ବୁଦ୍ଧନାଥ ମନ୍ଦିର ଜଗମୋହନରେ ଫାଟ, ବର୍ଷା ହେଲେ ପାଣି ଗଳୁଛି

ବାହାରେ ପଡିଛି ପୁନରୁଦ୍ଧାର ମୂର୍ତି

ବାଲିପାଟଣା: ବାଲିପାଟଣା ଗାରେଡ଼ିପାଞ୍ଚଣ ଗ୍ରାମର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବୁଦ୍ଧନାଥ ମହାଦେବଙ୍କର ମୁଖ୍ୟ ମନ୍ଦିର ଗର୍ଭଗୃହ ଓ ଜଗମୋହରେ ଫାଟ ସୃଷ୍ଟି ହୋଇଛି। ଫଳରେ ଦ୍ବାଦଶ ଶତାବ୍ଦୀର ଏହି ମନ୍ଦିର ଅବସ୍ଥା ଏବେ ସଂଗିନ ହୋଇଛି। ସାମାନ୍ୟ ବର୍ଷା ହେଲେ ମନ୍ଦିର ଭିତରେ ପାଣି ଝରି ସମସ୍ୟା ସୃଷ୍ଟି କରୁଛି। ବର୍ଷାଦିନେ ଠାକୁରଙ୍କ ପୂଜାରେ ବାଧା ଉପୁଜିବା ସହ ଶ୍ରଦ୍ଧାଳୁମାନେ ସମସ୍ୟା ଭୋଗୁଛନ୍ତି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ୨୦୧୪/୧୫ ମସିହାରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା। କିନ୍ତୁ ମନ୍ଦିରରେ ଫାଟଥିବା ବିଭାଗର ନଜରକୁ ଆସି ନ ଥିଲା। ତୁରନ୍ତ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଅନୁଧ୍ୟାନ କରାଯାଇ ମନ୍ଦିରରେ ଥିବା ଫାଟକୁ ସଜାଡ଼ିବା ପାଇଁ ସାଧାରଣରେ ଦାବି ହେଉଛି। ଏହାର ମରାମତି ନହେଲେ ଐତିହ୍ୟସମ୍ପନ୍ନ ମନ୍ଦିର ପ୍ରତି ବିପଦ ଥିବା ମନ୍ଦିରର ପୂଜକ ସୁନୀଲ କୁମାର ପଣ୍ଡା କହିଛନ୍ତି।

ଗଙ୍ଗବଂଶ ରାଜା ଚୋଡ଼ଗଙ୍ଗଦେବଙ୍କ ଦ୍ବାରା ଏହି ମନ୍ଦିର ନିର୍ମାଣ ହୋଇଥିଲା। କିଛି ବର୍ଷ ପୂର୍ବେ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହାର ପରିସର ମାଟି ତଳୁ ଅନେକ ଦେବଦେବୀଙ୍କର ମୂର୍ତି ବାହାରିଥିଲା। ଏବେ ମୂର୍ତିଗୁଡ଼ିକ ବାହାରେ ଖରା, ବର୍ଷାରେ ପଡ଼ି ରହିଛି। ମୂର୍ତିର ସୁରକ୍ଷା ନେଇ କାହାର ଚିନ୍ତା ନାହିଁ। ମନ୍ଦିରକୁ ଯିବା ପାଇଁ ସଂଯୋଗ କରୁଥିବା ବାଲିପାଟଣା ହାଟଠାରୁ ଏବଂ ମଧୁବନ ଛକରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଢଳେଇ କିମ୍ବା ପିଚୁ ହୋଇପାରୁ ନାହିଁ। ହାଟବାଟ ଦେଇ ଆସୁଥିବା ରାସ୍ତାଟି ଦୀର୍ଘ ଦିନ ପୂର୍ବରୁ କାମ ହୋଇଥିଲା। କିନ୍ତୁ ଏବେ ରାସ୍ତା ସାରା ଖାଲଖମାରେ ଭର୍ତି ହୋଇଯାଇଛି। ଫଳରେ ମନ୍ଦିରକୁ ଯିବା ପାଇଁ ବାଲିପାଟଣା, ବାରିଲୋ, ସରିପୁର, ଗିରିଙ୍ଗୋ, କିଆଯୋଡ଼ି ପ୍ରଭୃତି ଗ୍ରାମର ହଜାର ହଜାର ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦ୍ବାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଏହି ମନ୍ଦିର ନିଖୁଣ କାରୁକାର୍ଯ୍ୟରେ ପରିପୂର୍ଣ୍ଣ। ମନ୍ଦିର ବେଢ଼ାରେ ଅନେକ ଦେବଦେବୀ ପୂଜା ପାଉଛନ୍ତି। ହେଲେ ପର୍ଯ୍ୟଟନ ବିଭାଗ ତରଫରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନଥିବା ପୂଜକ ସୁଶୀଲ କୁମାର ପଣ୍ତା କହିଛନ୍ତି। ମନ୍ଦିର ନ ଥିବାରୁ ହନୁମାନ ଖୋଲାରେ ପୂଜା ପାଉଛନ୍ତି। ମନ୍ଦିରର ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଟେଣ୍ତର୍‌ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟ ହୋଇପାରୁନାହିଁ। ଏହି ଐତିହ୍ୟ ସମ୍ପନ୍ନ ମନ୍ଦିରର ରକ୍ଷଣାବେକ୍ଷଣ, ବାହାରେ ପୂଜା ପାଉଥିବା ଦେବଦେବୀଙ୍କର ସୁରକ୍ଷା ସହିତ ମନ୍ଦିରକୁ ସଂଯୋଗ ରାସ୍ତା ଏବଂ ଅନ୍ୟାନ୍ୟ ସମସ୍ୟାକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ନିଆଯାଇ କାର୍ଯ୍ୟ କରିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର