ବଜେଟ୍‌ ୨୦୨୦-୨୦୨୧: ବିଭିନ୍ନ ମହଲରୁ ପ୍ରତିକ୍ରିୟା

ଐତିହାସିକ ହତାଶା ସୃଷ୍ଟି କଲାଭଳି ବଜେଟ୍‌

ଚଳିତଥର କେନ୍ଦ୍ର ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍‌ ଲୋକଙ୍କ ଭିତରେ ଐତିହାସିକ ହତାଶାବୋଧ ସୃଷ୍ଟି କରିଛି। ଏହି ବଜେଟ୍‌ରେ ସମ୍ବିଧାନ ବିଧି ବ୍ୟବସ୍ଥା ଅନୁଯାୟୀ ବର୍ଷକର ଆୟ ଓ ବ୍ୟୟର ବିବରଣୀ ଦିଆଯାଇନାହିଁ। ଭାରତର ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବେ ବିଦେଶୀ କମ୍ପାନିମାନଙ୍କ ହାତକୁ ଟେକିଦେବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ଅଧିକ ବ୍ୟୟ ବରାଦ କରାଯାଇଛି ବୋଲି ଦର୍ଶାଇ ବୀମା ବ୍ୟବସ୍ଥାରେ ୭୪% ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ପାଇଁ ଅନୁମତି ଦେବା ବିପଦଜନ୍ନକ। ଆଶା କରାଯାଉଥିଲା ପ୍ରତ୍ୟେକ୍ଷ କରରେ ଅଧିକ ଛାଡ଼ ମିଳିବ ବୋଲି। କିନ୍ତୁ ତାହା ବି କରାଯାଇନି। ସବୁ ଦୃଷ୍ଟିରୁ ବିଚାର କଲେ ଏହା ସମ୍ପୂର୍ଣ୍ଣ ଭାବେ ନୈରାଶ୍ୟଜନକ ବଜେଟ୍‌।
-ପଞ୍ଚାନନ କାନୁନଗୋ, ପୂର୍ବତନ ଅର୍ଥରାଷ୍ଟ୍ରମନ୍ତ୍ରୀ
ଦେଶକୁ ବିକି ଦେବାର ବଜେଟ୍‌
ଏହି ବଜେଟ୍‌ରେ ଗରିବ, ମଧ୍ୟବିତ୍ତ ଓ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ଏହା ଭାରତର ରାଷ୍ଟ୍ରୀୟ ସମ୍ପତ୍ତି, ବ୍ୟାଙ୍କ, ବୀମା, ରେଳବାଇ, ବନ୍ଦର, ପ୍ରତିରକ୍ଷା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ବିକ୍ରି କରିଦେବା ଭଳି ଦେଶ ବିରୋଧୀ ବଜେଟ୍‌। ଏଥିରେ କୃଷି ଓ କୃଷକଙ୍କ ବିକାଶ ହେବନାହିଁ। କରୋନା ସମୟରେ ଚାକିରି ହରାଇଥିବା ଶ୍ରମିକ କର୍ମଚାରୀଙ୍କ ପୁନଃନିଯୁକ୍ତିର ସମ୍ଭାବନା ନାହିଁ। ଏହା ଦରଦାମ ବୃଦ୍ଧି ଘଟାଇବାରେ ଆହୁରି ସହାୟକ ହେବ।
-ଦିବାକର ନାୟକ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ, ସିପିଆଇ
ସ୍ବାସ୍ଥ୍ୟରେ ଅର୍ଥ ବ୍ୟୟବରାଦ ଗତ ତୁଳନାରେ ୯% କମିଛି
ଗତ ବଜେଟ୍‌‌ ତୁଳନାରେ ଚଳିତବର୍ଷର ବଜେଟର ଆକାର ମାତ୍ର ୧ ପ୍ରତିଶତ ବଢ଼ିଛି। ବର୍ତମାନ ସମୟରେ ସମ୍ବଳ ସଂଗ୍ରହରେ ସମସ୍ୟା ବଜେଟ୍‌ରେ ପ୍ରତିଫଳନ ହୋଇଛି। ପୂର୍ବରୁ ଯେଉଁ ସ୍ଲାବ୍ ରହିଥିଲା ତାହା ଅପରିବର୍ତିତ ରହିଛି। କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ଦୀର୍ଘମିଆଦି ଅର୍ଥ ବ୍ୟୟବରାଦ ହୋଇଛି। ହେଲେ ଚଳିତ ଆର୍ଥିକବର୍ଷରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଯେତିକି ଅର୍ଥ ବ୍ୟୟବରାଦ ‌ହୋଇଛି ତାହା ପୂର୍ବ ତୁଳନାରେ ୯ ପ୍ରତିଶତ କମ୍। କେବଳ ଏମ୍‌ଏସ୍‌ଏମଇ ଓ ଷ୍ଟାଟ୍ଅପମାନଙ୍କୁ ପ୍ରୋତ୍ସାହିତ କରାଯାଇଛି। ସହରାଞ୍ଚଳ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ କୌଣସି ନୂତନ ଯୋଜନା ଘୋଷଣା ହୋଇନାହିଁ। ସେହିପରି ଗ୍ରାମାଞ୍ଚଳରେ ମନରେଗା ପାଇଁ ଧାର୍ଯ୍ୟ ବ୍ୟୟବରାଦକୁ ଅନୁଶୀଳନ କଲେ ତାହା ଗତବର୍ଷର ସଂଶୋଧିତ ବ୍ୟୟବରାଦ ତୁଳନାରେ କମ୍। ଚଳିତବର୍ଷର ବଜେଟ୍‌ କୋଭିଡ୍‌ ସମସ୍ୟାକୁ ମୁକାବିଲା କଲାଭଳି ବଜେଟ୍‌ ନୁହେଁ। ତେଣୁ ଏହା ଏକ ଚିରାଚରିତ ବଜେଟ୍‌ ବୋଲି କୁହାଯାଇପାରିବ।
-ପ୍ରଭାସ ମିଶ୍ର, ଅକ୍ସଫାମ୍ ଇଣ୍ଡିଆ
ଶିକ୍ଷା କ୍ଷେତ୍ରକୁ ଅନେକ ଆଗକୁ ନେଇପାରିବ
ଚଳିତ ବଜେଟ୍‌ରେ ଶିକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ୧୫ହଜାର ବିଦ୍ୟାଳୟର ଭିତ୍ତିଭୂମିକୁ ବିକାଶିତ କରାଯିବ। ଏନ୍‌ଜିଓ ଓ ବେସରକାରୀ ବିଦ୍ୟାଳୟ ସହଭାଗିତାରେ ଶହେଟି ‌ସୈନିକ ସ୍କୁଲ ଖୋଲାଯିବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୭୫୦ଟି ଏକଲବ୍ୟ ବିଦ୍ୟାଳୟ ଖୋଲାଯାଇ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୩୫ହଜାର କୋଟିର ବ୍ୟୟବରାଦ କରାଯାଇଛି। ଚଳିତ ବଜେଟ୍‌ରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦିଆଯାଇଛି। ଏମ୍‌ଏସ୍‌ଏମ୍‌ଇକୁ ଗୁରୁତ୍ବ ଦିଆଯାଇ ଅଧିକ ନିଯୁକ୍ତି ସୁଯୋଗ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ସାମଗ୍ରିକ ଭାବେ କହିବାକୁ ଗଲେ ବଜେଟ୍‌ରେ ଶିକ୍ଷା, କୃଷି, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି।
-ବିଜୟ କୁମାର ସାହୁ, ପ୍ରତିଷ୍ଠାତା, ସାଇ ଇଣ୍ଟରନାସନାଲ ଏଜୁକେସନ୍ ଗ୍ରୁପ୍

ଦୀର୍ଘମିଆଦି ବଜେଟ୍‌
କୋଭିଡ୍‌ ପରବର୍ତୀ ଚଳିତବର୍ଷର ବଜେଟ କେନ୍ଦ୍ର ସରକାରଙ୍କ ପାଇଁ ଏକ ଆହ୍ବାନ ଥିଲା। କେନ୍ଦ୍ର ସରକାର ଏହି ଆହ୍ବାନକୁ ଗ୍ରହଣ କରିଛନ୍ତି। ଶିଳ୍ପ, ସ୍ବାସ୍ଥ୍ୟ ଓ ଗ୍ରାମାଞ୍ଚଳକୁ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ହେଲେ ମଧ୍ୟବତ୍ତିଙ୍କ ପାଇଁ ବଜେଟରେ କିଛି ନୂଆ ନାହିଁ। ଯାହାକି ପୂର୍ବରୁ ଆଶା କରାଯାଉ ଥିଲା। ଘ‌ରୋଇ ଉତ୍ପାଦନ ଓ ଆର ଏଣ୍ଡ ଡିକୁ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ଅଟୋମୋବାଇଲ କ୍ଷେତ୍ର ଖରାପ ପରିସ୍ଥିତି ଦେଇ ଗତି କରୁଥିଲା। ତେଣୁ ନୂଆ ସ୍କ୍ରାପ୍ ନୀତି ଅଟୋମୋବାଇଲ କ୍ଷେତ୍ର ଆଗକୁ ବଢ଼ିବ। ଚଳିତବର୍ଷର ବଜେଟ୍‌ ଏକ ଚିରାଚରିତ ଓ ଦୀର୍ଘମିଆଦି ବଜେଟ୍।
-ସତ୍ବିକ୍ ସ୍ବାଇଁ, ସାଧାରଣ ସଂପାଦକ, ଓଏଏସ୍‌ଏମ୍‌ଇ
ରିଅଲ ଇଷ୍ଟେଟ୍‌ ଶିଳ୍ପ ପାଇଁ ଉତ୍ସାହଜନକ ନୁହେଁ
ବଜେଟ୍ ରିଅଲ ଇଷ୍ଟେଟ୍‌ ‌ଶିଳ୍ପକୁ ଆଗକୁ ବଢ଼ାଇବା ଲାଗି ଚଳିତ କେନ୍ଦ୍ରୀୟ ବଜେଟ୍‌ରେ ଅନେକ କିଛି ଆଶା କରାଯାଉଥିଲା। ଚଳିତ ଆର୍ଥିକ ବର୍ଷରେ କେବଳ ଗୃହ ଲୋନ୍‌ର ସୁଧ ବାବଦରେ ଦେଢ଼ ଲକ୍ଷ ଛାଡ଼ କରାଯାଇଛି। ତେବେ ଘର କିଣିବା ଲାଗି ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଜିଏସ୍‌ଟି ଓ ଗୃହ ଲୋନ୍‌ରେ ସୁଧରେ କମ୍ ହୋଇଥିଲେ ବେଶ୍‌ ଫଳପ୍ରଦ ହୋଇଥାନ୍ତା।
-ଡିଏସ୍‌ ତ୍ରିପାଠୀ, କ୍ରେଡାଇ
ଭିତ୍ତିଭୁମି ବିକାଶ ଉପରେ ଗୁରୁତ୍ବ ଅର୍ଥ ନିଯୁକ୍ତି ସୃଷ୍ଟି
ସରକାର ସମସ୍ତଙ୍କୁ ଚାକିରି ଦେବା ସମ୍ଭବ ନୁହେଁ। କିନ୍ତୁ ପରୋକ୍ଷରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍‌ରେ ଏହା ପ୍ରତିଫଳିତ ହୋଇଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ ଗଲେ ଲୋକଙ୍କୁ ଅଧିକରୁ ଅଧିକ ରୋଜଗାର ମିଳିପାରିବ। ଏମ୍‌ଏସ୍‌ଏମ୍‌ଇକୁ ଗୁରୁତ୍ବ ଦିଆଯାଇଥିବାବେଳେ ୭୫ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ପ୍ରତ୍ୟେକ୍ଷ କର ବାବଦରେ ରିଟର୍ଣ୍ଣ ଫାଇଲ ବ୍ୟବସ୍ଥାକୁ ହଟାଇଦେବା ସ୍ବାଗତଯୋଗ୍ୟ।
-ସହଦେବ ସାହୁ, ପୂର୍ବତନ ମୁଖ୍ୟ ଶାସନ ସଚିବ
ଆତ୍ମନିର୍ଭର ଭାରତକୁ ମଜଭୁତ କରିବ
ଶିକ୍ଷାକୁ ବିଶେଷ ଗୁରୁତ୍ୱ ଦେଇ ଚଳିତ ବଜେଟ୍‌ରେ ୧୫ ହଜାର ବିଦ୍ୟାଳୟର ଭିତ୍ତିଭୂମିର ବିକଶିତ କରାଯିବ। ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଦେଶରେ ଉଭୟ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷାରେ ପ୍ରମୁଖ ପରିବର୍ତ୍ତନ ଆଣିବ ବୋଲି ଯେଉଁ ଆଶା ରଖାଯାଇଛି ତାହା ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀର ଏକ ଝଲକ୍। ସ୍ୱାସ୍ଥ୍ୟସେବା ଓ ଏହାର ଭିତ୍ତିଭୂମି ପାଇଁ ୬୪.୧୮୪ କୋଟି ବ୍ୟୟବରାଦ କରାଯାଇଛି । ଚଳିତ ବଜେଟ୍‌ରେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ମୋଟାମୋଟି କହିବାକୁ ଗଲେ ଚଳିତ ବଜେଟ୍‌ ଆତ୍ମନିର୍ଭର ଭାରତକୁ ମଜବୁତ୍ କରିପାରିବ।
-ଶରତ କୁମାର କର, ଶିକ୍ଷାବିତ୍‌

ଅପରାଜିତା ଷଢ଼ଙ୍ଗୀ,                                               ମୋନିକା ନୈୟାର ପଟ୍ଟନାୟକ,                                    ପଦ୍ମଜା ମିଶ୍ର

ସବୁ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇଛି
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ବାରା ଆଜି ଉପସ୍ଥାପନ କରାଯାଇଥିବା ବଜେଟ୍‌ ୨୦୨୧-୨୨କୁ ମୁଁ ସ୍ବାଗତ କରୁଛି। କରୋନା ସମୟରେ ଏହା ସବୁଠାରୁ ଭଲ ବଜେଟ୍‌। ଦେଶରେ ଜିଡିପି ବିଯୁକ୍ତ ଥିବା ବେଳେ ମୋଦି ସରକାରଙ୍କ ବଜେଟ ଅର୍ଥନୀତିକୁ ସୁଦୃଢ଼ କରିବ। ଇଷ୍ଟକୋଷ୍ଟ କରିଡର୍‌ରେ ଓଡ଼ିଶା ଲାଭବାନ ହେବ। ଦେଶର ଚାଷୀଠାରୁ ଆରମ୍ଭ କରି ମହିଳା, ସ୍ବାସ୍ଥ୍ୟ, ଗମନାଗମନ ତଥା ସବୁ ପ୍ରସଙ୍ଗକୁ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି।
-ଅପରାଜିତା ଷଡ଼ଙ୍ଗୀ, ସାଂସଦ
ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ସହାୟକ ହେବ
କେନ୍ଦ୍ର ସରକାର ଦେଇଥିବା ବଜେଟ୍‌ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ସହାୟକ ହେବ। ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଜାନୁଆରିରେ ଦେଶରେ ସର୍ବକାଳୀନ ଜିଏସ୍‌ଟି ସଂଗ୍ରହ ହୋଇଛି। ଯାହାକି ଆତ୍ମନିର୍ଭର ଭାରତର ଭିତ୍ତିଭୂମିକୁ ବ୍ୟାପକ ଭାବେ ପ୍ରୋତ୍ସାହନ ଯୋଗାଇବ। ଏପରି ସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍‌ ବଡ଼ ସହାୟକ ହେବ। ଆଉ ଏହା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତ ବିକାଶ ଅଭିଯାନର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
-ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ
ଅଭିବୃଦ୍ଧି କୈନ୍ଦ୍ରିକ ବଜେଟ୍‌
ଆତ୍ମନିର୍ଭର ଭାରତ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିବା କେନ୍ଦ୍ରର ୨୦୨୧-୨୨ ବଜେଟ୍‌ ଅଭିବୃଦ୍ଧି କୈନ୍ଦ୍ରିକ ଓ ଶିଳ୍ପ ମିତବ୍ୟୟୀ। ଓଡ଼ିଶା ନିଜର ପୁଞ୍ଜିନିବେଶ ସମ୍ଭାବନାକୁ ଦେଶବିଦେଶରେ ବ୍ୟାପକ ପ୍ରଚାରପ୍ରସାର କରୁଥିବା ବେଳେ ବ୍ୟବସାୟ ବାତାବରଣକୁ ସହଜ କରିବା ଓ ବିଭିନ୍ନ ନିୟମ ପାଳନ କରିବା ଉପରେ ଅର୍ଥମନ୍ତ୍ରୀ ଯେଉଁ ଗୁରୁତ୍ବ ଦେଇଛନ୍ତି ତାହା ରାଜ୍ୟ ପାଇଁ ସହାୟକ ହେବ। ଗ୍ରାମୀଣ ଭିତ୍ତିଭୂମି ଓ ସହରାଞ୍ଚଳ ବିକାଶ ପାଇଁ ବଜେଟ୍‌ରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଟିକସଦାତାଙ୍କ ଜୀବନକୁ ସହଜ କରିବା ଲାଗି ନିଆଯାଇଥିବା ପଦକ୍ଷେପ ଖୁସିର ବିଷୟ। ଫିକିର ଅନେକ ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଆମେ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛୁ।
-ମୋନିକା ନୈୟାର ପଟ୍ଟନାୟକ, ପରିଚାଳନା ନିର୍ଦେଶିକା, ସମ୍ବାଦ ଗ୍ରୁପ୍‌
ସନ୍ତୁଳିତ ବଜେଟ୍‌
ଏହା ଏକ ସନ୍ତୁଳିତ ବଜେଟ୍‌। ମହାମାରୀ ପୂର୍ବରୁ ଭାରତ ଅର୍ଥନୀତି ନିମ୍ନଗାମୀ ଥିଲା। ମହାମାରୀ ଏହାକୁ ଆହୁରି ଉଜାଡ଼ି ଦେଇଛି। ଏଭଳି ଏକ ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ବଜେଟ୍‌ ଆସିଛି। ଏଥିରେ ସବୁ କ୍ଷେତ୍ରକୁ କିଛି ନା କିଛି ଦିଆଯାଇଛି। ସବୁ ଦୃଷ୍ଟିରୁ ଏହା ଏକ ଭଲ ବଜେଟ୍‌। ପେଟ୍ରୋଲ ଓ ଡିଜେଲ୍‌ରେ କୃଷି ଭିତ୍ତିଭୂମି ସେସ୍ ଲାଗୁ ହୋଇଛି। ସରକାର ଅବକାରୀ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦର‌‌ରେ ଏହାର ପ୍ରଭାବ ପଡ଼ିବ ନାହିଁ।
-ସଞ୍ଜୟ ଲାଠ୍‌, ସାଧାରଣ ସମ୍ପାଦକ, ଉତ୍କଳ ପେଟ୍ରୋଲ ଡିଲର୍‌ ଆସୋସିଏସନ୍‌
ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବଢ଼ିବ
ଏକ କଠିନ ପରିସ୍ଥିତିରେ ଆସିଥିବା ଏହା ଦେଉଛି ମୋଟା‌ମୋଟି ଭାବେ ଭଲ ବଜେଟ୍‌। ଭିତ୍ତିଭୂମି ବିକାଶ ଦିଗରେ ସରକାର ବଜେଟ୍‌ରେ ବେଶି ଧ୍ୟ‌ାନ ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ଦୃଷ୍ଟି ଦିଆଯାଇଛି। କିନ୍ତୁ ଜଣେ ଅର୍ଥନୈତିଜ୍ଞ ହିସାବରେ ମୁଁ କହିବି ଏହା ଏକ ନିଅଣ୍ଟିଆ ବଜେଟ୍‌। ଏଥର ବଜେଟ୍‌ରେ ବିତ୍ତୀୟ ନିଅଣ୍ଟର ପରିମାଣ ଅଧିକ ରହିଛି। ଫଳରେ ଦେଶରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଯାହାକି ଏକ ଶୁଭ ସୂଚନା ନୁହେଁ। ଅନ୍ୟପଟେ ସାଧାରଣ ଲୋକଙ୍କ ପାଇଁ ଏହି ବଜେଟ୍‌ରେ ସେମିତି କିଛି ସୁଫଳ ନାହିଁ। ମୁଦ୍ରାସ୍ପିତି ବଢ଼ିବ, ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାମଗ୍ରୀର ଦରଦାମ୍‌ ବଢ଼ିବା ନେଇ ଆଶଙ୍କା କରାଯାଉଛି।
-ପ୍ରଫେସର ପଦ୍ମଜା ମିଶ୍ର, ପୂର୍ବତନ କୁଳପତି, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ
ବିଶ୍ୱସ୍ତରୀୟ ଭିତ୍ତିଭୂମି ଆଭିମୁଖ୍ୟ ବଜେଟ୍‌
କେନ୍ଦ୍ରୀୟ ବଜେଟ୍‌ ୨୦୨୧-୨୨ ମୁଖ୍ୟତଃ ଆତ୍ମନିର୍ଭର ମିସନକୁ ସଂପ୍ରସାରିତ କରିବା, ବିଶ୍ୱସ୍ତରୀୟ ଭିତ୍ତିଭୂମି ଯଥା; ରାସ୍ତା ଓ ପରିବହନ, ସ୍ୱାସ୍ଥ୍ୟ, ଡିଜିଟାଲ୍‍ ପ୍ଲାଟଫର୍ମ ଓ କୃଷକମାନଙ୍କ ରୋଜଗାର ବୃଦ୍ଧି ଉପରେ ଆଧାରିତ। ଯାହାକି ଆମ ଦେଶକୁ ପ୍ରଗତି ପଥରେ ଅଗ୍ରସର କରିବାରେ ସହାୟକ ହେବ। ମୁଁ ଏକ ଶିକ୍ଷାବିତ୍‍ ହିସାବରେ ଆନନ୍ଦିତ ଯେ, ଏହି ବଜେଟରେ ୧୫ ହଜା‌ର ବିଦ୍ୟାଳୟକୁ ସଶକ୍ତୀକରଣ କରିବା, ୭୫୦ଟି ଏକଲବ୍ୟ ବିଦ୍ୟାଳୟ ଆଦିବାସୀମାନଙ୍କ ପାଇଁ ସୃଷ୍ଟି କରିବା ଏବଂ ପିପିପି ମୋଡ୍‌ରେ ୧୦୦ଟି ସୈନିକ ସ୍କୁଲ, ଉଚ୍ଚ ଶିକ୍ଷାରେ ସଂସ୍କାର ଓ ଏନ୍‌ଇପି ଦର୍ଶନ ଦଲିଲ୍‍ ଇତ୍ୟାଦି ଦ୍ୱାରା ଆମ ଶିକ୍ଷା ମାନଦଣ୍ଡର ସୁଦୃଢୀକରଣ ହେବ, ଯାହାକି ଜ୍ଞାନ ଆଧାରିତ ସମାଜ ପାଇଁ ନିହାତି ଅପରିହାର୍ଯ୍ୟ। ଏହି ବଜେଟ୍‌ରେ କର ଦାତାମାନଙ୍କର ଯେଉଁ ଆଶା ଥିଲା ଯଥା- ଟିକସ ସ୍ଲାବ ରେଞ୍ଜ ପରିବର୍ତ୍ତନ ଓ ଟିକସ ହାରରେ ହ୍ରାସ, ତାହା ପୂର୍ଣ୍ଣ ହୋଇପାରିଲା ନାହିଁ, ଯାହାକି ମଧ୍ୟବିତ୍ତ ପରିବାରମାନଙ୍କୁ ପ୍ରଭାବିତ କରିବ।
-ଡି .ଏନ୍‌ ମିଶ୍ର, ଅଧ୍ୟକ୍ଷ, ଡିଏଭି ସ୍କୁଲ ଅଫ୍ ବିଜିନେସ୍‌ ମ୍ୟାନେଜମେଣ୍ଟ୍‌

ସମ୍ବନ୍ଧିତ ଖବର