ଭୁବନେଶ୍ୱର : ବର୍ତମାନ ବହୁ ଚେଷ୍ଟା ପରେ ମଧ୍ୟ ସମାଜରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆମ ବ୍ୟବସ୍ଥା, ସମାଜ ଓ ପ୍ରକୃତିର ସମନ୍ଵୟ ଭାଙ୍ଗି ଭାଙ୍ଗି ଯିବା ଏହାର ଏକମାତ୍ର କାରଣ। ପ୍ରକୃତିର ନିୟମ ବିରୋଧରେ ମଣିଷ କାମ କରିଚାଲିଛି। ବର୍ତମାନ ସମୂହ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତି ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଉଛି। ମଣିଷ କେବଳ ଏବେ ନିଜ କଥା ହିଁ ଚିନ୍ତା କରୁଛି। ଏସବୁ ଭିତରେ ବି ମଣିଷ ସୁଖ ଟିକେ ପାଇପାରୁନି। ଏଭଳି ପରିସ୍ଥିତିରେ ବୁଦ୍ଧଙ୍କ ଦର୍ଶନ ‘କାମନାର ବିନାଶରେ ହିଁ ଦୁଃଖର ବିନାଶ’ କଥାଟି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଏଣୁ ନିଜ ଆବଶ୍ୟକତାକୁ ସଙ୍କୁଚିତ କରିପାରିଲେ ମଣିଷ ସୁଖ ପାଇବ ବୋଲି କହିଛନ୍ତି ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment

ମହାବୋଧି ସୋସାଇଟି, ଓଡ଼ିଶା ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଭଗବାନ ବୁଦ୍ଧଙ୍କ ୨୫୬୨ତମ ଜୟନ୍ତୀ ପାଳନ ଅବସରରେ ‘ବୁଦ୍ଧଙ୍କ ଜୟନ୍ତୀ ପାଳନର ଆବଶ୍ୟକତା’ ବିଷୟରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ରାଧାମାଧବ ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ, ଭଗବାନ ବୁଦ୍ଧଙ୍କୁ ଆମେ ଦଶ ଅବତାରରେ ସ୍ଥାନ ଦେଇଛୁ। ସତ୍ୟ, ଅହିଂସା ଓ କରୁଣାର ମୂର୍ତିମନ୍ତ ପ୍ରତୀକ ଥିଲେ ତଥାଗତ ବୁଦ୍ଧ। ସତ୍ୟର ସ୍ପଷ୍ଟ ଉପଲବ୍ଧି ଉପରେ ସେ ଗୁରୁତ୍ୱ ଦେବା ସହ ସହନଶୀଳତା ଭିକ୍ଷୁର ଭୂଷଣ ବୋଲି ଶ୍ରୀ ଦାଶ କହିଥିଲେ। ଉତ୍ସବରେ ଭିକ୍ଷୁ-ଇନ୍‌-ଚାର୍ଜ ଖେମ୍ପୋ ଫୁଣ୍ଟ୍‌ସୋ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମହାବୋଧି ବିଦ୍ୟାଳୟର ଅଧ୍ୟକ୍ଷା ସୁରମା ଖାଡ଼ଙ୍ଗାଙ୍କୁ ଅବସରକାଳୀନ ସମ୍ବର୍ଧନା ଦିଆଯାଇଥିଲା। ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସଭାପତି ବିମଳେନ୍ଦୁ ମହାନ୍ତି ସଭାରେ ସଭାପତିତ୍ୱ କରିଥିଲେ। ଓଡ଼ିଶା ଶାଖାର ବରିଷ୍ଠ ସଦସ୍ୟ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ସ୍ୱାଗତ ଭାଷଣ ଦେଇଥିଲେ। ବିମଳ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସକାଳେ କରୁଣାକର ପ୍ରଧାନଙ୍କ ନେତୃତ୍ୱରେ ଏକ ଧାର୍ମିକ ଶୋଭାଯାତ୍ରା ହୋଇଥିଲା।