ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାରନାମା-୨: କୁଆ‌ଡ଼େ ଗଲା ଷ୍ଟୁଡିଓ?

୩ କୋଟିର ଯୋଜନା, ୮ ଲକ୍ଷ ଖର୍ଚ୍ଚ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାବେ ଯୋଗଦେବା ପରେ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଥିଲେ ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ। ଉତ୍କଳକୁ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ଲାଗି ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନକୁ ବୁଲାଇ ନେବାକୁ ଛାତ୍ରଛାତ୍ରୀଙ୍କୁ ସ୍ବପ୍ନ ଦେଖାଇଥିଲେ। ତେବେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ୫ ମାସ ବାକିଥିବା ବେଳେ କିଭଳି ପ୍ରତିଶ୍ରୁତି ପୂରଣ ହୋଇଛି, ତାହାର ନଗ୍ନ ନମୁନା ଏବେ ପଦାକୁ ଆସିଛି। ୨୦୧୮ ଏପ୍ରିଲ ୧୨ ତାରିଖରେ କ୍ୟାମ୍ପସରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟରେ ଏକ ଷ୍ଟୁଡିଓ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ। ଯେଉଁଠାରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ସହ ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ଭିଡିଓ ସୁଟି˚, ଏଡିଟି˚ ପରି ବିଷୟରେ ତାଲିମ ଦିଆଯିବ। ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମଗୁଡ଼ିକର ଭିଡିଓ ପ୍ରସ୍ତୁତ କରାଯିବ। ବିଶ୍ବବିଦ୍ୟାଳୟ ଉପରେ ଡକ୍ୟୁମେଣ୍ଟାରି ବି ଏଠାକାର ଛାତ୍ରଛାତ୍ରୀଙ୍କ ଦ୍ବାରା ହେବ। ଆଉ ବାହାର ସ˚ସ୍ଥା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ କି ପ୍ରଚୁର ଅର୍ଥ ବରବାଦ ହେବନି। ପ୍ରାୟ ୩କୋଟି ଟଙ୍କାରେ ଏହି ‌ଷ୍ଟୁଡିଓ ନିର୍ମାଣ କରିବାକୁ କୁଳପତି ପ୍ରଫେସର ପଟ୍ଟନାୟକ ଘୋଷଣା କରିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କୁ ଆହୁରି ପ୍ରତିଶ୍ରୁତି ଦେଇଥିଲେ ଯେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ସମେତ ଓଡ଼ିଶା ବାହାରେ ଥିବା ଶିକ୍ଷାନୁଷ୍ଠାନ ସହ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ଉକ୍ତ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ସହ ଆଲୋଚନା ହୋଇସାରିଥିବା କହିଥିଲେ।

ପିଲା ଥିଓରି ପଢ଼ୁଛନ୍ତି, ପ୍ରାକ୍ଟିକାଲ ହେଉନି
ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ନାଁରେ ଛାତ୍ରଛାତ୍ରୀଙ୍କୁ ଭୂତେଇଲେ

ଘୋଷଣାର ୩ ମାସ ପରେ କାମ କିଛିଟା ଆଗେଇଥିଲା। ଭିଡିଓ କ୍ୟାମେରା ଓ ଟେଲିପ୍ରମ୍ପଟର ପରି ସର୍ବନିମ୍ନ ଆବଶ୍ୟକ ଥିବା ସାମଗ୍ରୀ କିଣା ହୋଇ ଆସିଥିଲା। କୁଳପତି ପ୍ରଫେସର ପଟ୍ଟନାୟକ ନିଜ କରକମଳରେ ଏହି ଷ୍ଟୁଡିଓକୁ ଉଦ୍‌ଘାଟନ କରି କହିଥିଲେ, ଉତ୍କଳ ବିଶ୍ବବିଦ୍ୟାଳୟର ଇ-ପେପର ପ୍ରକାଶ, ଡିଜିଟାଲ ନ୍ୟୁଜ୍‌, ଡକ୍ୟୁମେଣ୍ଟାରି, ରେକର୍ଡିଂ ଆଦି କ୍ୟାମ୍ପସରେ କରାଯିବ। ଏଥିପାଇଁ ୩ କୋଟି ଟଙ୍କାର ବଜେଟ୍‌ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ଟଙ୍କାରେ ସାମଗ୍ରୀ କିଣାଯାଇଥିଲା। ଲୋକପ୍ରଶାସନ ବିଭାଗର ଗୋଟିଏ ରୁମ୍‌କୁ ପ୍ରାୟ ୫ ଲକ୍ଷ ଟଙ୍କାରେ ଷ୍ଟୁଡିଓ କନ୍‌ସେପ୍ଟ ଦିଆଯାଇଥିଲା। ତାହାର ଦେଖାରଖା ଦାୟିତ୍ବ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗକୁ ଦିଆଯାଇଥିଲା। ଛାତ୍ରଛାତ୍ରୀ କ୍ୟାମେରା ଧରି କ୍ୟାମ୍ପସରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଭିଡିଓ ସୁଟିଂ କରିଥି‌ଲେ। ତେବେ ମାସ କେଇଟା ପରେ ସବୁ କିଛି ବନ୍ଦ ହୋଇଯାଇଛି। ଷ୍ଟୁଡିଓ କାମ କରୁନି କି କ୍ୟାମେରା ଦେଖିବାକୁ ମିଳୁନି। କୁଳପତି ପ୍ରଫେସର ପଟ୍ଟନାୟକଙ୍କ ପ୍ରତିଶ୍ରୁତିକୁ ଇତି ମଧ୍ୟରେ ୨୦ ମାସ ବିତିଗଲାଣି। ଷ୍ଟୁଡିଓ ତ ଦୂରର କଥା, ଏ ପର୍ଯ୍ୟନ୍ତ ଗୋଟିଏ ରୁମ୍‌ରେ ହୋଇଥିବା ଷ୍ଟୁଡିଓରେ ଲାଇଟ୍‌ ଲାଗି ପାରିନି। କ୍ୟାମେରା କିଣାଯାଇଥିଲେ ମଧ୍ୟ ପିଲାମାନେ ତାହାକୁ ବ୍ୟବହାର କରିପାରୁ ନାହାନ୍ତି। ପାଖାପାଖି ୮ ଲକ୍ଷ ଟଙ୍କା ‌ଏବେ ପାଣିରେ ପଡ଼ିଛି। ଗତ ମାସରେ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉତ୍ସବ ପାଳନ ହୋଇଥିଲେ ମଧ୍ୟ ସେଠାରେ ବିଶ୍ବବିଦ୍ୟାଳୟ କ୍ୟାମେରା ଦେଖିବାକୁ ମିଳି ନ ଥିଲା। ବାହାର ସଂସ୍ଥାଠାରୁ ଭଡ଼ାରେ କ୍ୟାମେରା ଅଣାଯାଇ ଲକ୍ଷାଧିକ ଟଙ୍କା ଗଣିଛନ୍ତି କର୍ତୃପକ୍ଷ। ଏବେ ପ୍ରଶ୍ନ ଉଠୁଛି, ଯୋଜନା ହୋଇଥିବା ୩ କୋଟି ଟଙ୍କା ଗଲା କୁଆଡ଼େ? କୁଳପତିଙ୍କ ସ୍ବପ୍ନର ଷ୍ଟୁଡିଓ ପୂରଣ ହେବ ତ? ୫ ମାସ ପରେ କାର୍ଯ୍ୟକାଳ ସରୁଥିବାରୁ ଷ୍ଟୁଡିଓକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରିବେ ତ କୁଳପତି? ନା କ୍ୟାମ୍ପସର ଅନ୍ୟ ପ୍ରକଳ୍ପ ପରି ଏହା ବି କେବଳ ଘୋଷଣା‌ରେ ଅଟକି ଯିବ।

ବଡ଼ କଥା ହେଲା, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ଏ ପର୍ଯ୍ୟନ୍ତ ଅଧ୍ୟାପକ ହିଁ ନାହାନ୍ତି। କେବଳ ସଂଯୋଜକ(କୋର୍ଡିନେଟର)ରେ ଚାଲିଛି ଏହି ବିଭାଗ। ହଜାର ହଜାର ଟଙ୍କା ଖର୍ଚ୍ଚ କରି ଛାତ୍ରଛାତ୍ରୀ ଏଠାରେ କେବଳ ଥିଓରି ପଢ଼ୁଛନ୍ତି। ପ୍ରାକ୍ଟିକାଲ ଶିଖି ପାରୁନାହାନ୍ତି। ଅତିଥି ଅଧ୍ୟାପକ ଭାବେ ଆସୁଥିବା ସାମ୍ବାଦିକମାନେ ଯେତିକି ପଢ଼ାଉଛନ୍ତି, ପିଲାମାନେ ସେତିକି ହିଁ ଶିଖୁଛନ୍ତି। ୨୦୧୮ ସେପ୍ଟେମ୍ବର ମାସରେ କୁଳପତି ପ୍ରଫେସର ପଟ୍ଟନାୟକ କହିଥିଲେ ଖୁବ୍‌ଶୀଘ୍ର ଏହି ବିଭାଗରେ ସ୍ଥାୟୀ ନିଯୁକ୍ତି ଦିଆଯିବ। ତେବେ ଏ ପର୍ଯ୍ୟନ୍ତ ଜଣେ ବି ସ୍ଥାୟୀ କିମ୍ବା ଅସ୍ଥାୟୀ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ବରଂ ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାଶଙ୍କ ସମୟରେ ଏହି ବିଭାଗ ପାଇଁ ନିଯୁକ୍ତ ହୋଇଥିବା ଆସୋସିଏଟ୍‌ କୋର୍ଡିନେଟରଙ୍କୁ କୁଳପତି ପ୍ରଫେସର ପଟ୍ଟନାୟକ ବାହାର କରିଦେଇଛନ୍ତି। ଆଉ ନିଯୁକ୍ତି ‌ଦିଆଯାଉ ନାହିଁ। କୁଳପତିଙ୍କ ଏଭଳି କାରନାମା ଏବେ କ୍ୟାମ୍ପସରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ସମ୍ପର୍କରେ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ମତାମତ ଲୋଡ଼ା ଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର