କାମରେ ଲାଗୁନି ୩୩ ଲକ୍ଷର ବୁଦ୍ଧ ପାର୍କ ସ୍କେଟିଂ ଟ୍ରାକ୍‌

ଚନ୍ଦ୍ରଶେଖରପୁର : ସ୍କେଟିଂ ଭଳି ଏକ ଆଧୁନିକ କ୍ରୀଡ଼ାକୁ ନେଇ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବଢ଼ି ଚାଲିଛି। ମାତ୍ର ଏହା ଏକ ବ୍ୟୟସାପେକ୍ଷ କ୍ରୀଡ଼ା ହୋଇଥିବାରୁ ଅର୍ଥାଭାବରୁ ଅନେକ ଏଥିରୁ ବଞ୍ଚିତ ହେଉଛନ୍ତି। ଏହି କ୍ରୀଡ଼ାକୁ ସହଜରେ ଛାତ୍ରଛାତ୍ରୀ ତଥା ଯୁବପିଢ଼ିଙ୍କୁ ଉପଲବ୍ଧ କରାଇବା ନିମନ୍ତେ ରାଜ୍ୟ ସରକାର ଏପ୍ରିଲ୍‌ ୨୦୧୬ ମସିହାରେ ୩୩.୨୭ ଲକ୍ଷ ଟଙ୍କା ବ୍ୟୟରେ ନୀଳାଦ୍ରି ବିହାର ବୁଦ୍ଧ ପାର୍କରେ ଏକ ସ୍କେଟିଂ ଟ୍ରାକ୍‌ ନିର୍ମାଣ ନିମନ୍ତେ ଟେଣ୍ଡର୍‌ କରିଥିଲେ। ପ୍ରାୟ ୨୦,୦୦୦ ବର୍ଗଫୁଟ୍‌ ଆୟତନ ବିଶିଷ୍ଟ ଏହି ସ୍କେଟିଂ ଟ୍ରାକ୍‌ର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବତ ନେଇ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ମଧ୍ୟରେ ଏହି ଟ୍ରାକ୍‌ର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ମାତ୍ର ପ୍ରାୟ ୩୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସ୍କେଟିଂ ଟ୍ରାକ୍‌ କୌଣସି କାର୍ଯ୍ୟରେ ଲାଗୁନାହିଁ। ନିର୍ମାଣ କାର୍ଯ୍ୟ ସମାପ୍ତି ପରେ ସେହିପରି ଭାବରେ ଅବ୍ୟବହୃତ ହୋଇ ପଡ଼ି ରହିଛି ଟ୍ରାକ୍‌। ଏ ସମ୍ପର୍କରେ ବିଡିଏର ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ଅତ୍ୟନ୍ତ ବେପରୁଆ ଉତ୍ତର ମିଳିଥିଲା। ସରକାର୍‌ କା ମାଲ୍‌ ଦରିଆ ମେଁ ଡାଲ୍‌ ନ୍ୟାୟରେ ଏହି ଟ୍ରାକ୍‌ର ନିର୍ମାଣ ପାଇଁ ବ୍ୟୟ ହୋଇଥିବା ବିପୁଳ ଅର୍ଥର ଯେ କୌଣସି ମୂଲ୍ୟ ନାହିଁ, ତାହା ପାର୍କ ନିର୍ମାଣ ତଥା ବିକାଶ ଦାୟିତ୍ୱରେ ଥିବା ବିଡିଏର ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟରୁ ପ୍ରତୀୟମାନ ହୋଇଥିଲା।

ଶୀତ ଋତୁରେ ସ୍କେଟିଂର ଚାହିଦା ବେଶ୍‌ ବଢ଼ିଯାଏ। କିନ୍ତୁ ନିର୍ଦ୍ଦିଷ୍ଟ ଏକ ଘରୋଇ ସଂସ୍ଥା ହାତକୁ ଏହି ସ୍କେଟିଂ ଟ୍ରାକ୍‌ ଟେକିଦେବାକୁ ଚକ୍ରାନ୍ତ କରାଯାଉଥିବା ଜଣାଯାଇଛି। ଏଥିପାଇଁ ଜାଣି ଜାଣି ଏପରି ବିଳମ୍ବ କରାଯାଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ମଧୁସୂଦନ ପାର୍କ ଓ ରାଜଧାନୀର ପ୍ରମୁଖ ଷ୍ଟାଡ଼ିୟମ୍‌ ରେ ସ୍କେଟିଂ ପାର୍କ ଦାୟିତ୍ୱରେ ନିଜ ପକେଟ୍‌ ଗରମ କରି ବିବାଦୀୟ ହୋଇପଡ଼ିଥିବା ବ୍ୟକ୍ତିଙ୍କ ହାତରେ ପୁନଶ୍ଚ ଆଉ ଗୋଟିଏ ପାର୍କର ଦାୟିତ୍ୱ ଦେବାକୁ ରୀତିମତ ଯୋଜନା ହୋଇଥିବା ସୂଚନା ମିଳିଛି। ଅତ୍ୟନ୍ତ ସନ୍ତର୍ପଣର ସହ ଏହି ପ୍ରକ୍ରିୟା ହୋଇଥିବା ଜଣାପଡ଼ିଛି। ଏହି ସ୍କେଟିଂ ଟ୍ରାକ୍‌ରୁ ସରକାରଙ୍କୁ ରୋଜଗାରର ମଧ୍ୟ ସୁଯୋଗ ରହିଛି। ଉପଯୁକ୍ତ ତାଲିମ ଓ ପ୍ରଶିକ୍ଷକଙ୍କ ବିନା ସହାୟତାରେ ସ୍କେଟିଂ କରିବା ଠିକ୍‌ ନୁହେଁ। ତେଣୁ ଉତ୍ତମ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କୁ ଏହି ଟ୍ରାକ୍‌ର ଦାୟିତ୍ୱ ଦେଇ ପ୍ରଶିକ୍ଷାର୍ଥୀମାନେ ତାଲିମ୍‌ ବାବଦରେ ମଧ୍ୟ କିଛି ଅର୍ଥ ଦେବାକୁ ପ୍ରସ୍ତୁତ ଥିବା ସ୍କେଟିଂରେ ରୁଚି ରଖୁଥିବା ବ୍ୟକ୍ତି ମତ ଦେଇଛନ୍ତି।

ଏହି କ୍ଷେତ୍ରର ଆହୁରି ଅନେକ ସଂସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ଠିକ୍‌ ଭାବରେ ଦାୟିତ୍ୱ ନେଇପାରୁନଥିବା ବ୍ୟକ୍ତିଙ୍କୁ ପୁଣିଥରେ ଆଉ ଏକ ପାର୍କର ଦାୟିତ୍ୱ ଦେବା ବିଡିଏର ନିର୍ଦ୍ଦିଷ୍ଟ କିଛି ଅଧିକାରୀଙ୍କ ଅସାଧୁ ଉଦ୍ଦେଶ୍ୟ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଉଲ୍ଲେଖଯୋଗ୍ୟ ଯେ ବିଡିଏ ପକ୍ଷରୁ ପ୍ରାୟ ୪୬ ଲକ୍ଷ ଟଙ୍କା ବ୍ୟୟରେ ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କ ଓ ଚନ୍ଦ୍ରଶେଖରପୁରସ୍ଥିତ ବୁଦ୍ଧ ପାର୍କରେ ଦୁଇଟି ସ୍କେଟିଂ ଟ୍ରାକ୍‌ ନିର୍ମାଣ ନିମନ୍ତେ ୨୦୧୬ ମସିହାରୁ ବିଡିଏ ଯୋଜନା କରିଥିଲା। ପ୍ରଥମେ ମଧୁସୂଦନ ପାର୍କରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମାତ୍ର ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥାର ମନମୁଖୀ କାରବାର ଯୋଗୁଁ ଏଠାକୁ ସ୍କେଟିଂ ନିମନ୍ତେ ଆସୁଥିବା ପ୍ରଶିକ୍ଷାର୍ଥୀମାନେ ବେଶ୍‌ ହଇରାଣ ହରକତ ହେଉଛନ୍ତି। ବିଡିଏର ଅଧିକାରୀମାନେ ମଧ୍ୟ ଏପରି କାର୍ଯ୍ୟ କରିବାକୁ ସୁଯୋଗ ଦେଉଥିବା ବାରମ୍ବାର ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର