ଉଜୁଡ଼ିବାକୁ ବସିଛି ବୁଦ୍ଧ ଜୟନ୍ତୀ ପାର୍କ, ରଙ୍ଗିନ୍ ମାଛରେ ଘା’, ଶୌଚାଳୟ ଶୋଚନୀୟ

ଚନ୍ଦ୍ରଶେଖରପୁର: ରାଜଧାନୀର ପାର୍କଗୁଡ଼ିକ ମଧ୍ୟରୁ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାରସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କ ଅନ୍ୟତମ। ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହି ପାର୍କ ସ୍ବତନ୍ତ୍ର ହୋଇଥିବାରୁ ସବୁବେଳେ ସ୍ଥାନୀୟ ଲୋକଙ୍କ ସହ ରାଜଧାନୀର ଅନ୍ୟ ଅଞ୍ଚଳର ଲୋକେ ଏଠାକୁ ଆକର୍ଷିତ ହୋଇଥାଆନ୍ତି। କିନ୍ତୁ ଆଜି ଏହି ପାର୍କ ଉଜୁଡ଼ିବାକୁ ବସିଛି। ବିଗତ ଦିନର ଚମକ ନାହିଁ। ରଙ୍ଗିନ୍‌ ୱାଟର୍‌ ଫାଉଣ୍ଟେନ୍‌ ଅବସ୍ଥା ଖରାପ ହୋଇଗଲାଣି। ରଙ୍ଗିନ୍‌ ମାଛଙ୍କ ଦେହରେ ଘା’ ହୋଇଗଲାଣି। ଦୁଇ ଦୁଇଟି ଶୌଚାଳୟ ମଧ୍ୟ ଶୋଚନୀୟ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ପାର୍କର ବହୁ ଉପାଦାନ ଏବେ ଲୋକଙ୍କ ମନୋରଞ୍ଜନର ମାଧ୍ୟମ ହୋଇପାରୁନାହିଁ। ଉପରକୁ ଚକ୍‌ଚକ୍‌ କରୁଥିବା ଏହି ପାର୍କର ଭିତର ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଗଲାଣି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ପାର୍କରେ ଥିବା ଦୁଇଟିଯାକ ଶୌଚାଳୟର ପରିବେଶ ବିଗିଡ଼ି ଯାଇଛି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟର ବିଲ୍‌ଡିଂ ଅବସ୍ଥା ଠିକ୍ ନାହିଁ। ବାହାର ସବୁଆଡ଼ ଶିଉଳି ମାଡ଼ି ଯାଇଛି। ପଛପଟେ ଆବର୍ଜନା ପାଣି ଜମି ରହିଥିବାରୁ ଦିନର ସବୁ ସମୟରେ ମଶା ଭଣଭଣ ହେଉଛନ୍ତି। ତେଣୁ ଏହାକୁ ବ୍ୟବହାର କରିବାକୁ ଲୋକେ ନାକ ଟେକୁଛନ୍ତି। ସେହିପରି ଏଠାକୁ ନିୟମିତ ଆସୁଥିବା ଲୋକଙ୍କ କହିବା କଥା, ପାର୍କର ରଙ୍ଗିନ୍ ୱାଟର୍‌ ଫାଉଣ୍ଟେନ୍ ଅବସ୍ଥା ପୂରା ବିଗିଡ଼ି ଯାଇଛି କହିଲେ ଭୁଲ୍‌ ହେବ ନାହିଁ। ରଙ୍ଗିନ୍ ପାଣି କୁଣ୍ଡରେ ପଲିଥିନ୍, ମୃଦ୍ୟୁପାନୀୟ ବୋତଲ ପଡ଼ି ପାଣି ଅପରିଷ୍କାର ହୋଇଗଲାଣି। ବର୍ଷ ବର୍ଷ ଧରି ଏହି ଫାଉଣ୍ଟେନ୍‌ର ପାଣି ସଫା ହେଉ ନାହିଁ। ଫଳରେ ପାଣିରୁ ଦୁର୍ଗନ୍ଧ ବାହାରୁଛି। ଦୂଷିତ ପାଣିରେ ରହି ରହି ରଙ୍ଗିନ୍ ମାଛଙ୍କ ଦେହରେ ଘା’ ହୋଇଗଲାଣି।

