ଭୁବନେଶ୍ୱର : ମହାବୋଧି ସୋସାଇଟି ଅଫ ଇଣ୍ଡିଆ, ଓଡ଼ିଶା ଶାଖା ତରଫରୁ ଶ୍ରୀଲଙ୍କାର ବିଶିଷ୍ଟ ବୌଦ୍ଧଭିକ୍ଷୁ ତଥା ନାଗାନନ୍ଦ ଆନ୍ତର୍ଜାତିକ ବୌଦ୍ଧ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଚନ୍ଦ୍ରମା ବୋଧଗାମାଙ୍କୁ ଆଜି ବୁଦ୍ଧ ମନ୍ଦିର ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଛି। ମହାବୋଧି ସୋସାଇଟିର ଓଡ଼ିଶା ଶାଖା ସଭାପତି ବିମଳେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଓ ଓଡ଼ିଶା ଶଖା ସମ୍ପାଦକ ସୌରେନ୍ଦ୍ର କୁମାର ମହାପାତ୍ର ଅତିଥି ପରିଚୟ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କମିଟିର କେନ୍ଦ୍ରୀୟ ଉପସଭାପତି ଅବସର ବେଉରିଆ ଓ ସୋସାଇଟିର ପୂର୍ବତନ ସାଧାରଣ ସମ୍ପାଦକ ରେଓ୍ଵତ ଥେରୋ ପ୍ରମୁଖ ଯୋଗଦେଇ କହିଥିଲେ ଶ୍ରୀଲଙ୍କାରେ ବୌଦ୍ଧଭିକ୍ଷୁମାନଙ୍କର ତ୍ୟାଗ ଓ ନିଷ୍ଠା ଅନେକ। ସେମାନେ ନିଜର ଶୁଦ୍ଧ ସଂକଳ୍ପ ପାଇଁ ସମସ୍ତ କାର୍ଯ୍ୟରେ ସଫଳ ହୋଇଥାଆନ୍ତି। ଏହା ଏକ ଛୋଟ ଦେଶ ହେଲେ ମଧ୍ୟ ସେମାନଙ୍କଠାରୁ ଅନେକ କଥା ଶିକ୍ଷା ଲାଭ କରିବାର ଅଛି। ଏହି ଅବସରରେ ବୌଦ୍ଧଭିକ୍ଷୁ ଚନ୍ଦ୍ରମାଙ୍କୁ ଉତ୍ତରୀୟ ଓ ରୌପ୍ୟ କୋଣାର୍କଚକ୍ର ପ୍ରଦାନ କରାଯାଇଥିଲା। ଶ୍ରୀ ବୋଧଗାମା କହିଥିଲେ, ଭଗବାନ ବୁଦ୍ଧ ଜଣେ ସାଧାରଣ ମଣିଷ ପାଇଁ ଧର୍ମର ସଂଜ୍ଞାକୁ ଅତ୍ୟନ୍ତ ସରଳ କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ନୀତିକୁ ନିଜ କାର୍ଯ୍ୟଶୈଳୀରେ ଅନୁସରଣ କଲେ ନିଶ୍ଚିତ ରୂପେ ସଫଳତା ମିଳିବ। ଖୁବ୍ ଶୀଘ୍ର ବୁଦ୍ଧ ମନ୍ଦିର ପରିସରରେ ଏକ ସ୍ତପ ନିର୍ମାଣ କରିବା ଦାୟିତ୍ୱ ନେବେ ବୋଲି ସେ ଘୋଷଣା କରିଥିଲେ। ଶେଷରେ ପରିଚାଳନା ସମିତିି ସଦସ୍ୟା ନମ୍ରତା ଚଢ଼ା ଧନ୍ୟବାଦ ଦେଇଥିଲେ। ପରିଚାଳନା କମିଟିର ସଦସ୍ୟ ବିମଳ ଦାସ, ସିଦ୍ଧାର୍ଥ ପଣ୍ଡା, ଜଗତବନ୍ଧୁ ଜେନା, ନରେନ୍ଦ୍ର କୁମାର ମିଶ୍ର, କରୁଣାକର ପ୍ରଧାନ ଓ ମନୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।