ବଜେଟ୍‌ରେ ଅର୍ଥାଭାବ: ଏବର୍ଷ ବି ପୂର୍ଣାଙ୍ଗ ହୋଇପାରିବନି ଏମ୍‌ସ

ଖଣ୍ଡଗିରି: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବଜେଟ୍‌ରେ ଅର୍ଥାଭାବ ଯୋଗୁଁ ଦେଶର ୬ଟି ନବଗଠିତ ଏମ୍‌ସ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍‌ରେ ୪ଶତକଡ଼ା କମ୍‌ ଅର୍ଥ ବରାଦ କରାଯାଇଛି। ତେଣୁ ୨୦୧୮ ମସିହା ଶେଷ ସୁଦ୍ଧା ଭୁବନେଶ୍ୱର ଏମ୍‌ସ ପୂର୍ଣ୍ଣାଙ୍ଗ ହୋଇଯିବାର ଆଶା କ୍ଷୀଣ ହେବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଏଭଳି ନୀତି ଯୋଗୁଁ ଉଭୟ ନବଗଠିତ ଓ ନିର୍ମାଣାଧୀନ ଏମ୍‌ସଗୁଡ଼ିକ ପ୍ରଭାବିତ ହେଉଥିବାରୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ଦେଇଥିବା ତଥ୍ୟ ଅନୁସାରେ, ୨୦୧୮-୧୯ ବର୍ଷ ପାଇଁ ଏମ୍‌ସ ବାବଦରେ ୩,୮୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିପାଇଁ ୮,୩୯୮ କୋଟି ଟଙ୍କା ଦରକାର ପଡ଼ୁଥିବା ବେଳେ ସରକାର ଏହି ଅର୍ଥ ବରାଦ କରିଛନ୍ତି। ଅର୍ଥାତ୍‌ ଆବଶ୍ୟକ ଅନୁଦାନର ମାତ୍ର ୪୫.୫ ଶତକଡ଼ା ଅର୍ଥ ବରାଦ କରାଯାଇଛି। ଗତବର୍ଷ ଅର୍ଥାତ୍‌ ୨୦୧୭-୧୮ରେ ଏଥିପାଇଁ ୩,୯୭୫ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିଲା। ସେହି ହିସାବରେ ଦେଖିଲେ, ଗତବର୍ଷ ତୁଳନାରେ ଚଳିତ ବର୍ଷର ଅନୁଦାନ ୪ ଶତକଡ଼ା କମ୍‌। ତେଣୁ ଏଭଳି ସ୍ଥିତିରେ ନିର୍ମାଣାଧୀନ ନୂଆ ଏମ୍‌ସର କାର୍ଯ୍ୟ ଆଖିଦୃଶିଆ ଭାବେ ଅଗ୍ରଗତି କରିପାରୁନାହିଁ ଓ ନବଗଠିତ ୬ଟି ଯାକ ଏମ୍‌ସ ଅଧପନ୍ତରିଆ ହୋଇ ରହିଛି। ଷ୍ଟାଣ୍ଡିଂ କମିଟିକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଇଥିବା ସୂଚନାନୁସାରେ ୬ଟି ନବଗଠିତ ଏମ୍‌ସ ଯଥା ଭୁବନେଶ୍ୱର, ଭୋପାଳ, ଋଷିକେଶ, ପାଟଣା, ରାୟପୁର ଓ ଯୋଧପୁର ପୂର୍ଣ୍ଣାଙ୍ଗ ହୋଇ ପାରିନାହିଁ। ପ୍ରାୟ ସବୁ ଏମ୍‌ସରେ ନିର୍ମାଣକାମ ୯୦ଶତକଡ଼ା ସରିଥିବା ବେଳେ ଡାକ୍ତର ନିଯୁକ୍ତିଠାରୁ ଆରମ୍ଭ କରି ଉନ୍ନତମାନର ଯାନ୍ତ୍ରିକ ଉପକରଣ ଆଦି ଯୋଗାଣ କ୍ଷେତ୍ରରେ ମାତ୍ର ୭୫ ପ୍ରତିଶତ କାମ ସରିଛି। କେତେବେଳେ ଜମି ସମସ୍ୟା ତ କେତେବେଳେ ଠିକାଦାର ସମସ୍ୟା ସହ ଟେଣ୍ଡର୍‌ ଓ ରିଟେଣ୍ଡର୍‌ ପ୍ରକ୍ରିୟା ଆଦି କାରଣରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେବେ ବଜେଟ୍‌ରେ କମ୍‌ ଅର୍ଥ ବରାଦ କାରଣରୁ ଅଧିକ ସମସ୍ୟା ଉପୁଜୁଛି ବୋଲି ଷ୍ଟାଣ୍ଡିଂ କମିଟି ଧରି ନେଇଥିବା ସୂଚନା ମିଳିଛି।

ଖାଲି ନିର୍ମାଣ ଓ ଉପକରଣ ଯୋଗାଣ କଥା ଯେ ପ୍ରଭାବିତ ହେଉଛି, ତା’ ନୁହେଁ। ଡାକ୍ତର ଓ କର୍ମଚାରୀ ନିଯୁକ୍ତି ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇ ଆସୁଛି। ନବଗଠିତ ୬ଟି ଏମ୍‌ସ ପାଇଁ ମୋଟ୍‌ ୧୮୩୦ ଫାକ୍‌ଲଟି ଆବଶ୍ୟକ ପଡ଼ୁଥିବା ବେଳେ ମାତ୍ର ୭୨୪ ପଦବି ପୂରଣ ହୋଇଛି। ଏହା ହେଉଛି ଆବଶ୍ୟକ ପଦବିର ମାତ୍ର ୩୯.୫ ପ୍ରତିଶତ। ତେଣୁ ପ୍ରାୟ ସମସ୍ତ ୬ଟି ଯାକ ଏମ୍‌ସରେ ବହୁ ବିଭାଗ ମଧ୍ୟ ଖୋଲିବା ସମ୍ଭବ ହୋଇପାରିନାହିଁ। ସେହିଭଳି ଅନ୍ୟାନ୍ୟ କର୍ମଚାରୀ (ନନ୍‌ ଫାକ୍‌ଲଟି ଷ୍ଟାଫ୍‌) ନିଯୁକ୍ତି ପାଇଁ ୨୨,୬୫୬ ଜଣ ଆବଶ୍ୟକ ହେଉଥିବା ବେଳେ ମାତ୍ର ୧୮ ପ୍ରତିଶତ ହାରରେ ୪,୨୦୨ ପଦବି ପୂରଣ ହୋଇଛି। ବଡ଼ କଥା ହେଉଛି, ଏଥିରୁ ୨୫୪୮ ଜଣ ହେଉଛନ୍ତି ଆଉଟ୍‌ସୋର୍ସିଂ କର୍ମଚାରୀ। ତେବେ ୨୦୧୮ ଜୁନ୍‌ ଶେଷ ସୁଦ୍ଧା ନନ୍‌ ଫାକ୍‌ଲଟି ଷ୍ଟାଫ୍‌ ବାବଦରେ ପ୍ରାୟ ୪ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ନନ୍‌ ଫାକ୍‌ଲଟି କର୍ମଚାରୀଙ୍କ ଭିତରେ ବିଭିନ୍ନ ପ୍ରକାର ଟେକ୍‌ନିସିଆନ୍‌ ପଦବି ପୂରଣ ହୋଇ ପାରୁନଥିବାରୁ ଅପରେସନ୍‌ ଥିଏଟର୍‌ଠାରୁ ଆରମ୍ଭ କରି ବହୁ ଉନ୍ନତମାନର ଯନ୍ତ୍ରପାତି ବ୍ୟବହାର ହୋଇ ପାରୁନାହିଁ। ତେଣୁ ବଜେଟ୍‌ରେ ଅର୍ଥାଭାବ କାରଣରୁ ସମସ୍ତ ଏମ୍‌ସ ଅଧାପନ୍ତରିଆ ହୋଇ ପଡ଼ି ରହିଛି ବୋଲି ଷ୍ଟାଣ୍ଡିଂ କମିଟି ଅନୁଭବ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ନବଗଠିତ ୬ଟି ଏମ୍‌ସର ଅବସ୍ଥା ଏଭଳି ରୁଗ୍‌ଣ ହୋଇ ପଡ଼ିଥିବା ବେଳେ କେନ୍ଦ୍ରସରକାର ଆଉ ୧୪ଟି ନୂଆ ଏମ୍‌ସ ନିର୍ମାଣରେ ହାତ ଦେଇଛନ୍ତି। ତେଣୁ ୨୦ଟି ଏମ୍‌ସ କେତେ ବର୍ଷରେ ପୂର୍ଣ୍ଣାଙ୍ଗ ହେବ, ସହଜରେ ଅନୁମେୟ।

ସମ୍ବନ୍ଧିତ ଖବର