ବିଏସ୍‌ଏନ୍‌ଏଲ୍‌ର ଅଜବ ବିଲ୍‌ : ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ, ୨୪ରୁ ୧୧ଟି ନମ୍ବର ପାଇଁ ସମାନ ବିଲ୍‌

ଭୁବନେଶ୍ବର : ଏଥର ଫୋନ୍ ନ ଲାଗିବା କି କଥା ହେଉ ହେଉ ଫୋନ୍ ଅଧାରୁ କଟିଯିବା ଭଳି ସମସ୍ୟା ନୁହେଁ। ମନଇଚ୍ଛା ବିଲ୍‌ ପଠାଇବାକୁ ନେଇ ବିଏସ୍‌ଏନ୍‌ଏଲ୍‌ ବିବାଦକୁ ଟାଣି ହୋଇଛି। ବିଏସ୍‌ଏନ୍ଏଲ୍‌ କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗକୁ ଏମିତି ବିଲ୍‌ ପଠାଇଛନ୍ତି ଯେ କେମିତି କଲ୍‌ ହିସାବ ହୋଇଛି, କଲ୍‌ ପିଛା କେତେ ଟଙ୍କା ପଡ଼ିଛି, ତା’ର ହିସାବ ପାଉନାହାନ୍ତି ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ। ତେଣୁ ପୂର୍ତ୍ତ ବିଭାଗ ପକ୍ଷରୁ ବିଏସ୍‌ଏନ୍‌ଏଲ୍‌କୁ ସ୍ପଷ୍ଟୀକରଣ ମଗାଯାଇଛି।

ନିର୍ମାଣ ସୌଧରେ କାର୍ଯ୍ୟ କରୁଥିବା ପୂର୍ତ୍ତ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ବିଏସ୍‌ଏନ୍‌ଏଲ୍‌ର ଲ୍ୟାଣ୍ଡଲାଇନ୍ ସଂଯୋଗ ଦିଆଯାଇଛି। ମୋଟ୍‌ ୨୪ଟି ନମ୍ବର ସଂଯୋଗ ଦିଆଯାଇଛି। ଏହି ୨୪ଟି ନମ୍ବରର ଏପ୍ରିଲ ଓ ମେ’ ମାସର ବିଲ୍‌ ପୂର୍ତ୍ତ ବିଭାଗକୁ ପଠାଯାଇଥିବା ବେଳେ ଏଥିରେ ୧୧ଟି ନମ୍ବରର ବିଲ୍‌ ଦେୟ ସମାନ ରହିଛି। ଏହି ସବୁ ବିଲ୍‌ର ଦେୟ ୧୦୦୧ ଟଙ୍କା ଲେଖାଏଁ ଦେବାକୁ କୁହାଯାଇଛି। ସେହିପରି ଆଉ ୫ଟି ନମ୍ବରର ବିଲ୍‌ ଦେୟ ୧୦୦୦ଟଙ୍କା ଆସିଛି। ଗୋଟିକର ଦେୟ ୧୦୦୫ ଟଙ୍କା ଆସିଥିବା ବେଳେ ଆଉ କେତୋଟି ନମ୍ବରର ଦେୟ ୧୦୮୨ଟଙ୍କା, ୧୦୨୮ ଟଙ୍କା ଆସିଛି। ଗୋଟିଏ ନମ୍ବରରେ ଦୁଇ ମାସର ଦେୟ ୪ଟଙ୍କା ବି ଆସିଛି। ଆଉ ଗୋଟେ ନମ୍ବରର ବିଲ୍‌ ୧୦୫୧୭ଟଙ୍କା ଆସିଛି।

କିନ୍ତୁ ୧୧ଟି ନମ୍ବରରେ କିପରି ସମାନ୍ ବିଲ୍‌ ଆସିଲା। ଆଉ ୫ଟି ନମ୍ବରରେ କେମିତି ଟଙ୍କାଟେ କମିକି ବିଲ୍‌ ଆସିଲା। ଦୁଇ ମାସର ୪ଟଙ୍କା ବିଲ୍‌ କେମିତି ଆସିଲା ତାହା ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ବୁଝି ପାରୁନାହାନ୍ତି। ତେଣୁ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଏଷ୍ଟାବ୍ଲିସମେଣ୍ଟ ଡିଡିଓ କୌଶିକ ଧଳ ଏନେଇ ବିଏସ୍‌ଏନ୍‌ଏଲ୍‌ର ଭୁବନେଶ୍ବର ଟେଲିକମ୍ ଡିଷ୍ଟ୍ରିକ୍ଟର ମହାପ୍ରବନ୍ଧକଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଛନ୍ତି। ଏନେଇ ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟ କରିବା ଭଳି ବିଲ୍‌ ପଠାଉଛନ୍ତି। ଏଥର କିନ୍ତୁ ପୂର୍ବଥରଗୁଡ଼ିକୁ ବଳି ଯାଇଛି। ତେଣୁ ଆମେ କେମିତି ଏତେ ନମ୍ବରରେ ସମାନ ବିଲ୍‌ ଆସିଲା ତାହା ଜାଣିବାକୁ ଚାହିଁଛୁ। ବର୍ତ୍ତମାନ ସୁଦ୍ଧା ଆମକୁ କିଛି ଉତ୍ତର ମିଳିନି।

ସମ୍ବନ୍ଧିତ ଖବର