ଭୁବନେଶ୍ବର : ରାଜଧାନୀର କିଛି ଘରୋଇ ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ହିତାଧିକାରୀଙ୍କୁ ସ୍ବାସ୍ଥ୍ୟସେବା ମିଳୁନି। ଚିକିତ୍ସା ବାବଦକୁ ରୋଗୀ ପିଛା ହେଉଥିବା ଖର୍ଚ୍ଚ ଭରଣା କରିବାରେ ସରକାର ବିଳମ୍ବ କରୁଥିବା ଦର୍ଶାଇ ହିତାଧିକାରୀଙ୍କୁ ହସ୍ପିଟାଲରୁ ଫେରାଇ ଦିଆଯାଉଛି। ଆଉ କିଛି ହସ୍ପିଟାଲରେ ସେବା ଯୋଗାଇବା ପାଇଁ ଜାଣି ଶୁଣି ବିଳମ୍ବ କରାଯାଉଛି। ଏନେଇ ଗଦା ଗଦା ଅଭିଯୋଗ ଆସିବା ପରେ ସରକାରଙ୍କ ଏହି ମହତ୍‌ ଯୋଜନାକୁ ୧୦୦ ପ୍ରତିଶତ କାର୍ଯ୍ୟକାରୀ କରାଇବା ପାଇଁ ବିଏମ୍‌ସି ଅଣ୍ଟା ଭିଡ଼ିଛି।

Advertisment

ବିଏସ୍‌କେୱାଇ ଅନୁବନ୍ଧିତ ରାଜଧାନୀର ୩୭ଟି ଯାକ ହସ୍ପିଟାଲରୁ ଯେମିତି ଗୋଟିଏ ବି ବିଏସ୍‌କେୱାଇ ହିତାଧିକାରୀ ବିନା ଚିକିତ୍ସାରେ ନ ଫେରିବେ, ତାହାକୁ ସୁନିଶ୍ଚିତ କରିବା ପାଇଁ ବିଏମ୍‌ସି ରଣନୀତି ପ୍ରସ୍ତୁତ କରିଛି। ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ନିୟମିତ ଅନ୍ତରାଳରେ ଏହି ହସ୍ପିଟାଲଗୁଡ଼ିକ ବୁଲି ସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକସ୍ଥଳେ ହିତାଧିକାରୀଙ୍କ ଆପତ୍ତି ଅଭିଯୋଗ ଶୁଣି ତାହାର ସମାଧାନ କରିବେ। ଯଦି କୌଣସି ହସ୍‌ପିଟାଲ କର୍ତ୍ତୃପକ୍ଷ ସେବା ପ୍ରଦାନରେ ରୋଗୀଙ୍କୁ ହଇରାଣ କରିବାର ନଜରକୁ ଆସେ, ତେବେ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଏନେଇ ବିଏମ୍‌ସି କମିସନର୍‌ ସଂଜୟ ସିଂହ ଆଦେଶନାମା ଜାରି କରିବା ପରେ ଆଜି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୧୦ଜଣ ବରିଷ୍ଠ ଅଧିକାରୀଙ୍କୁ ଏହି ଗୁରୁଦାୟିତ୍ବ ଦିଆଯିବା ପରେ ଆଜିଠାରୁ ହିଁ କାମ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍‌ଣରେ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ହସ୍ପିଟାଲ ବୁଲି ସ୍ଥିତି ପରଖିଛନ୍ତି।