କେବିଏନ୍ ଗ୍ୟାଙ୍ଗର ଆତଙ୍କ ଘଟଣାକୁ ମାସେ ପୂରିବ: ଚେନ୍ନାଇରେ ଗ୍ୟାଙ୍ଗ ସହ ଲୁଚିଛି ବୁବୁ!

ଭୁବନେଶ୍ୱର : ସିଆର୍‌ପି ଛକସ୍ଥିତ ଅମ୍ରିତା ମାର୍କେଟ୍‌ କମ୍ପ୍ଲେକ୍ସରେ ହଣାକଟା ମାମଲା ଓ ଆତଙ୍କ ସୃଷ୍ଟିକାରୀ ଭିଡିଓ ଭାଇରାଲ୍‌ ଘଟଣାକୁ ମାସେ ପୂରିବ। ମାତ୍ର କେବିଏନ୍ ଗ୍ୟାଙ୍ଗ୍ ଲିଡର୍‌ ବୁବୁର ପତ୍ତା ପାଉନି ପୁଲିସ। କେବଳ ବୁବୁ ନୁହେଁ, ହଣାକଟାରେ ସାମିଲ ଥିବା ଗ୍ୟାଙ୍ଗ୍‌ର ଅନ୍ୟତମ ପ୍ରମୁଖ ସଦସ୍ୟ ଅମ୍ଳାନ ସମେତ ଅନ୍ୟ ୨୦ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସଫଳ ହୋଇପାରିନାହିଁ।

ସୂଚନା ଅନୁଯାୟୀ, ବୁବୁକୁ ପୁଲିସ ଶେଷଥର ପାଇଁ ପୁରୀରେ ଠାବ କରିଥିଲେ ମଧ୍ୟ ଧରି ପାରିନଥିଲା। ତେଣୁ ଏହାର ସୁଯୋଗ ନେଇ ଏବେ ବୁବୁ ରାଜ୍ୟ ବାହାରକୁ ଚାଲି ଯାଇଛି। ସେ ଏବେ ଚେନ୍ନାଇରେ ଲୁଚିଥିବା ଜଣାପଡ଼ିଛି। ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କ ସଂପର୍କୀୟ ଚେନ୍ନାଇରେ ରହୁଥିବାରୁ ସେ ଓ କିଛି ସଦସ୍ୟ ସେଠାରେ ଲୁଚିଥିବା ପୁଲିସ ସୂଚନା ପାଇଛି। ସେଠା‌ରେ ବସି ସେ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ ହୋଇଥିବା ଟାଉନ୍ ଟାଇଗର୍ସ ନାଁ’ରେ ଆତଙ୍କ ସୃଷ୍ଟିକାରୀ ଭିଡିଓକୁ ଡିଲିଟ୍ କରିଛି। ପରେ ଟଙ୍କା ଓ ଜାମିନଦାର୍ ଯୋଗାଡ଼ କରି ସେ ଓ ତା ସହଯୋଗୀମାନେ ଏକସଙ୍ଗେ କୋର୍ଟରେ ଆତ୍ମସମର୍ପଣ କରିବା ସହିତ ଜାମିନ୍‌ରେ ଆସିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ଛାନିଆରେ ହଟେଇଲେଣି ଶତାଧିକ ଛାତିଥରା ଭିଡିଓ
ବନ୍ଧୁକ, ହାତକଡ଼ି ସାଙ୍ଗକୁ ମଣିଷ ଖପୁରି ଥିବା ଫଟୋରେ ଉଲ୍ଲେଖ ଥିଲା ସଂଗଠନର ନାଁ’ ‘କ୍ରାଇମ୍ ବିଏମ୍ଏସ୍’। ଏଭଳି ଆତଙ୍କିତ କଲା ଭଳି କ୍ରାଇମ୍ ବିଏମ୍‌ଏସ୍ ଗ୍ୟାଙ୍ଗ୍‌ର ଲୋଗୋ ଏବେ ସାମାଜିକ ଗଣମାଧ୍ୟମରୁ ଗାଏବ ହୋଇଯାଇଛି। ଏହି ଆତଙ୍କ ସୃଷ୍ଟିକାରୀ ଗ୍ରୁପ୍‌ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ହେଲେ ସଂଗଠନ ସଦସ୍ୟମାନେ ଅଡ଼ୁଆ ଭିତରକୁ ନଯାଇ ସଙ୍ଗେ ସଙ୍ଗେ ଲୋଗୋକୁ ହଟାଇ ଦେଇଥିଲେ। ସେହିଭଳି କେବିଏନ୍ ଗ୍ୟାଙ୍ଗ୍‌ର ଅନ୍ୟ ଏକ ସଦସ୍ୟ ସୁବ୍ରତ ସ୍ବାଇଁ ନଟଖଟ ସୁବୁ ନାଁ’ରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଥିଲା। ଏହି ଚ୍ୟାନେଲ୍‌ରେ ସୁବୁ ଗ୍ୟାଙ୍ଗ୍‌ର ରାଜରାସ୍ତାରେ ଉତ୍ପାତ କରୁଥିବାର ଭିଡିଓ ପୋଷ୍ଟ କରିଥିଲା। ହେଲେ ପୁଲିସ ହାତରେ ଧରାପଡ଼ିବା ପୂର୍ବରୁ ସେ ତା’ ୟୁଟ୍ୟୁବ୍ ଚ୍ୟାନେଲ୍ ସମେତ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରୁ ସମସ୍ତ ଭିଡିଓ ଡିଲିଟ୍ କରିଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର