିନ ପରି ଗୋପାଳ ଖାଇପିଇ ଓ୍ଵାର୍କ ସପ୍‌ ଭିତରେ ଶୋଇଥିଲେ। ଆଜି ସକାଳୁ ଗୋପାଳଙ୍କ ଉଠିବା ବିଳମ୍ବ ହେବାରୁ  ଭାଗବତ ତାଙ୍କ ପୁଅକୁ  ସାନ ଭାଇ ଗୋପାଳଙ୍କୁ ଡାକି ଆଣିବାକୁ ପଠାଇଥିଲେ।  ଭାଗବତଙ୍କ ପୁଅ ଗୋପାଳଙ୍କ ଓ୍ଵାର୍କ ସପ୍‌ ଭିତରକୁ ଯାଇି ଦେଖିଲା ବେଳକୁ ସେଠାରେ ଗୋପାଳଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ  ପଡ଼ିଛି। ଏ ନେଇ ସେ ତାଙ୍କ ବାପାଙ୍କୁ ଜଣାଇବାରୁ  ଭାଗବତ ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର