ଖଣ୍ଡଗିରି: ଅନ୍ତର୍ଜାତୀୟ ସ୍ତରର ବସ୍‌ ଟର୍ମିନାଲ୍‌ ନିର୍ମାଣ ହେଲା।  ଯାତ୍ରୀ ଉଠାଇବା ଲାଗି ଟର୍ମିନାଲ୍‌ ଭିତରେ ୫୦ଟି ବସ୍‌ ବେ ରହିଛି, ତଥାପି ଟର୍ମିନାଲ୍‌ ବାହାରେ ବହୁ ସମୟ ଧରି ବସ୍‌ ଠିଆ ହୋଇରହୁଛି। ଅଧିକ ଯାତ୍ରୀ ଉଠାଇବା ପ୍ରତିଯୋଗିତା ମନୋଭାବ ଯୋଗୁ ବସ୍‌ଗୁଡ଼ିକ ରାସ୍ତା ମଝିରେ ଠିଆ ହୋଇ ରହୁଛି। ଫଳରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଛି। ବରମୁଣ୍ଡା ବିଏସ୍‌ଏବିଟି ସର୍ଭିସ୍‌ ରୋଡ୍‌ରେ ଏଭଳି ଅବ୍ୟବସ୍ଥା ପ୍ରତିଦିନ ଦେଖିବାକୁ ମିଳୁଛି। ବିଜୁପଟ୍ଟନାୟକ ପଡ଼ିଆଠାରୁ ଓଭର୍‌ବ୍ରିଜ୍‌ର ଅଣ୍ଡର୍‌ପାସ୍‌ ପର୍ଯ୍ୟନ୍ତ ଏବଂ ଅଣ୍ଡର ପାସ୍‌ଠାରୁ ବରମୁଣ୍ଡା ପୋଷ୍ଟଅଫିସ୍‌ ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ରେ ଫସି ଲୋକେ ହଇରାଣ ହେଉଛନ୍ତି।

Advertisment

ବିଏସ୍‌ଏବିଟି ଟର୍ମିନାଲ୍‌
ବ୍ୟବସ୍ଥିତ ହେଲାନି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌
ଟର୍ମିନାଲ୍‌ ବାହାରେ ଯାତ୍ରୀ ଉଠାଇବାକୁ ଅଟକୁଛି ବସ୍‌

ସୂଚନାଯୋଗ୍ୟ ଯେ ବରମୁଣ୍ଡା ବସ୍‌ ଟର୍ମିନାଲ୍‌ରେ ଯାତ୍ରୀ ଉଠାଣ ଓ ଓହ୍ଲାଇବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତଥାପି ଟର୍ମିନାଲ୍‌କୁ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ଯାଉଛନ୍ତି। କାଳୀମନ୍ଦିର ନିକଟରୁ ଅଣ୍ଡର୍‌ପାସ୍‌ ପର୍ଯ୍ୟନ୍ତ ବସ୍‌ଗୁଡ଼ିକ ପଛକୁ ପଛ ହୋଇ ଠିଆ ହେଉଛନ୍ତି। ଫଳରେ ସର୍ଭିସ୍‌ ରୋଡ୍‌ ସଙ୍କୁଚିତ ହୋଇ ଯାତାୟାତରେ ବ୍ୟାଘାତ ସୃ‌ଷ୍ଟି ହେଉଛି। ଅନୁରୂପ ଭାବେ ସେହି ପାର୍ଶ୍ବରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବସ୍‌ଗୁଡ଼ିକ ଅଣ୍ଡର୍‌ପାସ୍‌ଠାରୁ ରମାମଣି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପଛକୁ ପଛ ଲମ୍ବି ବହୁ ସମୟଧରି ଠିଆ ହେଉଛନ୍ତି। ସେହିପରି କଟକ ଅଭିମୁଖେ ଯାଉଥିବା ବସ୍‌ଗୁଡ଼ିକ ଟର୍ମିନାଲ୍‌ରୁ ଯାତ୍ରୀ ଉଠାଇ ସାରିବା ପରେ ମଧ୍ୟ ବାହାରକୁ ଆସି ପୋଷ୍ଟ ଅଫିସ୍‌ ପର୍ଯ୍ୟନ୍ତ ଠିଆ ହୋଇ ରହୁଛନ୍ତି। ଟର୍ମିନାଲ୍‌ର ପ୍ରସ୍ଥାନ ଦ୍ବାର ନିକଟରେ ଏଭଳି ପରିସ୍ଥିତି ଉପୁଜୁଛି ଯେ ଗାଡ଼ି ଗଡ଼ିବା ମୁସ୍କିଲ ହୋଇପଡ଼ୁଛି। ନିକଟରେ ଡ୍ରେନ୍‌ ନିର୍ମାଣ ଏହି ସମସ୍ୟାକୁ ଦ୍ବିଗୁଣିତ କରୁଛି। କେବଳ ସେତିକି ନୁହେଁ କିଛି ଅମ‌ାନିଆ ଅଟୋଚାଳକ ଗାଡ଼ିଗୁଡ଼ିକୁ ସର୍ଭିସ୍‌ ରୋଡ୍‌ ଉପରେ ରଖି ଯାତ୍ରୀ ଉଠାଉଥିବାରୁ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହେଉଛି। ସନ୍ଧ୍ୟା ଓ ଅଫିସ୍‌ ସମୟରେ ଏହି ସମସ୍ୟା ଅଧିକ ଦେଖାଦେଉଛି।

 ବସ୍‌-ବେରେ ଗାଡ଼ି ରହିବା ପାଇଁ ଦିନକୁ ଶହେ ଟଙ୍କା ଶୁଳ୍କ ପଡ଼ୁଥିବାରୁ ବସ୍‌ଗୁଡ଼ିକ କେବଳ ଟର୍ମିନାଲ୍‌ ଭିତରକୁ ପ୍ରବେଶ କରି ପୁଣି ବାହାରି ଆସୁଛନ୍ତି। ବାହାରୁ ଯାତ୍ରୀ ଉଠାଇ ଗନ୍ତବ୍ୟ ସ୍ଥଳକୁ ବାହାରିଯାଉଛନ୍ତି। ଏହି ବ୍ୟବସ୍ଥା ଉପଯୁକ୍ତ ଢଙ୍ଗରେ ପରିଚାଳନା କରାଯାଉନଥିବାରୁ ଏହି ସମସ୍ୟା ସୃଷ୍ଟିହୋଇଛି। ସେହିପରି ବସ୍‌ ଟର୍ମିନାଲ୍‌ର ସୁରକ୍ଷାକର୍ମୀଙ୍କୁ ଟର୍ମିନାଲ୍‌ ବାହାରେ ବସ୍‌ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ। ଟର୍ମିନାଲ୍‌ ପାଇଁ ସମର୍ପିତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ମଧ୍ୟ ବ୍ୟବହାର କରାଯାଉନାହିଁ। ସ୍କ୍ବାଡ୍‌ର ନିଜସ୍ବ ଗାଡ଼ି ମଧ୍ୟ ନାହିଁ। ଟ୍ରାଫିକ୍‌ ଜାମ୍‌ ହେଉଥିବାରୁ ଏସମ୍ପର୍କରେ ପୁଲିସକୁ ମଧ୍ୟ ଲିଖିତ ଭାବେ ଅବଗତ କରାଯାଇଥିବା ଟର୍ମିନାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ପୁଲିସ କୌଣସି ପଦକ୍ଷେପ ନ ନେବା ଫଳରେ ଦିନକୁ ଦିନ ଏହି ସମସ୍ୟା ବଢ଼ିବାରେ ଲାଗିଛି।