ଭୁବନେଶ୍ୱର : ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଗତବର୍ଷ ତୁଳନାରେ ଏଥର ପାସ୍ହାର ପ୍ରାୟ ୯ ପ୍ରତିଶତ କମିଛି। ସବୁ ଜିଲ୍ଲାରେ ପାସ୍ହାରରେ କିଛି ଫରକ ଦେଖିବାକୁ ମିଳିଥିବା ବେଳେ ଶିକ୍ଷାର ହବ୍ ଖୋର୍ଧା ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ପାସ୍ହାର ସେତେଟା ଆଶାନୁରୂପ ହୋଇପାରି ନାହିଁ। ଜିଲ୍ଲାରେ ଥିବା ଘରୋଇ ବିଦ୍ୟାଳୟଗୁଡ଼ିକ କିଛି ମାତ୍ରାରେ ସଫଳତା ହାସଲ କରିଥିବା ବେଳେ ସରକାରୀ ହାଇସ୍କୁଲ ଏଥର ବି ପଛରେ ପଡ଼ିଛନ୍ତି। ୯୦ ପ୍ର୍ରତିଶତରୁ ଅଧିକ ମାର୍କ ଅର୍ଥାତ୍ ‘ଏ୧’ ଗ୍ରେଡ୍ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି। ଗତବର୍ଷ ଜିଲ୍ଲାରେ ସବୁଠାରୁ ଅଧିକ ୩୧ ଜଣ ଛାତ୍ରଛାତ୍ରୀ ‘ଏ୧’ ଗ୍ରେଡ୍ ହାସଲ କରିଥିବା ବରମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏଥର ମାତ୍ର ୧୮ ଜଣ ପିଲା ‘ଏ୧’ ଗ୍ରେଡ୍ ପାଇଛନ୍ତି। ଅଧିକାଂଶ ଛାତ୍ରଛାତ୍ରୀ ଏକରୁ ୫ ମାର୍କ ପାଇଁ ‘ଏ୧’ ଗ୍ରେଡ୍ ପାଇବାରୁ ବଞ୍ଚିତ ହୋଇଛନ୍ତି।
ଖୋର୍ଧା ଜିଲ୍ଲାର ୩୪୦ ହାଇସ୍କୁଲର ୨୮,୩୨୭ ରେଗୁଲାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୨,୧୨୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍ହାର ୭୮.୧୨% ରହିଥିବା ଜଣାପଡ଼ିଛି। ୨୧୩ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ‘ଏ୧‘ ଗ୍ରେଡ୍ ହାସଲ କରିଥିବା ବେଳେ ୧୧୬୫ ଜଣ ‘ଏ୨’, ୨୩୫୯ ଜଣ ‘ବି୧’, ୩୬୦୯ ଜଣ ‘ବି୨’, ୫୦୮୦ ଜଣ ‘ସି’, ୬୩୨୬ ଜଣ ‘ଡି’, ୩୩୭୬ ଜଣ ‘ଇ’ ଗ୍ରେଡ୍ ପାଇଛନ୍ତି। ୬୧୯୯ ଜଣ ଛାତ୍ରଛାତ୍ରୀ ‘ଏଫ୍’ ଗ୍ରେଡ୍ ହାସଲ କରିଛନ୍ତି। ସେହିପରି ଏକ୍ସ-ରେଗୁଲାରରେ ୨୬୪ ହାଇସ୍କୁଲର ୧୨୮୭ ଜଣ ଛାତ୍ରଛାତ୍ରୀ ୧୨୦ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୫୭୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍ହାର ୪୪.୯୯% ରହିଛି। କୌଣସି ବି ଛାତ୍ରଛାତ୍ରୀ ‘ଏ୧’ କିମ୍ବା ‘ଏ୨’ ଗ୍ରେଡ୍ ହାସଲ କରିନାହାନ୍ତି। ଦୁଇ ଜଣ ‘ବି୧’ ପାଇଥିବା ବେଳେ ୬ ଜଣ ‘ବି୨’, ୩୬ ଜଣ ‘ସି’, ୧୮୦ ଜଣ ‘ଡି’, ୩୩୦ ଜଣ ‘ଇ’ ଓ ୭୦୮ ଜଣ ‘ଏଫ୍’ ଗ୍ରେଡ୍ ହାସଲ କରିଛନ୍ତି।
ପତ୍ରମାଧ୍ୟମ ଶିକ୍ଷାରେ ରେଗୁଲାରରେ ଜିଲ୍ଲାର ଦୁଇଟି କେନ୍ଦ୍ରରେ ୧୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୦ ଜଣ ପାସ୍୍ କରିଛନ୍ତି। ପାସ୍ହାର ୬୦% ରହିଛି। ଏହି ଶିକ୍ଷାରେ ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣ ପାସ୍ କରିଥିବା ଜଣାପଡ଼ିଛି।
ଛାତ୍ରୀ ଆଗରେ
ଖୋର୍ଧା ଜିଲ୍ଲାରେ ବି ଛାତ୍ରଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲାରେ ପାସ୍ କରିଥିବା ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୧,୦୪୩ ଜଣ ଛାତ୍ର ରହିିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧୧,୦୮୫ ରହିଛି। ଏକ୍ସ-ରେଗୁଲାରରେ ପାସ୍ କରିଥିବା ପିଲାଙ୍କ ମଧ୍ୟରେ ୩୪୧ ଜଣ ଛାତ୍ର ଓ ୨୯୨ ଜଣ ଛାତ୍ରୀ ରହିଛନ୍ତି। ପତ୍ରମାଧ୍ୟମ ଶିକ୍ଷା ରେଗୁଲାରରେ ୬୭ ଜଣ ଛାତ୍ର ଓ ୨୩ ଜଣ ଛାତ୍ରୀ ପାସ୍ କରିଛନ୍ତି। ପତ୍ରମାଧ୍ୟମ ଶିକ୍ଷାର ଏକ୍ସ-ରେଗୁଲାରରେ ୧୬ ଜଣ ଛାତ୍ର ଓ ୫ ଜଣ ଛାତ୍ରୀ ରହିଛନ୍ତି।
ବାଜି ମାରିଲେ ଦିବ୍ୟାଙ୍ଗ
ଭୁବନେଶ୍ୱରସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଏଥର ବି ବାଜି ମାରିଛନ୍ତି। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଜଣ ‘ଏ୨’ ଗ୍ରେଡ୍ ପାଇଥିବା ବେଳେ ୪ ଜଣ ‘ବି୧’, ଦୁଇ ଜଣ ‘ବି୨’ ଏବଂ ଜଣେ ‘ଡି’ ଗ୍ରେଡ୍ ପାଇଛନ୍ତି। ଛାତ୍ରୀ ସୌମ୍ୟସ୍ରୋତା ବେହେରା ୫୩୩ ମାର୍କ ରଖି ସ୍କୁଲ ଟପର୍ ହୋଇଥିବା ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୌରାଙ୍ଗ ପାତ୍ର କହିଛନ୍ତି। ବଧିର ବିଦ୍ୟାଳୟର ପରୀକ୍ଷା ଦେଇଥିବା ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨ ଜଣ ପାସ୍ କରିଛନ୍ତ। ବିଦ୍ୟାଳୟର ଆଶିଷ କୁମାର ସୁବୁଦ୍ଧି ୪୮୪ ମାର୍କ ଅର୍ଥାତ୍ ‘ଏ୨’ ଗ୍ରେଡ୍ ପାଇ ସ୍କୁଲର ଟପର୍ ହୋଇଥିବା ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ମୁକ୍ତି ମହାପାତ୍ର କହିଛନ୍ତି।
ଇତିହାସ ଓ ଭୂଗୋଳରେ କମିଲା ମାର୍କ
ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉତ୍ତର ଖାତା ସଠିକ୍ ଭାବେ ମୂଲ୍ୟାୟନ ହୋଇ ନ ଥିବା ଅଧିକାଂଶ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବାନୁଯାୟୀ ଇତିହାସ ଓ ଭୂଗୋଳ ବିଷୟରେ ଆଶାନୁଯାୟୀ ମାର୍କ ମିଳି ନାହିଁ। ଖାତା ମୂଲ୍ୟାୟନରେ ତ୍ରୁଟି ରହିଛି। ଯେତିକି ମାର୍କ ମିଳିବା କଥା ତା’ଠାରୁ ବହୁତ କମ୍ ମିଳିଛି। ଅବଜେକ୍ଟିଭ୍ ପ୍ରଶ୍ନଗୁଡ଼ିକରେ ଯେତିକି ମାର୍କ ଆଶା କରାଯାଇଥିଲା ତାହା ମିଳିନି। କେତେକ ଛାତ୍ରଛାତ୍ରୀଙ୍କ ଅନ୍ୟ ସମସ୍ତ ବିଷୟରେ ୯୦ ପ୍ରତିଶତରୁ ଅଧିକ ମାର୍କ ରହିଥିବା ବେଳେ ଇତିହାସ ଓ ଭୂଗୋଳରେ ୭୦ରୁ ୭୫ ପ୍ରତିଶତ ମାର୍କର୍ ରହିଛଝି। ଏହାକୁ ନେଇ ସେମାନେ ପୁନଃଯାଞ୍ଚ କରିବେ ବୋଲି କହିଛନ୍ତି।
କିସ୍ ଛାତ୍ରଛାତ୍ରୀଙ୍କ ବାଜିମାତ୍
ଚନ୍ଦ୍ରଶେଖରପୁର : ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଛନ୍ତି। କିସ୍ର ପାସ୍ ହାର ୯୪ ପ୍ରତିଶତ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ପାସ୍ ହାର ୭୬.୨୯ପ୍ରତିଶତ ରହିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ କିସ୍ର ସର୍ବାଧିକ ୧୫୬୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୦୦ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। କିସ୍ର ଏପରି ପ୍ରଦର୍ଶନ ଜନଜାତି ଓ ଆଦିମ ଜନଜାତି ସଂପ୍ରଦାୟ ପାଇଁ ବିଶେଷ ସଫଳତା ବୋଲି କିସ୍ ପକ୍ଷରୁ କୁହାଯାଇଛି। ଚଳିତବର୍ଷ କିସ୍ରେ ଓଡ଼ିଶାର ୩୦ଟି ଜିଲ୍ଲା ସମେତ ପଡ଼ୋଶୀ ଝାଡ଼ଖଣ୍ଡ ଓ ଅନ୍ୟାନ୍ୟ ରାଜ୍ୟର ଜନଜାତି ଓ ଆଦିମ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେଇ ବେଶ୍ ସଫଳତା ହାସଲ କରିଛନ୍ତି। ଡିଡାଇ, ଜୁଆଙ୍ଗ, ଖଡ଼ିଆ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୨ଶହରୁ ଅଧିକ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏହି ସଫଳତାରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
୨୦୦୦ ମସିହାରେ ମାତ୍ର ୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧୫୬୫ରେ ପହଞ୍ଚିଛି। କିସ୍ରେ ଏତେ ସଂଖ୍ୟକ ଜନଜାତି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାରୁ ଜନଜାତି ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ କିସ୍ ଓ ଏହାର ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।