ବହୁ ମାଛ ମଧ୍ୟ ମରି ଗଲେଣି। ଦିନ ଦିନ ଧରି ପାଣିରେ ମଲା ମାଛ ଭାସୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ସନ୍ଧ୍ୟାରେ ରଙ୍ଗିନ୍ ମାଛ ଦେଖିବାକୁ ପ୍ରବଳ ଭିଡ଼ ଜମୁଥିଲା। ରଙ୍ଗିନ୍‌ ଲାଇଟ୍‌ ସାଙ୍ଗକୁ ରଙ୍ଗିନ୍‌ ମାଛ ଦେଖିବାକୁ ବହୁ ଲୋକଙ୍କ ଗହଳି ହେଉଥିଲା। ଏହା ଏକ ଭଲ ସେଲ୍‌ଫି ପଏଣ୍ଟ ଥିଲା। କିନ୍ତୁ ବର୍ତ୍ତମାନ ଫାଉଣ୍ଟେନ୍‌ର ଚିତ୍ର ପୂରା ଭିନ୍ନ। ପୂର୍ବ ପରି ଆଉ ସେଠାରେ ଚିକ୍‌ମିକ୍ ଲାଇଟ୍ ଜଳୁନି। ତେଣୁ ଲୋକମାନେ ସେଲ୍‌ଫି ନେବାକୁ ମନ ବଳାଉନାହାନ୍ତି। ବଡ଼ କଥା ହେଉଛି, ଏବେ ପାର୍କ ଭିତରେ କିଛି ଲାଇଟ୍ ଜଳୁ ନାହିଁ। ଫଳରେ ବହୁ ଅଂଶ ଅନ୍ଧାରିଆ ରହୁଛି। ତେଣୁ ସନ୍ଧ୍ୟାବେଳେ ଏଠାକୁ କମ୍ ଲୋକ ଆସୁଛନ୍ତି। ପାର୍କକୁ ନିୟମିତ ପରିଷ୍କାର କରାଯାଉନାହିଁ। ଫଳରେ ଅଧିକାଂଶ ସ୍ଥାନକୁ ବଣବୁଦା ମାଡ଼ିଗଲାଣି। ଅନେକ ସ୍ଥାନରେ ଉଇହୁଙ୍କା ଉଠି ଗଲାଣି ଓ ସେଥିରେ ବିଭିନ୍ନ ପ୍ରକାର ବିଷାକ୍ତ ସାପ ରହୁଥିବା ଲୋକେ ଦେଖିଥିବା କହୁଛନ୍ତି। ପାର୍କରେ ପିଇବା ପାଣିର ବ୍ୟବସ୍ଥା ହୋଇପାରିଲା ନାହିଁ। ବ୍ୟାୟାମ ସରଞ୍ଜାମରେ କଳଙ୍କି ଲାଗି ଗଲାଣି।

ପାର୍କକୁ ନିୟମିତ ଆସୁଥିବା ଅଭିରାମ ସେଠୀଙ୍କ କହିବା କଥା, ଘର ପାଖ ହେତୁ ପ୍ରତିଦିନ ବ୍ୟାୟାମ ଓ ମର୍ଣ୍ଣିଂୱାକ୍ କରିବାକୁ ଆସୁଛି। କରୋନା ପୂର୍ବରୁ ପାର୍କ ଅବସ୍ଥା ବେଶ୍ ଭଲ ଥିଲା। କିନ୍ତୁ ବର୍ତ୍ତମାନ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅବସ୍ଥା ବିଗିଡ଼ି ଗଲାଣି। ଏଠିକାର ସୁନ୍ଦର ପରିବେଶ ପାଇଁ ପୂର୍ବରୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏଠାକୁ ପଢ଼ିବାକୁ ଆସୁଥିଲେ। କିନ୍ତୁ ଏବେ ଅପରିଷ୍କାର ପରିବେଶ ଯୋଗୁଁ ସେମାନଙ୍କ ସଂଖ୍ୟା କମିଗଲାଣି। ଆଗାମୀ ଦିନରେ ଯଦି ୱାଟର୍‌ ଫାଉଣ୍ଟେନ୍‌କୁ ସଫା ନ କରାଯାଏ, ସବୁ ରଙ୍ଗିନ୍ ମାଛ ମରିଯିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ତେବେ ପାର୍କ ଦାୟିତ୍ବରେ ଥିବା ବିଡିଏର ମୁଖ୍ୟ ଉଦ୍ୟାନବିତ୍ ଅଶୋକ ନନ୍ଦ ଧର୍‌ କହିଛନ୍ତି ଯେ ଫାଉଣ୍ଟେନ୍‌ରେ ଅଧିକ ମାଛ ଥିବାରୁ ପାଣିକୁ ଆସ୍ତେଆସ୍ତେ ବଦଳାଇବାକୁ ପଡ଼ିବ। ନ ହେଲେ ମାଛଗୁଡ଼ିକ ମରିଯିବେ। ତେବେ ଅନ୍ୟ କୌଣସି ସମସ୍ୟା ନେଇ ତାଙ୍କ ପାଖରେ କିଛି ଅଭିଯୋଗ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର