ଓମିକ୍ରନ୍କୁ ନେଇ ଦ୍ବନ୍ଦ୍ବରେ ରାଜଧାନୀବାସୀ: ଘରେ ଘରେ ଖେଁ…ଖାଁ, ସୁଁ…ସାଁ
ଭୟଭୀତ ହେବାର ଆବଶ୍ୟକତା ନାହିଁ: ବିଶେଷଜ୍ଞ, ୧୦ ଦିନରେ ଦୁଇଗୁଣ ଅଧିକ ଔଷଧ ବିକ୍ରି
ଭୁବନେଶ୍ବର: ନିରଂଜନ ରାଉତ, ବୟସ ୪୦। ଘର ଡୁମୁଡୁମାରେ। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି। ୪ ଦିନ ହେବ ଭୀଷଣ ଥଣ୍ଡା। ନାକରୁ ପାଣି ଗଳିବା ସାଙ୍ଗକୁ କାଶ, ଗଳା ଖସ୍ଖସ୍। ଅଫିସ୍ ଯାଇ ପାରୁନାହାନ୍ତି, ଥଣ୍ଡା ମେଡିସିନ୍ ଖାଇ ଘରେ ଆରାମ କରୁଛନ୍ତି। ଏବେ ତାଙ୍କ ସ୍ତ୍ରୀ ସରିତା ଓ ଦୁଇ ପଅୁଙ୍କର ବି ସେଇ ଅବସ୍ଥା। ନିରଂଜନଙ୍କ ପଡ଼ୋଶୀ ଆନନ୍ଦ ସାହୁଙ୍କ ପରିବାରର ଅଧା ସଦସ୍ୟଙ୍କ ବି ସମବସ୍ଥା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ଦୁଇ ପରିବାରଙ୍କ ଚିନ୍ତା, କୋଭିଡ୍ ପରୀକ୍ଷା କରିବେ ନା ପାଖ ଔଷଧ ଦୋକାନରୁ ଏମିତି ଥଣ୍ଡା ଔଷଧ ଖାଇ ଚଳାଇ ଦେବେ। ତେବେ ଏହି ଚିନ୍ତା ଖାଲି ନିରଂଜନ କିମ୍ବା ଆନନ୍ଦଙ୍କର ନୁହେଁ, ରାଜଧାନୀର ପ୍ରାୟ ପ୍ରତି ପରିବାରକୁ ଏହି ଚିନ୍ତା ଭିତରୁ ଭିତରୁ ଖାଇଲାଣି। ଏବେ ପ୍ରାୟ ସବୁ ପରିବାରରେ ଖୁଁ ଖାଁ, ସୁଁ ସାଁ ଶବ୍ଦ। ପରିବାରରେ କେହି ନା କେହି ଥଣ୍ଡା, କାଶରେ ଆକ୍ରାନ୍ତ ଥିବାରୁ କ’ଣ କରିବେ, ବୁଝି ପାରୁନାହାନ୍ତି। ତେବେ ଏନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ୍ ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା କହିଛନ୍ତି, ଏବେ ଶୀତଋତୁ ଚାଲିଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ବାୟୁମଣ୍ଡଳରେ ଭୂତାଣୁ ସଂକ୍ରମଣ ବଢ଼ିଯାଇଛି। ଏଥିସହ ଇନ୍ଫ୍ଲୁଏନ୍ଜା ଓ ଫ୍ଲୁ ଭୂତାଣୁ ସଂକ୍ରମଣ ବି ବଢ଼ିଛି। ତେଣୁ ଥଣ୍ଡା, କାଶ, ଗଳା ଖସଖସ୍ ହେବା ଏକ ସାଧାରଣ କଥା।
ଭୟଭୀତ ହେବାର ଆବଶ୍ୟକତା ନାହିଁ: ବିଶେଷଜ୍ଞ
୧୦ ଦିନରେ ଦୁଇଗୁଣ ଅଧିକ ଔଷଧ ବିକ୍ରି
ସବୁ ଥଣ୍ଡା ଆକ୍ରାନ୍ତ କରୋନା ରୋଗୀ ନୁହଁନ୍ତି
ଏଥିପାଇଁ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ। କରୋନା ନଥିବା ସମୟରେ ବି ଥଣ୍ଡା, କାଶ ଭଳି ରୋଗ ଆମକୁ ହେଉଥିଲା। କିନ୍ତୁ ସାଧାରଣରେ ଏକ ଧାରଣା ହେଲାଣି ଯେ ଥଣ୍ଡା ହୋଇଛି ମାନେ କୋଭିଡ୍ ପରୀକ୍ଷା କଲେ, ରିପୋର୍ଟ ପଜିଟିଭ୍ ଆସିବ। କିନ୍ତୁ ଏହା ଏକ ଭୁଲ୍ ଧାରଣା। ଆର୍ଟିପିସିଆର୍ ଟେଷ୍ଟ୍ର ରିପୋର୍ଟ ତ୍ରୁଟିଶୂନ୍ୟ। ଏଣୁ ସାମାନ୍ୟ ଥଣ୍ଡା, ଜ୍ବର ହେଲେ ପରୀକ୍ଷା କରାଇନେବା ଜରୁରି। ସାଧାରଣ ଥଣ୍ଡା ଓ ଜ୍ବର ଆଗରୁ ବି ଥିଲା, ଜଣକଠାରୁ ଅନ୍ୟଜଣକୁ ବ୍ୟାପୁଥିଲା। ଏଣୁ ଏବେ ଭୟ କରିବାର କୌଣସି କାରଣ ନାହିଁ। କିନ୍ତୁ କରୋନା ଓ ଓମିକ୍ରନ୍ ଦ୍ରୁତ ଗତିରେ ବଢ଼ୁଥିବାରୁ ଲୋକେ କୌଣସି ପ୍ରକାର ରିସ୍କ ନେବା ଉଚିତ ନୁହେଁ। ଥଣ୍ଡା ଓ ତଣ୍ଟି ଜରଜ ହେବା ମାତ୍ରେ କରୋନା ହେଇଥାଉ ବା ନଥାଉ, ପରୀକ୍ଷା କରାଇନେବା ଉଚିତ ବୋଲି ସେ କହିଛନ୍ତି। ସେହିପରି କିମ୍ସ୍ ହସ୍ପିଟାଲର କ୍ରିଟିକାଲ କେୟାର୍ ବିଶେଷଜ୍ଞ ଡାକ୍ତର ହରୀଶ ଚୌଧୁରୀଙ୍କ କହିବା କଥା, ଶୀତ ଦିନେ ଥଣ୍ଡା, କାଶ, ଜ୍ବର ଭଳି ରୋଗ ହେବା ସାଧାରଣ। ପାଗ ପରିବର୍ତ୍ତନ ତଥା ଶୀତ ଦିନେ ବର୍ଷା ଭୂତାଣୁ ସଂକ୍ରମଣକୁ ବଢ଼ାଇଦିଏ। ଏଣୁ ଲୋକେ ବାହାରକୁ ବାହାରିଲେ, ୨ସେକେଣ୍ଡ ପାଇଁ ବି ମାସ୍କ କାଢ଼ନ୍ତୁ ନାହିଁ। ଥଣ୍ଡା, କାଶ ହେଲେ ନିଜକୁ ସଙ୍ଗରୋଧ କରିନିଅନ୍ତୁ। ପରୀକ୍ଷା କରି ଦେଲେ ସ୍ପଷ୍ଟ ହୋଇଯିବ ଯେ କୋଭିଡ୍ ଆକ୍ରାନ୍ତ କି ନୁହେଁ।
ଅପରପକ୍ଷେ, ଗତ ୧୦ ଦିନ ହେଲା ରାଜଧାନୀରେ ଥଣ୍ଡା, କାଶ, ଜ୍ବର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଔଷଧ ଦୋକାନରେ ଲେଭୋ ସେଟ୍ରିଜିନ୍, ମଣ୍ଟୁଲକାଷ୍ଟ, ଆଜିଥ୍ରୋମାଇସିନ୍, ପାରାସିଟାମଲ୍, କଫ୍-ସିରପ ଭଳି ଔଷଧର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଛି। ଅଲ୍ ଓଡ଼ିଶା ଡ୍ରଗ୍ସ ଆସୋସିଏସନ୍ର ସମ୍ପାଦକ ପ୍ରଶାନ୍ତ ମହାପାତ୍ରଙ୍କ କହିବାନୁଯାୟୀ, କିଛି ଦିନ ହେଲା ଥଣ୍ଡା, କାଶ ଓ ଜ୍ବର ଔଷଧ ବିକ୍ରି ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। ବିଶେଷକରି ଶିଶୁମାନଙ୍କ କଫ୍-ସିରପ ବିକ୍ରି ଅଧିକ ହେଉଛି। ଇମ୍ୟୁନିଟି ବୁଷ୍ଟର୍ ପାଇଁ ଲୋକେ ଭିଟାମିନ୍-ସି, ଜିଙ୍କ୍ ଆଦି ଔଷଧ ବି କିଣି ନେଉଛନ୍ତି। ଏସବୁ ଔଷଧ ବିକ୍ରି ପାଖାପାଖି ଦୁଇଗୁଣ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। କଟକରେ ସମସ୍ତ କମ୍ପାନିର ଡିପୋ ରହିଥିବା ବେଳେ କଟକରୁ ହିଁ ସାରା ଓଡ଼ିଶାକୁ ଔଷଧ ଯାଇଥାଏ। ରାଜ୍ୟରେ ଏବେ ବହୁଳ ପରିମାଣରେ ଔଷଧ ଗଚ୍ଛିତ ରହିଛି। ଏଣୁ ମେଡିସିନ୍ର ଅଭାବ ଦେଖାଯିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।