ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଶିଶୁଭବନ ଛକରେ ଏକ ସାଇକେଲ୍ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ କମଳା ନେହରୁ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ। ଶୋଭାଯାତ୍ରାଟି ଶିଶୁଭବନ ଛକରୁ ବାହାରି ଜନପଥ, ପ୍ରଦର୍ଶନୀ ପଡ଼ିଆ, ସଚିବାଳୟ ମାର୍ଗ ଓ ଉଦ୍ୟାନ ମାର୍ଗ ଦେଇ ଶିଶୁଭବନ ଛକରେ ପହଞ୍ଚିଥିଲା। ସୁସ୍ଥ ଜୀବନ ଧାରଣ ଓ ସ୍ତନ କର୍କଟରୁ ଦୂରରେ ରହିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଥିଲା। କଟକ ଆଚାର୍ଯ୍ୟ ହରିହର ପିଜି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ୟାନ୍ସରର ପ୍ରଫେସର ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ ମୁଖ୍ୟ ଅତିଥି, ଏମ୍ସ ସର୍ଜିକାଲ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡା. ମାଧବାନନ୍ଦ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଏସ୍ସିଏଲ୍ ଜିଏମ୍ କମଲଜିତ୍ ଦାସ ଓ କ୍ରିୟା ଫାଉଣ୍ଡେସନ ପ୍ରତିଷ୍ଠାତା ଲିଲି ଜେନାମଣୀ ଛାତ୍ରୀମାନଙ୍କୁ ସୁସ୍ଥ ଜୀବନଯାପନର ମନ୍ତ୍ର ଦେଇଥିଲେ। ବିଏସ୍ସିଏଲ୍ ସିଇଓ ସଞ୍ଜୟ ସିଂହ ଯୋଗଦେଇ ଭୁବନେଶ୍ବର ପରିବେଶକୁ ସୁସ୍ଥ ରଖିବା ପାଇଁ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp